ଏ.କେ ବ୍ୟୁରୋ : ରବିବାର ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କୁ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବାକୁ କହିଛନ୍ତି। କିନ୍ତୁ ତୈଳ ଦର ବୃଦ୍ଧି ପାଇବ ବୋଲି ସେ କହିନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆସନ୍ତା ଗୋଟିଏ ବର୍ଷ ଯାଏ ସୁନା ଅଳଙ୍କାର ନ କିଣିବାକୁ ଆହ୍ୱାନ ଦେବା ସମସ୍ତଙ୍କୁ ଚକିତ କରିଛି। ଭାରତ ଭଳି ଦେଶରେ ସୁନା ଅଳଙ୍କାର ପରମ୍ପରା ଜଡ଼ିତ। ଲୋକମାନେ ବାହାଘର ଠାରୁ ଆରମ୍ଭ କରି ପାରିବାରିକ କାର୍ଯ୍ୟକ୍ରମରେ ଏହାର ବହୁଳ ବ୍ୟବହାର କରନ୍ତି। ତଥାପି ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସୁନା ଅଳଙ୍କାର ନ କିଣିବାକୁ କହିଛନ୍ତି। ତେବେ ମୋଦିଙ୍କ ଏପରି ଆହ୍ୱାନ ପଛରେ ରହିଛି ଦେଶର ଅର୍ଥନୀତିକ ଚିନ୍ତା। ଭାରତର ବିଦେଶ ମୁଦ୍ରା ପାଣ୍ଠି ଉପରେ ପଡ଼ୁଥିବା ଚାପ ଓ ବିଶ୍ୱ ଶକ୍ତି ସଙ୍କଟ ମଧ୍ୟରେ ଭାରତୀୟ ମୁଦ୍ରା ହ୍ରାସ ପାଇବା ହେଉଛି ଏପରି ଆହ୍ୱାନର ପ୍ରକୃତ କାରଣ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଓ ଷ୍ଟ୍ରେଟ ଅଫ ହର୍ମୁଜରେ ଦେଖାଯାଇଥିବା ଉତ୍ତେଜନା ଯୋଗୁ ଏବେ ବିଶ୍ୱ ବଜାରରେ ଅଶୋଧିତ ତୈଳର ଦାମ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କିଛି ସପ୍ତାହ ମଧ୍ୟରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ ୭୦ ଡଲାରରୁ ବଢ଼ି ୧୨୬ ଡଲାରେ ପହଞ୍ଚି ଯାଇଛି। ଏଥିଯୋଗୁ ଭାରତର ଆମଦାନୀ ବିଲ ବୃଦ୍ଧି ପାଇଛି।

ରବିବାର ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କୁ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବାକୁ କହିଛନ୍ତି। କିନ୍ତୁ ତୈଳ ଦର ବୃଦ୍ଧି ପାଇବ ବୋଲି ସେ କହିନାହାନ୍ତି। ପ୍ରଧାନମନ୍ତ୍ରୀ ମୋଦି ବାରମ୍ବାର ପେଟ୍ରୋଲ ଓ ଡିଜେଲ ବ୍ୟବହାର କମ କରିବାର ସହ ବିଦେଶ ମୁଦ୍ରା ଭଣ୍ଡାରର ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ “ମୁଁ ସମସ୍ତଙ୍କୁ ଆହ୍ୱାନ ଦେବାକୁ ଚାହୁଁଛି ଯେ କେହି ବି ଗୋଟିଏ ବର୍ଷ ପାଇଁ ସୁନା ଅଳଙ୍କାର କିଣନ୍ତୁ ନାହିଁ।” ଅର୍ଥନୀତିକ ଦୃଷ୍ଟିକୋଣରୁ ସୁନା ଓ ଅଶୋଧିତ ତୈଳ ଭାରତ ପାଇଁ ପ୍ରମୁଖ ପ୍ରସଙ୍ଗ। ଉଭୟ ସାମଗ୍ରୀ ବିପୁଳ ପରିମାଣରେ ଆମଦାନୀ ହୁଏ ଓ ଏଥିପାଇଁ ଆମେରିକୀୟ ଡଲାରରେ ପୈଠ କରାଯାଏ। ଭାରତ ପ୍ରାୟ ୮୫% ଅଶୋଧିତ ତୈଳ ରପ୍ତାନୀ କରୁଥିବା ବେଳେ ସୁନା ଆମଦାନୀରେ ଦେଶ ବିଶ୍ୱରରେ ସର୍ବବୃହତ୍ତ ରାଷ୍ଟ୍ର।
ଏହାର ଅର୍ଥ ଯେତେବେଳେ ଅଶୋଧିତ ତୈଳ ଦାମ ବୃଦ୍ଧି ପାଉଛି ଓ ସୁନା ଆମଦାନୀ ଉଚ୍ଚ ରହୁଛି ସେତେବେଳେ ଭାରତକୁ ଆମଦାନୀ ପାଇଁ ଅଧିକ ମାତ୍ରାରେ ଡଲାର ଦେବାକୁ ପଡ଼ିବ। ମୁଦ୍ରା ବଜାରରେ ଏହି ବୃଦ୍ଧି ଡଲାରର ଚାହିଦା ବଢ଼ାଇ ଓ ଭାରତୀୟ ଟଙ୍କା ଉପରେ ଚାପ ସୃଷ୍ଟି କରିବ।
ଅର୍ଥନୀତିଜ୍ଞ ମତରେ ସୁନାକୁ ଗୋଟିଏ ସାଧାରଣ ଗ୍ରାହକ ଦ୍ରବ୍ୟ ଭାବେ ବିଚାର କରାଯାଏ ନାହିଁ। ପରିବହନ, ଶକ୍ତି ଓ ଶିଳ୍ପାଞ୍ଚଳ କାର୍ଯ୍ୟକଳାପ ପାଇଁ ତୈଳ ଅପରିହାର୍ଯ୍ୟ। କିନ୍ତୁ ସୁନା ସାଧାରଣତଃ ବିଳାସପୂର୍ଣ୍ଣ ସାମଗ୍ରୀ ଭାବେ ବ୍ୟବହାର କରାଯାଏ। ଯେତେବେଳେ ବିଶ୍ୱ ସଙ୍କଟ ସମୟରେ ଲୋକମାନେ ବିପୁଳ ପରିମାଣ ସୁନା ଆମଦାନୀ କରିବେ ସେତେବେଳେ ଅଧିକ ମାତ୍ରାରେ ଡଲାର ବିଦେଶକୁ ଚାଲି ଯିବ।
ଏହା ଦ୍ୱାରା ଭାରତର ସଚଳ ଆକାଉଣ୍ଟ ନିଅଣ୍ଟ ଆହୁରି ବଢ଼ିଯିବ। ସଚଳ ଆକାଉଣ୍ଟ ନିଅଣ୍ଟକୁ ସାଧାରଣତଃ ଆମଦାନୀ ଓ ରପ୍ତାନୀ ମଧ୍ୟରେ ଥିବା ଦୂରତାରୁ ମାପାଯାଏ। ନଅଣ୍ଟ ବା ଅଭାବ ସ୍ଥିତି ଦେଶର ମୁଦ୍ରାକୁ ଦୁର୍ବଳ କରିଥାଏ। ଦେଶ ବିଦେଶୀ ମୁଦ୍ରା ଆୟ ତୁଳନାରେ ଏହାର ଖର୍ଚ୍ଚ ଅଧିକ ହେବା ଯୋଗୁ ଏପରି ସ୍ଥିତି ସୃଷ୍ଟି ହୁଏ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ସୁନା ଆମଦାନୀକୁ ନେଈ ଦେଶବାସୀଙ୍କୁ ସତର୍କ କରାଇଛନ୍ତି।






