ଏ.କେ ବ୍ୟୁରୋ : ଘର ଠାରୁ ସାମାନ୍ୟ ଦୂରରେ ପିଲାଟି ଖେଳୁଥିଲା। ଏତିକି ବେଳେ ପିଲାଟି ଉପରକୁ ଲମ୍ଫ ମାରିଥିଲା ଗୋଟିଏ କଲରାପତରିଆ। ଏଥିରେ କିନ୍ତୁ ପିଲାଟି ଆଦୌ ଡରି ଯାଇ ଆତ୍ମସମର୍ପଣ କରି ନଥିଲା। ବୟସ ମାତ୍ର ୧୩ ବର୍ଷ। କିନ୍ତୁ ସାହାସକୁ ସାତ ସିଂହର। ପିଲାଟି ଏମିତି କିଛି କରି ଦେଖାଇଛି, ଯାହା ସମସ୍ତଙ୍କୁ କରିଛି ଚକିତ।

ପିଲାଟି ଗୋଟିଏ ବାଘ ସହ କରିଛି ଲଢ଼େଇ। ବାଘକୁ ହରାଇ ସେ ମୃତ୍ୟୁକୁ ଦେଇଛି ମାତ୍। ବାଘଟି ତା’କୁ ମାଡ଼ି ବସିଥିଲେ ହେଁ ପିଲାଟି ନିଜର ଅଦମ୍ୟ ସାହାସ ବଳରେ ତା’କୁ ହରାଇ ଦେଇଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ କଥାଟା ପୂରା ସତ। ମଧ୍ୟପ୍ରଦେଶର ନର୍ମଦାପୁରମ ଜିଲ୍ଲା ପିପରିୟା ଅଂଚଳରେ ଘଟିଛି ଏମିତି ଆଶ୍ଚର୍ଯ୍ୟଜନକ ଘଟଣା। ଘର ଠାରୁ ସାମାନ୍ୟ ଦୂରରେ ପିଲାଟି ଖେଳୁଥିଲା। ଏତିକି ବେଳେ ପିଲାଟି ଉପରକୁ ଲମ୍ଫ ମାରିଥିଲା ଗୋଟିଏ କଲରାପତରିଆ। ଏଥିରେ କିନ୍ତୁ ପିଲାଟି ଆଦୌ ଡରି ଯାଇ ଆତ୍ମସମର୍ପଣ କରି ନଥିଲା। ବରଂ ସେ ନିଜ ଜୀବନ ବଞ୍ଚାଇବାକୁ ଯାଇ ବାଘ ସହ କରିଥିଲା ଲଢ଼େଇ। ନିଜର ସବୁ ବଳ ଲଗାଇ ସେ ବାଘକୁ ଦେଇଥିଲା କଡ଼ା ଚ୍ୟାଲେଞ୍ଜ। ପିଲାଟିର ରଣକୌଶଳ ଦେଖି ଶେଷରେ ହାର ମାନିଥିଲା ବାଘ। ଏହାପରେ ଲାଙ୍ଗୁଡ ଜାକି ଜଙ୍ଗଲକୁ ଦୌଥିଲା।
ପୂରା ଘଟଣା ଶନିବାର ସନ୍ଧ୍ୟାରେ ଘଟିଛି। ୧୩ ବର୍ଷର ସତ୍ୟମ ଠାକୁର ଘର ପାଖରେ ଥିବା ଚାଷଜମି ନିକଟରେ ଖେଳୁଥିଲା। ଚାରିପଟେ ଥିଲା ଜଙ୍ଗଲିଆ ଅଞ୍ଚଳ। ହଠାତ୍ ସେହି ଜଙ୍ଗଲିଆ ଅଞ୍ଚଳରୁ ଗୋଟିଏ କଲରାପତରିଆ ଆସି ପିଲାଟି ଉପରେ ଝାମ୍ପି ପଡ଼ିଥିଲା। ସତ୍ୟମଙ୍କୁ ରାମ୍ପି କାମୁଡି ଲହୁଲୁହାଣ କରିଥିଲା। ହେଲେ ବାଘକୁ ଦେଖି ହାର୍ ମାନିନଥିଲା ସତ୍ୟମ। ସେ ବାଘ ବେକକୁ ମାଡ଼ି ବସିଥିଲା। ବେଶ୍ କିଛି ସମୟ ବାଘ ଓ ପିଲାଟି ଭିତରେ ଚାଲିଥିଲା ଲଢ଼େଇ। କେହି କାହାରିକୁ ଛାଡ଼ିନଥିଲେ। ସତ୍ୟମ ବାଘ ବେକକୁ ଚିପି ଧରି ପଛକୁ ଠେଲିବାକୁ ଚେଷ୍ଟା କରୁଥିଲା।
ଆଉ ବାଘ ଗର୍ଜନ କରି ତା’ର ପେଟ, ହାତଗୋଡ଼କୁ ରାମ୍ପି ଚାଲିଥିଲା। ଶେଷରେ ପିଲାର ଚିତ୍କାର ଶୁଣି ତା’ ବାପା ଓ ଗାଁ ଲୋକେ ଠେଙ୍ଗାବାଡ଼ି ଧରି ଦୌଡ଼ି ଆସିଥିଲେ। ସେମାନଙ୍କୁ ଦେଖି ବାଘଟି ଜୀବନ ବଂଚାଇବାକୁ ଜଙ୍ଗଲ ଭିତରକୁ ପଳାଇଥିଲା।
ତେବେ ବାଘର ଆକ୍ରମଣରେ ସତ୍ୟମ ଆହତ ହୋଇଛି। ତା’ ଦେହରେ ଗଭୀର କ୍ଷତ ଲାଗିଛି। ଚିକିତ୍ସା ପାଇଁ ତାକୁ ନିକଟସ୍ଥ ହସ୍ପିଟାଲ ପଠାଯାଇ ଥିବା ବେଳେ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।






