ଏ.କେ ବ୍ୟୁରୋ : ଏହି ସିଜନରେ ହାର୍ଦ୍ଦିକଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ଅତ୍ୟନ୍ତ ନିରାଶାଜନକ । ୮ଟି ମ୍ୟାଚରେ ମାତ୍ର ୧୪୬ ରନ୍ ଏବଂ ୪ଟି ୱିକେଟ୍ ଜଣେ ଅଲରାଉଣ୍ଡର ଅଧିନାୟକଙ୍କ ପାଇଁ ଶୋଭା ପାଏନାହିଁ । କ୍ରିକେଟ୍ ଦୁନିଆରେ କୁହାଯାଏ, “ଫର୍ମ ଅସ୍ଥାୟୀ, କିନ୍ତୁ କ୍ଲାସ୍ ସ୍ଥାୟୀ ।” ମାତ୍ର ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଏବେ ଉଭୟ ଫର୍ମ ଏବଂ ସମ୍ପର୍କ – ଦୁଇଟି ଯାକ ସଙ୍କଟ ଦେଇ ଗତି କରୁଛି । ଆଇପିଏଲ୍ ୨୦୨୬ ମୁମ୍ବାଇ ପାଇଁ କୌଣସି ଦୁଃସ୍ୱପ୍ନଠାରୁ କମ୍ ନଥିଲା । ରବିବାର ରୟାଲ ଚ୍ୟାଲେଞ୍ଜ ଚ୍ୟାଲେଞ୍ଜର୍ସର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟ ପରେ ଦଳ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ସତ, କିନ୍ତୁ ଏହି ପରାଜୟ ଅପେକ୍ଷା ହାର୍ଦ୍ଦିକଙ୍କ ସୋସିଆଲମିଡିଆ ଗତିବିଧି ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଘଟଣାଟି ଥିଲା ମାତ୍ର କିଛି ମିନିଟର, କିନ୍ତୁ ଏହାର ପ୍ରଭାବ ଥିଲା ବେଶ୍ ଗଭୀର । ପରାଜୟର କିଛି ସମୟ ପରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଇନଷ୍ଟାଗ୍ରାମରୁ ମୁମ୍ବାଇ ଇଣ୍ଡିଆନ୍ସକୁ ‘ଅନଫଲୋ’ କରିଦେଇଥିଲେ । ତାଙ୍କ ଫଲୋଇଙ୍ଗ୍ ଲିଷ୍ଟ ୧୫୧ରୁ ୧୫୦କୁ ଖସି ଆସିବା କ୍ଷଣି ସୋସିଆଲ ମିଡିଆରେ ନିଆଁ ଲାଗିଗଲା । ପ୍ରଶଂସକମାନେ ସ୍କ୍ରିନସଟ୍ ଶେୟାର କରି କହିବାକୁ ଲାଗିଲେ ଯେ, “ମୁମ୍ବାଇ ପଲଟନ୍ରେ ବିଦ୍ରୋହ ଆରମ୍ଭ ହୋଇଛି ।” ଯଦିଓ କିଛି ସମୟ ପରେ ସେ ପୁଣି ଫଲୋ କରିଥିଲେ, କିନ୍ତୁ ସେହି କିଛି ମିନିଟର କ୍ରୋଧ ବା ଯାନ୍ତ୍ରିକ ତ୍ରୁଟି ଅନେକ ପ୍ରଶ୍ନ ଛାଡିଯାଇଛି । ହାର୍ଦ୍ଦିକ ଓ ମୁମ୍ବାଇ ଇଣ୍ଡିଆନ୍ସର ସମ୍ପର୍କ ଆରମ୍ଭରୁ ହିଁ ବିବାଦୀୟ ରହିଆସିଛି । ୨୦୨୪ରେ ଯେତେବେଳେ ପାଞ୍ଚଥରର ବିଜୟୀ ଅଧିନାୟକ ରୋହିତ ଶର୍ମାଙ୍କୁ ହଟାଇ ହାର୍ଦ୍ଦିକଙ୍କୁ ଦାୟିତ୍ୱ ଦିଆଗଲା, ସେତେବେଳେ ପ୍ରଶଂସକଙ୍କ କ୍ରୋଧ ଶିଖରରେ ଥିଲା । ଏବେ ୨୦୨୬ରେ ଦଳର ଲଗାତାର ଖରାପ ପ୍ରଦର୍ଶନ ସେହି ଅସନ୍ତୋଷରେ ଘିଅ ଢାଳିବା ପରି କାମ କରିଛି ।
ପଡ଼ିଆରେ ହାର୍ଦ୍ଦିକଙ୍କୁ ସମାଲୋଚନା କରିବା ଏବେ ପ୍ରଶଂସକଙ୍କ ପାଇଁ ସାଧାରଣ କଥା ହୋଇଗଲାଣି। ଏହି ସିଜନରେ ହାର୍ଦ୍ଦିକଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ଅତ୍ୟନ୍ତ ନିରାଶାଜନକ । ୮ଟି ମ୍ୟାଚରେ ମାତ୍ର ୧୪୬ ରନ୍ ଏବଂ ୪ଟି ୱିକେଟ୍ ଜଣେ ଅଲରାଉଣ୍ଡର ଅଧିନାୟକଙ୍କ ପାଇଁ ଶୋଭା ପାଏନାହିଁ । ଫିଟନେସ୍ ସମସ୍ୟା ଯୋଗୁଁ ସେ ଦଳରୁ ବାହାରେ ରହିବା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଦଳ କିଛିଟା ଭଲ ପ୍ରଦର୍ଶନ କରିବା ହାର୍ଦ୍ଦିକଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ‘ଅନଫଲୋ-ଫଲୋ’ ଖେଳ ପଛରେ କୌଣସି ଟେକ୍ନିକାଲ ସମସ୍ୟା ଥାଇପାରେ, କିନ୍ତୁ କ୍ରିକେଟ୍ ବିଷେଶଜ୍ଞଙ୍କ ମତରେ ଏହା ହାର୍ଦ୍ଦିକଙ୍କ ମାନସିକ ଅବସ୍ଥା ଓ ଦଳ ମଧ୍ୟରେ ଥିବା ମନୋମାଳିନ୍ୟକୁ ସୂଚାଉଛି । କଣ ହାର୍ଦ୍ଦିକ ପାଣ୍ଡ୍ୟା ଆସନ୍ତା ସିଜନରେ ମୁମ୍ବାଇ ଛାଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି? କଣ ରୋହିତ ଶର୍ମାଙ୍କ ପ୍ରଶଂସକଙ୍କ ଚାପରେ ଫ୍ରାଞ୍ଚାଇଜ୍ ନିଜର ନିଷ୍ପତ୍ତି ବଦଳାଇବ ? ବର୍ତ୍ତମାନ ପାଇଁ ଉଭୟ ପକ୍ଷ ଚୁପ୍ ଅଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସେହି ଗୋଟିଏ ସ୍କ୍ରିନସଟ୍ ମୁମ୍ବାଇ ଇଣ୍ଡିଆନ୍ସ ଶିବିରରେ ବିବାଦର ସଙ୍କେତ ଦେଉଛି । ଆଗାମୀ ମିନି ଅକ୍ସନ କିମ୍ବା ଟ୍ରେଡିଂ ୱିଣ୍ଡୋରେ ହାର୍ଦ୍ଦିକଙ୍କୁ ନେଇ କିଛି ବଡ଼ ଖବର ଆସିପାରେ, ଯାହା ଆଇପିଏଲ୍ ଇତିହାସର ସବୁଠାରୁ ବଡ଼ ସ୍ଥାନାନ୍ତରଣ ହୋଇପାରେ ।






