ଏ.କେ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲାର ଏକମାତ୍ର ସିନେମା ହଲ ‘ସୋମଲାଇ’ ପୁଣିଥରେ ଚାଲୁ ହେବାକୁ ଆଶା ସୃଷ୍ଟି ହୋଇଛି ।

ଏକ ସମୟରେ ଜିଲ୍ଲାର ମୁଖ୍ୟ ମନୋରଞ୍ଜନ କେନ୍ଦ୍ର ଭାବେ ପରିଚିତ ଏହି ସିନେମା ହଲରେ ଦିନକୁ ଚାରିଟି ସୋ ଚାଲୁଥିଲା । ସେତେବେଳେ ମହାନଦୀ ଉପରେ ବ୍ରିଜ ନଥିଲେ ମଧ୍ୟ ଲୋକମାନେ ନଦୀ ପାର ହୋଇ ବୀରମହାରାଜପୁର ସହ ଅନ୍ୟାନ୍ୟ ଅଞ୍ଚଳରୁ ସିନେମା ଦେଖିବା ପାଇଁ ସୋନପୁରକୁ ଆସୁଥିଲେ । କିନ୍ତୁ ସମୟ ପରିବର୍ତ୍ତନ ସହ ସୋସିଆଲ ମିଡିଆ ଓ ମୋବାଇଲ ଭିତ୍ତିକ ମନୋରଞ୍ଜନର ପ୍ରଭାବ ବଢ଼ିବାରୁ ସିନେମା ହଲର ଚାହିଦା ଧୀରେଧୀରେ କମିଯାଇଥିଲା । ପରେ କରୋନା ମହାମାରୀ ପରବର୍ତ୍ତୀ ସମୟରୁ, ପ୍ରାୟ ୨୦୧୯ ମସିହାରୁ ଏହି ସିନେମା ହଲ ବନ୍ଦ ରହିଆସିଛି ।ଏହି ପରିପ୍ରେକ୍ଷୀରେ ସୋନପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ସୋମଲାଇ ସିନେମା ହଲ ପରିଦର୍ଶନ କରିଥିଲେ । ସେ ହଲର ବର୍ତ୍ତମାନ ସ୍ଥିତି ଅନୁଧ୍ୟାନ କରିବା ସହ ଦାୟିତ୍ୱରେ ଥିବା ମାଲିକଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ ସିନେମା ହଲକୁ ପୁନଃ ଚାଲୁ କରିବା ପାଇଁ ମାଲିକ ପକ୍ଷରୁ ସହମତି ପ୍ରକାଶ ପାଇଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ଆବଶ୍ୟକ ସହଯୋଗ ମିଳିଲେ ଆଗାମୀ ଦିନରେ ସୋମଲାଇ ସିନେମା ହଲ ପୁଣିଥରେ ଚାଲୁ ହେବ ଓ ପୁରୁଣା ଦିନର ଚଞ୍ଚଳତା ଫେରିଆସିବ ବୋଲି ମାଲିକ ପକ୍ଷରୁ ଆଶା ପ୍ରକାଶ କରାଯାଇଛି ।






