ଏ.କେ ବ୍ୟୁରୋ : ଆଜି ସୀମା ଶୁଳ୍କ ବୃଦ୍ଧି ପରେ ଭୁବନେଶ୍ୱରରେ ସୁନାର ମଧ୍ୟ ବୃଦ୍ଧି ହୋଇଛି। ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୧୩,୯୧୦ ଟଙ୍କା ମହଙ୍ଗା ହୋଇଛି। ମଙ୍ଗଳବାର ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୧,୫୩,୯୮୦ ଟଙ୍କାରେ ମିଳୁଥିଲା। ହେଲେ ଆଜି ଏହା ୧,୬୭,୮୯୦ ଟଙ୍କା ହୋଇ ଯାଇଛି। ଭାରତ ସରକାର ସୁନା ଓ ରୁପା ଉପରେ ଲାଗୁ ହେଉଥିବା ସୀମା ଶୁଳ୍କକୁ ଆଜି ବୃଦ୍ଧି କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ନୂଆ ସୀମା ଶୁଳ୍କ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ସରକାରଙ୍କ ନିଷ୍ପତ୍ତି ଅନୁସାରେ, ସୁନା ଓ ରୁପା ଉପରେ ଏଣିକି ୧୫% ସୀମା ଶୁଳ୍କ ଲାଗୁ ହେବ। ପୂର୍ବରୁ ଏଥିପାଇଁ ୬% ଶୁଳ୍କ ଲାଗୁ ହେଉଥିଲା। ଏଥିରେ ୧୦% ମୌଳିକ ସୀମା ଶୁଳ୍କ (BCD) ଓ ୫% କୃଷି ଭିତ୍ତିଭୂମି ଓ ବିକାଶ ସେସ୍ (AIDC) ସାମିଲ ରହିଛି। ପ୍ଲାଟିନମ ଉପରେ ଲାଗୁ ଥିବା ଶୁଳ୍କକୁ ମଧ୍ୟ ୬.୪% ରୁ ବୃଦ୍ଧି କରି ୧୫.୪% କରି ଦିଅଯାଇଛି।

ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ଯୋଗୁ ଅଶୋଧିତ ତୈଳ ଦର ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ବିଦେଶୀ ମୁଦ୍ରା (Forex Reserves) ସଂରକ୍ଷିତ ରଖିବା ପାଇଁ ସୁନା ଆମଦାମୀ ଉପରେ କଟକଣା ଲଗାଯାଇଛି। ଏହାବାଦ ଭାରତୀୟ ଟଙ୍କାର ମୂଲ୍ୟରେ ହ୍ରାସ ଘଟୁଥିବାରୁ ଏହାକୁ ସ୍ଥିର ରଖିବା ପାଇଁ ସରକାର ସୁନା ଓ ରୁପାର ସୀମା ଶୁଳ୍କକୁ ବୃଦ୍ଧି କରିଛନ୍ତି। ୨୦୨୪-୨୫ ବଜେଟ୍ରେ ସରକାର ଶୁଳ୍କ ହ୍ରାସ କରିଥିଲେ। କିନ୍ତୁ ବର୍ତ୍ତମାନର ବିଶ୍ୱ ଅର୍ଥନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ପୁଣି ବୃଦ୍ଧି କରାଯାଇଛି। ସୀମା ଶୁଳ୍କ ଖବର ସାମ୍ନାକୁ ଆସିବା ମାତ୍ରେ ବଜାରରେ ସୁନା ଓ ରୁପା ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ଦିଲ୍ଲୀ ବଜାରରେ ସୁନା ପ୍ରାୟ ୧,୫୦୦ ଟଙ୍କା ଓ ରୁପା ପ୍ରାୟ ୧୨,୦୦୦ ଟଙ୍କା (ପ୍ରତି କିଲୋଗ୍ରାମ) ମହଙ୍ଗା ହୋଇଛି। ତେବେ ବିବାହ ଋତୁ ପୂର୍ବରୁ ଏହି ବୃଦ୍ଧି ଗ୍ରାହକ ଓ ଗହଣା ବ୍ୟବସାୟୀଙ୍କ ପାଇଁ ଗୋଟିଏ ଚିନ୍ତାର ବିଷୟ ପାଲଟିଛି। କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅନାବଶ୍ୟକ ଭାବେ ସୁନା ନ କିଣିବାକୁ ଅପିଲ୍ କରିଥିଲେ। ଏହି ଆହ୍ୱାନ ପରେ ସୀମା ଶୁଳ୍କ ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଥିଲା। ଏବେ ସତକୁ ସତ ସରକାର ସୀମା ଶୁଳ୍କ ବୃଦ୍ଧି କରିଛନ୍ତି।
ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ତ ସୁନା ବ୍ୟବହାର କରି। ସେହିପରି ରୁପା ବ୍ୟବହାରରେ ଭାରତ ବିଶ୍ୱର ୧ ନମ୍ବର ଦେଶ। କିନ୍ତୁ ଘରୋଇ ଚାହିଦାକୁ ପୂରଣ କରିବା ପାଇଁ ସୁନା ଓ ରୁପା ବିଦେଶରୁ ହିଁ ଆମଦାନୀ ହୋଇଥାଏ। ତେଣୁ ଆମଦାନୀକୁ ହ୍ରାସ କରିବା ପାଇଁ ସରକାର ସୀମା ଶୁଳ୍କ ବୃଦ୍ଧି କରିଛନ୍ତି। ଆଜି ସୀମା ଶୁଳ୍କ ବୃଦ୍ଧି ପରେ ଭୁବନେଶ୍ୱରରେ ସୁନାର ମଧ୍ୟ ବୃଦ୍ଧି ହୋଇଛି। ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୧୩,୯୧୦ ଟଙ୍କା ମହଙ୍ଗା ହୋଇଛି। ମଙ୍ଗଳବାର ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୧,୫୩,୯୮୦ ଟଙ୍କାରେ ମିଳୁଥିଲା। ହେଲେ ଆଜି ଏହା ୧,୬୭,୮୯୦ ଟଙ୍କା ହୋଇ ଯାଇଛି। ସେହିପରି ୨୨ କ୍ୟାରେଟ ସୁନା ମଧ୍ୟ ୧୦ ଗ୍ରାମ ପିଛା ୧୨,୭୫୦ ଟଙ୍କା ବୃଦ୍ଧି ପାଇଛି। ମଙ୍ଗଳବାର ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୧,୪୧,୧୫୦ ଟଙ୍କା ରହିଥିଲା। ଆଜି ଏହାର ଦାମ ୧,୫୩,୯୦୦ ଟଙ୍କାରେ ପହଞ୍ଚି ଯାଇଛି। ଅନ୍ୟପକ୍ଷରେ ରୁପାର ଦାମ କେଜି ପିଛା ୩୦ ହଜାର ଟଙ୍କା ବଢ଼ିଛି। ମଙ୍ଗଳବାର ଭୁବନେଶ୍ୱରରେ ରୁପା କେଜି ପ୍ରତି ୩ ଲକ୍ଷ ଟଙ୍କାରେ ବିକ୍ରି ହେଉଥିଲା। ଆଜି ଏହାର ଦାମ ୩,୩୦,୦୦୦ ହୋଇ ଯାଇଛି।






