ଏ.କେ ବ୍ୟୁରୋ : ୧୦ ତାରିଖ ସକାଳୁ ନାଗାବଳୀ ନଦୀକୂଳରୁ ମିଳିଲା ନିଖିଲଙ୍କ ମୃତଦେହ । ଘଟଣା ଘଟିବାର ୪ ଦିନ ପରେ ବି ପୁଲିସ୍ର ହାତ ଖାଲି । ନିଖିଲଙ୍କୁ ହତ୍ୟା କରିବା ପାଇଁ ଦୁର୍ବୃତ୍ତ କେଉଁଠି ଯୋଜନା ଚଳାଇଥିଲେ ? ବନ୍ଧୁକ ଆସୁଛି କେଉଁଠୁ ? ଏଭଳି ଅନେକ ପ୍ରଶ୍ନ ସହରବାସୀଙ୍କ ମନରେ ଉଙ୍କି ମାରୁଛି । ଶାନ୍ତ ସହର ଭାବେ ପରିଚିତ ରାୟଗଡ଼ା ଏବେ ଅଶାନ୍ତ। କେତେବେଳେ ରାହାଜାନି ତ କେତେବେଳେ ସର୍ବସମ୍ମୁଖରେ ଚାଲୁଛି ଗୁଳି ।

ଆଇନ୍ ଶୃଙ୍ଖଳା ପରିସ୍ଥିତି ଏଭଳି ବିପର୍ୟ୍ୟସ୍ତ ହୋଇଛି ଯେ, ଲୋକେ ଏବେ ଘରୁ ବାହାରିବାକୁ ଭୟ କରୁଛନ୍ତି। ପୋଲିସର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ, ସହରର ସୁରକ୍ଷା ବ୍ୟବସ୍ଥା ଏବେ ସଂଶୟ ଘେରରେ। ଆଦିବାସି ଅଧିଷ୍ୟୁତ ରାୟଗଡ଼ାରେ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି। ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ୁଛି । ଦିନେ ଯେଉଁଠି ଚୋରି ଓ ଛିନତାଇ ଖବର ଆସୁଥିଲା, ଏବେ ସେଠି ଛୋଟ ଛୋଟ କଥାରେ ଗୁଳି ଫୁଟୁଛି। ଗୁଳିମାଡ଼ ସହ ଅପହରଣ ମଧ୍ୟ ଘଟୁଛି। ସାମାନ୍ୟ ବଚସାକୁ ନେଇ ଗୁଳି କରି ହତ୍ୟା କରିବାକୁ ପଛାଉନାହାନ୍ତି ଦୁର୍ବୃତ୍ତ। ଲୋକଙ୍କ ସୁରକ୍ଷା ପାଇଁ ଥିବା ପୁଲିସ ଯେମିତି ହାତ ବାନ୍ଧି ବସିଛି। ଫଳରେ କେତେବେଳେ କେଉଁ ପରିସ୍ଥିତି ସୃଷ୍ଟି ହେବ ତାହା ଭାବି ରାୟଗଡ଼ାବାସୀ ଘରୁ ବାହାରକୁ ବାହାରିବା ପାଇଁ ଡରୁଛନ୍ତି ।
୧୦ ତାରିଖ ସକାଳୁ ନାଗାବଳୀ ନଦୀକୂଳରୁ ମିଳିଲା ନିଖିଲଙ୍କ ମୃତଦେହ । ଘଟଣା ଘଟିବାର ୪ ଦିନ ପରେ ବି ପୁଲିସ୍ର ହାତ ଖାଲି। ନିଖିଲଙ୍କୁ ହତ୍ୟା କରିବା ପାଇଁ ଦୁର୍ବୃତ୍ତ କେଉଁଠି ଯୋଜନା ଚଳାଇଥିଲେ ? ବନ୍ଧୁକ ଆସୁଛି କେଉଁଠୁ ? ଏଭଳି ଅନେକ ପ୍ରଶ୍ନ ସହରବାସୀଙ୍କ ମନରେ ଉଙ୍କି ମାରୁଛି । ଖାଲି ନିଖିଲଙ୍କ ହତ୍ୟା ନୁହେଁ, ରାୟଗଡ଼ାରେ ଅପରାଧର ଗ୍ରାଫ୍ କେମିତି ବଢୁଛି ତାର କିଛି ଉଦାହରଣ ଦେଖନ୍ତୁ । ଏପ୍ରିଲ୍ ୧୧ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିକ୍ୟୁରିଟି ଗାର୍ଡଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଗଲା । ଏନେଇ ଟାଉନଥାନାରେ ଲିଖିତ ଅଭିଯୋଗ ହୋଇଛି । ପୁଣି ଏପ୍ରିଲ ୩୦ରେ ଆଦିବାସୀଙ୍କ ଉପରେ ମରଣାନ୍ତକ ଆକ୍ରମଣକୁ ନେଇ ଆଦିବାସୀ ଯୁବ ସମାଜ ପକ୍ଷରୁ ଦୁର୍ବୃତ୍ତଙ୍କୁ ଗିରଫ କରିବା ପାଇଁ ଜିଲ୍ଲା ଆରକ୍ଷି ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପରିସ୍ଥିତିକୁ ଦେଖି ସହରରେ ୧୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ସତ, କିନ୍ତୁ ଅପରାଧୀ ଏବେବି ପୁଲିସର ରେଞ୍ଜ ବାହାରେ । ଅନ୍ୟପଟେ ଯଥାଶୀଘ୍ର ଦୁର୍ବୃତ୍ତଙ୍କୁ ଖୋଜି ଗିରଫ କରାଯିବ ବୋଲି କହିଛନ୍ତି ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ।






