ଏ.କେ ବ୍ୟୁରୋ : ବୁଗୁଡ଼ା ଅଞ୍ଚଳରେ ରାଜନୈତିକ ବାତାବରଣ ବଦଳୁଥିବାର ଦୃଶ୍ୟମାନ ହେଉଛି । ବିଜେଡିକୁ ହଟାଇ ବିଜେପି ଶାସନ ଡୋରି ଧରିଥିବାବେଳେ ବୁଗୁଡ଼ା ଅଞ୍ଚଳର ଜନପ୍ରିୟ ନେତ୍ରୀ ତଥା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ କୁଆଡ଼େ ବିଜେପି ଛାଡି ବିଜେଡିରେ ଶଙ୍ଖନାଦ କରିବାକୁ ମନସ୍ଥ କରିଥିବା କଥାକୁ ନେଇ ଅଞ୍ଚଳରେ ରାଜନୈତିକ ଆଲୋଚନା ଜୋର ଧରିଛି ।

ଗତ ୨୬ ଡିସେମ୍ବର ୨୦୨୪ ତାରିଖ ବିଜେଡିର ପ୍ରତିଷ୍ଠା ଦିବସରେ ବିଜେପି ପକ୍ଷରୁ ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ଆୟୋଜିତ ମିଶ୍ରଣ ପର୍ବ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ସାଂସଦ ଅନିତା ଶୁଭଦର୍ଶିନୀଙ୍କ ଉପସ୍ଥିତିରେ ନିଜର ସମର୍ଥତ ଅନେକ ଜନପ୍ରତିନିଧି ଏବଂ ଶହ ଶହ କର୍ମୀଙ୍କୁ ନେଇ ବିଜେପିରେ ଯୋଗଦାନ କରି ଚହଳ ପକାଇଥିଲେ।ଏଥିସହ ଗଞ୍ଜାମ ଜିଲ୍ଲା ଉନ୍ନୟନ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ମହିଳା ନେତୃତ୍ବ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଏବଂ ପରବର୍ତ୍ତୀ ସମୟରେ ମହିଳା ନେତୃତ୍ବ ଶୀର୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସଫଳତା ହାସଲ କରି ସେ ସର୍ବ ଭାରତୀୟ ‘ଚେଞ୍ଜ ମେକର’ କର୍ମଶାଳାକୁ ମନୋନୀତ ହୋଇ ଅଞ୍ଚଳରେ ନିଜର ଏକ ସ୍ବତନ୍ତ୍ର ଛାପ ସୃଷ୍ଟି କରିପାରିଥିଲେ। ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ବ୍ଲକ ଅଧ୍ୟକ୍ଷାଙ୍କୁ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିବାବେଳେ ଏବେ ପ୍ରାୟ କିଛି ମାସ ହେବ କ’ଣ ହେଲା କେଜାଣି ଯେ ବ୍ଲକ କାର୍ଯ୍ୟାଳୟ ପରିସରସ୍ଥ ତାଙ୍କର ପ୍ରକୋଷ୍ଠ ତାଲାବନ୍ଦ ଅବସ୍ଥାରେ ରହିଥିବା ବେଳେ ସେ ବ୍ଲକ କାର୍ଯ୍ୟାଳୟ ପିଣ୍ଡା ମାଡୁନଥିବା ଜଣାଯାଇଛି। ସ୍ଥାନୀୟ ବିଜେପିରେ ତାଙ୍କୁ କୁଆଡେ ଏକପ୍ରକାର କୋଣଠେସା କରାଯାଇଥିବା ସହ ପ୍ରଭାବୀ ରାଜନୈତିକ ଷଡଯନ୍ତ୍ରରେ ତାଙ୍କ ସ୍ଵାମୀଙ୍କ ବ୍ୟବସାୟରେ ବିପର୍ଯ୍ୟୟ ଘଟାଇଥିବା ହେତୁ ସେ ଦଳ ପ୍ରତି ବିତୃଷ୍ଣ ହୋଇଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ଅନ୍ୟପକ୍ଷରେ ଚଳିତ ମାସ ଗତ ୧୨ ତାରିଖରେ ବି.ବ୍ରହ୍ମପୁର ଗ୍ରାମସ୍ଥ କଦମ୍ବମଠ ପରିସରରେ ବିଜେଡି ପକ୍ଷରୁ ଆୟୋଜିତ ସାଂଗଠନିକ ବୈଠକ ଅବସରରେ ପ୍ରାକ୍ତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ଅଧ୍ୟକ୍ଷାଙ୍କ ସ୍ଵାମୀ କେ.ନୀଳମାଧବ ଆଚାରୀ ତାଙ୍କର କେତେକ ସମର୍ଥକ ସହ ବିଜେଡିକୁ ଫେରିଥିବାରୁ ଆଗାମୀ ଦିନରେ ଅଧ୍ୟକ୍ଷା ମଧ୍ୟ ବିଜେପିକୁ ବାଏ ବାଏ କରି ବିଜେଡିରେ ଯୋଗ ଦେବାକୁ ଯାଉଥିବା ନେଇ ଅଞ୍ଚଳର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିବା ଦେଖିବାକୁ ମିଳୁଛି ।






