ଏ.କେ ବ୍ୟୁରୋ : ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ତାଏକ୍ୱାଣ୍ଡୋ ପ୍ରତିଯୋଗିତା ୨୦୨୨-୨୩ରେ ବୀରମହାରାଜପୁର ଗାୟତ୍ରୀ ଆବାସିକ ଶିକ୍ଷ୍ୟା ନିକେତନର ଛାତ୍ର ଲିପୁନ ସେଠୀ ରୋପ୍ୟ ପଦକ ହାସଲ କରି ବିଦ୍ୟାଳୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।
କେନ୍ଦୁଝର ଜିଲ୍ଲା ଘଟଗାଁସ୍ଥିତ ଧରଣୀଧର କ୍ରୀଡ଼ା ପରିସରରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। 
ସେପ୍ଟେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତାରେ ୧୪ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗର ବିଭିନ୍ନ ଜିଲ୍ଲାର ଖେଳାଳିମାନେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ପର୍ଯ୍ୟାୟରେ ଦକ୍ଷତା ପ୍ରଦର୍ଶନ କରି ଲିପୁନ ସେଠୀ ରୋପ୍ୟ ପଦକ ହାସଲ କରିଥିଲେ। ତାଙ୍କ ଏହି ସଫଳତା ପରେ ଗାୟତ୍ରୀ ଆବାସିକ ଶିକ୍ଷ୍ୟା ନିକେତନର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ମହଲରେ ଆନନ୍ଦ ପ୍ରକାଶ ପାଇଛି।
ପ୍ରତିଯୋଗିତାର ଉଦ୍ଯାପନୀ ତଥା ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ, କ୍ରୀଡ଼ା ପ୍ରଶିକ୍ଷକ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ବିଜେତା ଖେଳାଳିମାନଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ ସହ ଉତ୍ସାହିତ କରିଥିଲେ।
ଲିପୁନଙ୍କ ଏହି ସଫଳତା ଗ୍ରାମାଞ୍ଚଳରେ କ୍ରୀଡ଼ା ପ୍ରତିଭାର ବିକାଶ ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତାଏକ୍ୱାଣ୍ଡୋ ଭଳି କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧିରେ ପ୍ରେରଣା ଯୋଗାଇବ ବୋଲି ବିଦ୍ୟାଳୟ ପକ୍ଷରୁ କୁହାଯାଇଛି। (ବୀରମହାରାଜପୁର ରୁ ଯୁଧିଷ୍ଠିର ଖମାରୀ )






