ଏ.କେ ବ୍ୟୁରୋ : ୩ଦିନ ଧରି ଲଗାଣ ବର୍ଷାରେ ପାହାଡ ଧସି କୋରାପୁଟ ରାୟଗଡା କେ ଆର ଲାଇନ ଅବରୋଧ ହୋଇଥିବା ଜଣାପଡିଛି । ଭୁସ୍ଖଳନ ଘଟି ଲେଲ୍ଲିଗୁମା ଓ ରାଉଳି ଷ୍ଟେସନ୍ ମଧ୍ୟରେ ଥିବା ଟନେଲ୍ ନମ୍ବର ୩ନିକଟରେ ରେଳ ଧାରଣା ଉପରେ ମାଟି ଅତଡ଼ା ଖସିଯାଇଥିଲା । ଫଳରେ କୋରାପୁଟ – ରାୟଗଡ଼ା (କେଆର୍) ରେଳପଥରେ ଟ୍ରେନ ଚଳାଚଳ ପ୍ରାୟ ୩ଘଣ୍ଟା ଧରି ବାଧାପ୍ରପ୍ତ ହୋଇଥିଲା । ଆଜି ଭୁସ୍ଖଳନ ଖବର ପାଇବା ପରେ ରାୟଗଡ଼ା ଠାରୁ ବିଭାଗର ଏକ ସ୍ବତନ୍ତ୍ର ବୈଷୟିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ରେଳ ଧାରଣାରୁ ମାଟି ହଟାଇଥିଲେ ।

ରେଳ ଟ୍ରାକ୍ ଉପରୁ ସମସ୍ତ ମାଟିକୁ ହଟାଇବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା। ମଧ୍ୟାହ୍ନ ୨ଟା ସମୟରେ ରେଳ ଧାରଣା ସଫା ହୋଇଥିଲା। ତେବେ କିଛି ସ୍ଥାନରେ ରେଳ ଧାରଣା ଉପରେ ବର୍ଷା ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା । ବର୍ଷା ହେଲେ ପୁଣି କେ.ଆର ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ରାୟଗଡା ରେଳ ଡିଭିଜନ ତରଫରୁ ବର୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ରେଳବାୟି ସୂଚନା ଦେଇଥିଲା । ସିକରପାଇ ଷ୍ଟେସନ ଠାରୁ ପାହାଡିଆ ରାସ୍ତାରେ କେ ଆର ଲାଇନ ଭାଲୁମସ୍କା, ଲେଲିଗୁମା, ରାଉଳି, ସିଙ୍ଗାରାମ, ଷ୍ଟେସନ ନିକଟରେ ଟ୍ରାକ ଉପରେ ପାଣି ଜମି ରହିଥିବା କୁହାଯାଇଛି ।

ଘଟଣା ସ୍ଥଳକୁ ରାୟଗଡା ରେଳ ଡିଭିଜନର ଡିଆରଏମ ଅମିତାଭ ସିଂଘଲଙ୍କ ସମେତ ଅନ୍ୟାନ୍ୟ ସୁରକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଁଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ବିଶାଖାପାଟଣା କୋରାପୁଟ ଡିଏମୟୁ ୪ଘଣ୍ଟା ବିଳମ୍ବରେ ଚାଲୁଥିବା ସୂଚନାରୁ ଜଣାପଡିଛି । କିଛି ମାସ ତଳେ ଲଗାଣ ବର୍ଷା ହେବା ଫଳରେ ଟିକିରି ରେଳ ଷ୍ଟେସନ ଲାଇନ ବର୍ଷା ପାଣିରେ ବୁଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । କୋରାପୁଟ-ରାୟଗଡା ରେଳ ଡିଭିଜନର ୧୬୫ କିଲୋମିଟର ଦୈର୍ଘ୍ୟରେ କେ.ଆର ଲାଇନରେ ଦ୍ବିତୀୟ ଲାଇନ ନିର୍ମାଣ କାର୍ଯ୍ୟ ଚାଲୁରହିଛି । ପ୍ରମୁଖ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଟିକିରି ଏବଂ ଭାଲୁମାସ୍କା ଷ୍ଟେସନ ମଧ୍ୟରେ ୪୫.୪୬ କିଲୋମିଟର ଦୂରତା ବିଶିଷ୍ଟ ରେଳ ସେକ୍ସନ ମଧ୍ୟରେ ବାରମ୍ବାର ଭୁସ୍ଖଳନ ହେଉଛି । ସୂଚନାରୁ ଜଣାପଡିଛି କୋରାପୁଟ-ରାୟଗଡା ରେଳ ମାର୍ଗରେ ୩୬ ଟି ଟନେଲ୍ ଥିବାବେଳେ ଦୋହରୀକରଣ କାର୍ଯ୍ୟରେ ୩୨ଟି ଟନେଲ ନିର୍ମାଣ କରାଯିବାକୁ ଯୋଜନା କରାଯାଇଅଛି । ସେଥିମଧ୍ୟରେ ଟିକିରି ଏବଂ ଭାଲୁମାସ୍କା ମଧ୍ୟରେ ୧୯ ଗୋଟି, ଭାଲୁମାସ୍କା ଏବଂ ସିଙ୍ଗାପୁର ରୋଡ୍ ମଧ୍ୟରେ ୯ ଗୋଟି ଏବଂ ବାଇଗୁଡା ଏବଂ ଲକ୍ଷ୍ମୀପୁର ରୋଡ୍ ମଧ୍ୟରେ ୪ ଗୋଟି ଟନେଲ ଅନ୍ତର୍ଭୁକ୍ତ । ଗୋଟିଏ ପାର୍ଶ୍ୱରେ ପାହାଡ ଦ୍ୱାରା ସୀମାନ୍ତ ଥିବାବେଳେ ଅନ୍ୟ ପାର୍ଶ୍ୱରେ ୧୦୦ ମିଟରରୁ ଅଧିକ ଖାଇ ଅବସ୍ଥିତ ।






