ଏ.କେ ବ୍ୟୁରୋ : ଜଳବନ୍ଦୀରେ ବ୍ରହ୍ମପୁର ସହରର ନନ୍ଦୀ ବିହାର । ଲୋକେ ୫ ଦିନ ହେବ ପାଣି ଘେରରେ ଅଛନ୍ତି । ଯେଉଁଆଡ଼େ ଦେଖିଲେ ପାଣି, ରାସ୍ତା ଉପରେ ପାଣି, ନାଳ ଉପରେ ପାଣି, ଘର ଭିତରେ ପାଣି । ଆଉ ପାଣି ସ୍ରୋତ ପ୍ରଭାବରେ କଂକ୍ରିଟ ରାସ୍ତା ଧୋଇ ହୋଇ ଯାଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ନନ୍ଦୀ ବିହାର ଅଂଚଳରେ । ଖବର ପାଇ ମେୟର ସଂଘମିତ୍ରା ଦଳେଇ ସେହି ଅଞ୍ଚଳ କୁ ଯାଇ ଲୋକଙ୍କୁ ଭେଟିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏପରି ସ୍ଥିତି ପୂର୍ବରୁ କେବେ ହୋଇନଥିବା କଥା କହିଛନ୍ତି ଅଞ୍ଚଳ ବାସିନ୍ଦା ।

ଲଘୁଚାପ ଜନିତ ଲଗାଣ ବର୍ଷାରେ ଭଦ୍ରକ ସହରରେ ଜନଜୀବନ ଅସ୍ତବ୍ୟସ୍ତ । ସହରର ବିଭିନ୍ନ ତଳିଆ ଅଂଚଳରେ ବର୍ଷା ପାଣି ଲୋକଙ୍କ ଘରେ ପଶିଛି । ସହରର କଚେରୀ ବଜାର, ଓଟି ମାର୍କେଟ, ନରିପୁର, ଜଗନାଥ ପୁର, ସାମରାଇପୁର ଆଦି ଅଂଚଳରେ ଲୋକଙ୍କ ଘରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ଘର ଭିତରେ ପାଣି ଜମିରହିବାରୁ ଆସବାବପତ୍ର ସବୁ ନଷ୍ଟ ହୋଇଯାଇଛି । ଲୋକଙ୍କ ଘରେ ଚୁଲି ଜଳୁନି । ପିଲାଛୁଆ ଧରି ଖଟ ଉପରେ ବସି ରହିଛନ୍ତି । ପାଣି ନିଷ୍କାସନର ସୁବିଧା ନଥିବାରୁ ସହରରେ ଏପରି ଜଳବନ୍ଦୀ ସମସ୍ୟା ଉପୁଜିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।






