ବର୍ତ୍ତମାନର ବଡ଼ ଖବର ନିଆଳି ରାଜନୀତିରୁ। ବିଜେପିରୁ ନିଲମ୍ବିତ ହେଲେ ଶଶିକାନ୍ତ ଲେଙ୍କା, ଯିଏ ଆଲୋକ ଲେଙ୍କା ନାମରେ ମଧ୍ୟ ପରିଚିତ। ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗତକାଲି ଲକ୍ଷ୍ମୀସାଗର ଥାନା ପୋଲିସ ତାଙ୍କୁ ଗିରଫ କରିଥିବା ବେଳେ, ଏବେ ଦଳୀୟ ଅନୁଶାସନ ଭଙ୍ଗ ଓ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ବିଜେପି ପକ୍ଷରୁ ନିଆଯାଇଛି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ।
ସୂଚନା ଅନୁଯାୟୀ, ଶଶିକାନ୍ତ ଲେଙ୍କାଙ୍କୁ ଜଣେ ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ଗତକାଲି ଲକ୍ଷ୍ମୀସାଗର ଥାନା ପୋଲିସ ଗିରଫ କରିଥିଲା। ଏହି ଘଟଣାକୁ ନେଇ ନିଆଳି ଅଞ୍ଚଳରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଥିଲା।
ଅନ୍ୟପଟେ, ଏହି ଘଟଣାକୁ ନେଇ ନିଆଳି ବିଜେଡି ପକ୍ଷରୁ ରାଜ୍ୟ ସରକାରଙ୍କୁ ଘେରିବା ସହ ମୁଖ୍ୟମନ୍ତ୍ରୀ ଏବଂ ସ୍ଥାନୀୟ ବିଧାୟକଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ଟାଣିଥିଲା। ଯାହାକୁ ନେଇ ନିଆଳି ରାଜନୀତିରେ ଆରମ୍ଭ ହୋଇଥିଲା ନୂଆ ଚର୍ଚ୍ଚା।

ଏହାରି ମଧ୍ୟରେ ବିଜେପି ପକ୍ଷରୁ ଆସିଛି ବଡ଼ ନିଷ୍ପତ୍ତି। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ, ବିଶୃଙ୍ଖଳିତ ଆଚରଣ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ କଟକ ଜିଲ୍ଲା ନିଆଳିର ଶ୍ରୀ ଶଶିକାନ୍ତ ଲେଙ୍କାଙ୍କୁ ଦଳରୁ ନିଲମ୍ବନ କରାଯାଇଛି।
ଏନେଇ ବିଜେପିର ଶୃଙ୍ଖଳା କମିଟିର ରାଜ୍ୟ ଆବାହକ ଶ୍ରୀ ସୁଦର୍ଶନ ନାୟକ ଆନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି।
ତେବେ ଏହି ଘଟଣା ପରେ ନିଆଳି ରାଜନୀତିରେ ଏହାର କି ପ୍ରଭାବ ପଡ଼ିବ, ବିଜେପି ସଂଗଠନ ଉପରେ ଏହାର ପ୍ରଭାବ କେତେ ରହିବ ଏବଂ ବିରୋଧୀ ଦଳ ଏହି ପ୍ରସଙ୍ଗକୁ କେଉଁଭଳି ଭାବେ ଉଠାଇବେ, ତାହା ଏବେ ଦେଖିବାର ବିଷୟ।
ବ୍ୟୁରୋ ରିପୋର୍ଟ ଆପଣଙ୍କ ଖବର






