ନିଶାମୁକ୍ତ ଓଡ଼ିଶା ଅଭିଯାନ ଓ ସାଇବର ଅପରାଧ ନିବାରଣ ଉପରେ ସଚେତନତା
ଗମ୍ଭାରୀମୁଣ୍ଡା ବିଏଚ୍ ଅଞ୍ଚଳରେ ପୋଲିସ ପକ୍ଷରୁ ‘ଆମ ପୋଲିସ’ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିଶାମୁକ୍ତ ଓଡ଼ିଶା ଅଭିଯାନ ଏବଂ ସାଇବର ଅପରାଧରୁ ରକ୍ଷା ପାଇବା ନେଇ ଏକ ବିଶେଷ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ବୈଠକରେ ଗ୍ରାମର ପ୍ରାୟ ୩୦ ଜଣ ମୁରବୀ ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ବୈଠକରେ ମୁଖ୍ୟତଃ ନିଶାମୁକ୍ତ ଓଡ଼ିଶା ଗଠନ ଏବଂ ସାଇବର ଅପରାଧ ନିୟନ୍ତ୍ରଣ ଉପରେ ଆଲୋଚନା କରାଯାଇଥିଲା।
ପୋଲିସ ଅଧିକାରୀମାନେ ନିଶା ସେବନର ଭୟାବହତା ଓ ଏହାର ସାମାଜିକ କୁପ୍ରଭାବ ସମ୍ପର୍କରେ ଗ୍ରାମବାସୀଙ୍କୁ ବୁଝାଇଥିଲେ। ଏଥିସହ ନିଶା କାରବାର ଓ ନିଶା ସେବନଠାରୁ ଦୂରେଇ ରହିବା ସହ ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ସେହିପରି ବର୍ତ୍ତମାନ ବଢ଼ୁଥିବା ସାଇବର ଠକେଇ, ଓଟିପି ଫ୍ରଡ୍ ଓ ନକଲି ଲିଙ୍କ୍ ମାଧ୍ୟମରେ ହେଉଥିବା ଅପରାଧ ସମ୍ପର୍କରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଇଥିଲା। ଅଜଣା ନମ୍ବରରୁ ଆସୁଥିବା ଫୋନ୍ କଲ୍ ଓ ସନ୍ଦେହଜନକ ଲିଙ୍କ୍ ପ୍ରତି ସତର୍କ ରହିବା ସହ କୌଣସି ପରିସ୍ଥିତିରେ ନିଜର ଓଟିପି, ବ୍ୟାଙ୍କ୍ ତଥ୍ୟ ଓ ବ୍ୟକ୍ତିଗତ ସୂଚନା ଅନ୍ୟକୁ ନଦେବା ପାଇଁ ପରାମର୍ଶ ଦିଆଯାଇଥିଲା।
ବୈଠକରେ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ଓ ସହଭାଗିତାକୁ ପୋଲିସ ପକ୍ଷରୁ ପ୍ରଶଂସା କରାଯାଇଥିଲା। ଏଥିସହ ଆଗାମୀ ଦିନରେ ମଧ୍ୟ ଜନସାଧାରଣଙ୍କ ସହ ପୋଲିସର ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ବିଭିନ୍ନ ସାମାଜିକ ପ୍ରସଙ୍ଗରେ ସଚେତନତା ସୃଷ୍ଟି ପାଇଁ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।






