ବୌଦ୍ଧ ଜିଲ୍ଲା ଟାଉନ୍ ହଲ୍ଠାରେ ନଭେମ୍ବର ୬ ତାରିଖରେ ଶ୍ରୀଅନ୍ନ ଅଭିଯାନ ଅନ୍ତର୍ଗତ ମାଣ୍ଡିଆ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ମାଣ୍ଡିଆ ସମେତ ବିଭିନ୍ନ କ୍ଷୁଦ୍ର ଶସ୍ୟର ଚାଷକୁ ପ୍ରୋତ୍ସାହନ ଦେବା ସହ ଶ୍ରୀଅନ୍ନର ଉତ୍ପାଦନ ବୃଦ୍ଧି ଏବଂ ଏହାକୁ ଆଧାର କରି ପ୍ରସ୍ତୁତ ପୁଷ୍ଟିକର ଖାଦ୍ୟର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଗୌରୀଶଙ୍କର ମିଶ୍ର, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଡେପୁଟି କଲେକ୍ଟର (ସଂସ୍କୃତି) ଅଙ୍କିତା ସାହୁ ଏବଂ କୃଷି ବିଜ୍ଞାନ କେନ୍ଦ୍ର (KVK)ର ମୁଖ୍ୟ ବୈଜ୍ଞାନିକ ଡ. ତପନ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ।

ଏହି ଉତ୍ସବରେ ଶ୍ରୀଅନ୍ନ ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କୃଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଏବଂ କୃଷକ ଉତ୍ପାଦକ ସଂଗଠନ (FPO)ମାନଙ୍କୁ ସେମାନଙ୍କର ଅବଦାନ ପାଇଁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।
ମାଣ୍ଡିଆ କେବଳ ଏକ ଶସ୍ୟ ନୁହେଁ, ବରଂ ଏହା ପୁଷ୍ଟିକର ଖାଦ୍ୟ ଓ ଚାଷୀଙ୍କ ଆର୍ଥିକ ସମୃଦ୍ଧିର ଏକ ମାଧ୍ୟମ। ଏହାର ଚାଷ ଓ ବ୍ୟବହାର ବୃଦ୍ଧି ପାଇଲେ ଚାଷୀଙ୍କ ଆୟ ବୃଦ୍ଧି ସହ ସାଧାରଣ ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ମିଳିପାରିବ ବୋଲି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଥିଲା।
ବୌଦ୍ଧରୁ କୃତିବାସ ପଳିଆଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ, ଆପଣଙ୍କ ଖବର।






