କୋମନା: ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ନିଷ୍ଠାପର କାର୍ଯ୍ୟଦକ୍ଷତା ଓ ଉତ୍କୃଷ୍ଟ ଶିକ୍ଷାଦାନ ପାଇଁ ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ୍ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କୁଟେନଛୁଆଁର ହିନ୍ଦୀ ଶିକ୍ଷକ ଶ୍ରୀ ମାନସ ରଞ୍ଜନ ପାଣ୍ଡେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ସମ୍ମାନଜନକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।
ଶ୍ରୀଯୁକ୍ତ ପାଣ୍ଡେ ଜଣେ ଦକ୍ଷ, କର୍ତ୍ତବ୍ୟନିଷ୍ଠ ଓ ଉତ୍ସର୍ଗୀକୃତ ଶିକ୍ଷକ ଭାବେ ଦୀର୍ଘଦିନ ଧରି ଛାତ୍ରୀମାନଙ୍କ ମଧ୍ୟରେ ହିନ୍ଦୀ ଭାଷା ଓ ସାହିତ୍ୟ ପ୍ରତି ଆଗ୍ରହ ଓ ଜିଜ୍ଞାସା ସୃଷ୍ଟି କରିବା ସହ ସେମାନଙ୍କ ଶିକ୍ଷାଗତ ଉନ୍ନତି ଦିଗରେ ନିରନ୍ତର ପ୍ରୟାସ କରିଆସୁଛନ୍ତି। ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ବିଦ୍ୟାଳୟ ସମେତ ସମଗ୍ର ଅଞ୍ଚଳ ପାଇଁ ଗୌରବ ଓ ଆନନ୍ଦର ବିଷୟ ପାଲଟିଛି।
ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସହକର୍ମୀ ଶିକ୍ଷକ-ଶିକ୍ଷୟିତ୍ରୀ, ସମସ୍ତ କର୍ମଚାରୀ, ଗ୍ରାମବାସୀ, ଅଭିଭାବକ ଓ ଛାତ୍ରୀମାନଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କର ଏହି ସଫଳତା ଅନ୍ୟ ଶିକ୍ଷକମାନଙ୍କ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ହେବ ବୋଲି ଆଶା ପ୍ରକାଶ ପାଇଛି।






