ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ଅଞ୍ଚଳରେ ନିଶା କାରବାର ବିରୋଧରେ ରାଜ୍ୟ ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ (STF) ଏକ ବଡ଼ଧରଣର ସଫଳତା ହାସଲ କରିଛି। ଏକ ସୁଚିନ୍ତିତ ଚଢ଼ାଉରେ STF ଟିମ୍ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଏହି ଅସାଧୁ କାରବାରରେ ସମ୍ପୃକ୍ତ ୩ ଜଣ ଯୁବକଙ୍କୁ ଗିରଫ କରିଛି। ଏଥିସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ହେଉଥିବା ଦୁଇଟି ଚାରିଚକିଆ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଠାକୁରଗଡ଼ ଅଞ୍ଚଳରେ STF ପକ୍ଷରୁ କରାଯାଇଥିବା ଏହି ସ୍ୱତନ୍ତ୍ର ଚଢ଼ାଉ ସମୟରେ ମୋଟ ୪ କ୍ୱିଣ୍ଟାଲ ୧୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ବେଆଇନ ଚାଲାଣରେ ବ୍ୟବହୃତ ହେଉଥିବା:
ଗୋଟିଏ ଟ୍ରାଭେଲର (ପଞ୍ଜୀକରଣ ନମ୍ବର: OD05CL2329) ଏବଂ
ଗୋଟିଏ ବ୍ରେଜା କାର୍ (ପଞ୍ଜୀକରଣ ନମ୍ବର: OD02DL8178) କୁ ଜବତ କରାଯାଇଛି l ଏହି ଘଟଣାରେ STF ପକ୍ଷରୁ ଏନ.ଡି.ପି.ଏସ୍. (NDPS) ଆଇନ ଅନ୍ତର୍ଗତ ଏକ ମାମଲା ରୁଜୁ କରାଯାଇ ଗିରଫ ୩ ଜଣ ଅଭିଯୁକ୍ତଙ୍କୁ ଆଇନଗତ ପ୍ରକ୍ରିୟା ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି।
ତବେ ଏହି ବିପୁଳ ପରିମାଣର ଗଞ୍ଜେଇ କେଉଁଠାରୁ ଅଣାଯାଇଥିଲା ଏବଂ କେଉଁଆଡ଼କୁ ଚାଲାଣ ହେଉଥିଲା, ସେନେଇ ପୁଲିସର ଫରୱାର୍ଡ ଏବଂ ବ୍ୟାକୱାର୍ଡ ଲିଙ୍କେଜ୍ (Forward and Backward Linkage) ତଦନ୍ତ ଜାରି ରହିଛି। ଏହି ନିଶା କାରବାର ପଛରେ କୌଣସି ବଡ଼ ରାକେଟ୍ କିମ୍ବା ଅନ୍ୟମାନଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେ ନେଇ ଅଧିକ ଖୋଳତାଡ଼ କରାଯାଉଛି। ଆଠମଲ୍ଲିକ ଓ ଆଖପାଖ ଅଞ୍ଚଳରେ ନିଶା କାରବାରର ମେରୁଦଣ୍ଡ ଭାଙ୍ଗିବା ଦିଗରେ STF ର ଏହି କଠୋର ପଦକ୍ଷେପକୁ ଅଞ୍ଚଳର ବୁଦ୍ଧିଜୀବୀ ଓ ସାଧାରଣ ଜନତା ସ୍ୱାଗତ କରିଛନ୍ତି।ଅନୁଗୋଳ ରୁ ଶ୍ୟାମଘନ ନାୟକ
ଆଠମଲ୍ଲିକରେ STFର ବଡ଼ଧରଣର ଚଢ଼ାଉ: ୪ କ୍ୱିଣ୍ଟାଲ ୧୦ କିଲୋ ଗଞ୍ଜେଇ ଜବତ, ୩ ଗିରଫ






