ପୁରୁଷୋତ୍ତମପୁର, ୧୫/୧୧ (ତ୍ରିଲୋଚନ ଦାଶ): ଭତ୍ତା ଟଙ୍କା ପାଇବା ଆଶାରେ ଦୂରଦୂରାନ୍ତରୁ ଧାଇଁ ଆସିଥିବା ନୂତନ ହିତାଧିକାରୀଙ୍କୁ ଶେଷରେ ମିଳିଲା ଦୀର୍ଘ ଅପେକ୍ଷା ଓ ନିରାଶା। ସକାଳୁ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଦିନତମାମ ଭୋକ ଉପାସରେ ବସି ରହିଥିଲେ ମଧ୍ୟ ରାତି ପର୍ଯ୍ୟନ୍ତ ଭତ୍ତା ଟଙ୍କା ମିଳିବାର କୌଣସି ସୂଚନା ମିଳିନଥିଲା। ଏଭଳି ଏକ ଅଭାବନୀୟ ଘଟଣା ପୁରୁଷୋତ୍ତମପୁର ବ୍ଲକରେ ଦେଖିବାକୁ ମିଳିଛି।
ଅଭିଯୋଗ ଅନୁଯାୟୀ, ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ଦେଖା ନମିଳିବାରୁ ହିତାଧିକାରୀମାନେ ବିଏସ୍ଏସ୍ଓଙ୍କୁ ଫୋନ୍ କରିଥିଲେ। କିନ୍ତୁ ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିବା ସେମାନେ କହିଛନ୍ତି। ଫଳରେ ବ୍ଲକ ପରିସରରେ ହୋହଲ୍ଲା ଓ ଅସନ୍ତୋଷ ଦେଖାଦେଇଥିଲା। ଏହାକୁ ନେଇ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା।
ପରେ ସ୍ଥାନୀୟ ତହସିଲଦାର ବିନୋଦ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ହିତାଧିକାରୀଙ୍କ ସମସ୍ୟା ଶୁଣିଥିଲେ। ସେ ବିଡିଓ ଦେବାଶିଷ ସାମଲଙ୍କ ସହ ଆଲୋଚନା କରିବା ପରେ ଶେଷରେ ହିତାଧିକାରୀମାନଙ୍କୁ ଭତ୍ତା ଟଙ୍କା ପ୍ରଦାନ କରାଯାଇଥିଲା।
ଗରିବ, ଅସହାୟ ଓ ଭତ୍ତା ଉପରେ ନିର୍ଭରଶୀଳ ଲୋକଙ୍କୁ ନିଜର ହକ୍ର ଟଙ୍କା ପାଇବା ପାଇଁ ଦିନତମାମ ଭୋକ ଉପାସରେ ଅପେକ୍ଷା କରିବାକୁ ପଡ଼ିବା ଘଟଣା ପ୍ରଶାସନିକ ବ୍ୟବସ୍ଥାର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛି। ଗରିବ ଓ ଅସହାୟ ଲୋକଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଭତ୍ତା ଯୋଜନା ଯଦି ଏଭଳି ହଇରାଣ ଓ ହଟହଟାର କାରଣ ହୁଏ, ତେବେ ଏହାଠାରୁ ବଡ଼ ପ୍ରଶାସନିକ ବିଡ଼ମ୍ବନା ଆଉ କ’ଣ ହୋଇପାରେ? ଲୋକଙ୍କ ନିଜସ୍ୱ ହକ୍ର ଟଙ୍କା ପାଇବା ପାଇଁ ସେମାନଙ୍କୁ ଦିନସାରା ବ୍ଲକ କାର୍ଯ୍ୟାଳୟରେ ବସାଇ ରଖିବା କେଉଁ ପ୍ରକାରର ଜନସେବା?
ସରକାର ଗରିବଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିବା ସହ ଏଥିପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି। କିନ୍ତୁ ତୃଣମୂଳ ସ୍ତରରେ ଯଦି ହିତାଧିକାରୀଙ୍କୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼େ, ତେବେ ଯୋଜନାର ସଫଳ ରୂପାୟନକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।
ଏହି ଘଟଣା ପାଇଁ ଦାୟୀ କିଏ? ବିଏସ୍ଏସ୍ଓଙ୍କ ଫୋନ୍ କାହିଁକି ସୁଇଚ୍ ଅଫ୍ ଥିଲା? ଦାୟିତ୍ୱରେ ଥିବା ଅଧିକାରୀମାନେ କାହିଁକି ସମୟୋଚିତ ଭାବେ ହିତାଧିକାରୀଙ୍କ ସମସ୍ୟାର ସମାଧାନ କଲେ ନାହିଁ? ଏହି ସମସ୍ତ ଦିଗର ନିରପେକ୍ଷ ତଦନ୍ତ କରି ଦାୟିତ୍ୱହୀନତା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ଉଚିତ୍ ପଦକ୍ଷେପ ନେବାକୁ ଜନସାଧାରଣଙ୍କ ମଧ୍ୟରେ ଦାବି ଜୋର ଧରିଛି।






