ସମ୍ବଲପୁର, : ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ମହାନ ପର୍ବ ‘ଦଶମ ଜାତୀୟ ଡୁମାଳ ଦିବସ’ ଆସନ୍ତା ଡିସେମ୍ବର ୨୦ ତାରିଖରେ ଦେଶର ରାଜଧାନୀ ନୂଆଦିଲ୍ଲୀଠାରେ ଅତ୍ୟନ୍ତ ଭବ୍ୟ ଓ ଆଡ଼ମ୍ବରପୂର୍ଣ୍ଣ ପରିବେଶ ମଧ୍ୟରେ ଆୟୋଜିତ ହେବାକୁ ଯାଉଅଛି । ଏହି ମହନୀୟ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିବା ସହିତ ତଦୁପଲକ୍ଷେ ପ୍ରକାଶିତ ହେବାକୁ ଥିବା ବିଶେଷ ସ୍ମରଣିକା “ମାହେଶ୍ୱରୀ ସଂସ୍କୃତି” ନିମନ୍ତେ ନିଜର ମୂଲ୍ୟବାନ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିବାକୁ, ଆଜି ମାହେଶ୍ୱରୀ ସଂସ୍କୃତି ପରିଷଦର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ସମ୍ବଲପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜୟ ନାରାୟଣ ମିଶ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ ପୂର୍ବକ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପ୍ରଦାନ କରିଛନ୍ତି ।
ଏହି ଗୌରବମୟ ପ୍ରତିନିଧି ମଣ୍ଡଳୀରେ ମାହେଶ୍ୱରୀ ସଂସ୍କୃତି ପରିଷଦର ବରିଷ୍ଠ ଉପଦେଷ୍ଟା ଶ୍ରୀ ଚିତ୍ତରଞ୍ଜନ ଗଡ଼ତିଆ, ମୁଖ୍ୟ ସଂଯୋଜକ ଶ୍ରୀ କୃତ୍ତିବାସ ପଲିଆ, ସହ-ସଂଯୋଜକ ଶ୍ରୀ ସମିତ ମହାକୁର, ଶ୍ରୀ ବିଜୟ କେତନ ମେଣ୍ଡିଲି, ଶ୍ରୀ ଅରୁଣ କୁମାର ମେଣ୍ଡିଲି, ଶ୍ରୀ ସୂର୍ଯ୍ୟ ନାରାୟଣ ପ୍ରଧାନ, ଶ୍ରୀ ସତ୍ୟପ୍ରିୟ ପ୍ରଧାନ, ଶ୍ରୀ ସୁନିଲ ମହାକୁର, ଶ୍ରୀ ପ୍ରଣୟ ମହାକୁର ଏବଂ ଶ୍ରୀ ବାବୁଲା ମହାକୁଡ଼ ପ୍ରମୁଖ ସାମିଲ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଏହି ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତକାର ଅବସରରେ ସମ୍ବଲପୁର ନିର୍ବାଚନ ମଣ୍ଡଳୀ ତଥା ଆଖପାଖ ଅଞ୍ଚଳରେ ଅବସ୍ଥିତ ଆରାଧ୍ୟ ଦେବୀ ମା’ ମାହେଶ୍ୱରୀଙ୍କ ମନ୍ଦିରଗୁଡ଼ିକର ସର୍ବାଙ୍ଗୀନ ଉନ୍ନତିକରଣ ଏବଂ ସଂସ୍କୃତି ଭବନର ନବକଳେବର ଓ ବିକାଶ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିନିଧି ମଣ୍ଡଳୀ ପକ୍ଷରୁ ମାନ୍ୟବର ବିଧାୟକଙ୍କ ସଦୟ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଶ୍ରୀ ମିଶ୍ର ଏହି ସମସ୍ତ ପ୍ରସ୍ତାବକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରିବା ସହିତ ଆଗାମୀ ଦିନରେ ଏହାର ସଫଳ ରୂପାୟନ ନିମନ୍ତେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ସାକ୍ଷାତ କରାଇବାରେ ସମ୍ବଲପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସମ୍ପାଦକ ତଥା ବିଶିଷ୍ଟ ଗୋ ଭକ୍ତ ଆଲୋକ ପଣ୍ଡା ସହଯୋଗ କରିଥିଲେ l
ଦଶମ ଜାତୀୟ ଡୁମାଳ ଦିବସ ଉପଲକ୍ଷେ ସମ୍ବଲପୁର ବିଧାୟକ ଶ୍ରୀଯୁକ୍ତ ଜୟ ନାରାୟଣ ମିଶ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଓ ଆନୁଷ୍ଠାନିକ ନିମନ୍ତ୍ରଣ






