ଏ.କେ. ବ୍ୟୁରୋ: ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଆଜି ଯୋଡ଼ି ହୋଇଛି ଏକ ନୂଆ ସଫଳତା। ଓଡ଼ିଶା ଉପକୂଳରୁ ଅତ୍ୟାଧୁନିକ ‘ଅଗ୍ନି’ ମିସାଇଲର ସଫଳ ପରୀକ୍ଷଣ କରିଛି ଭାରତ। ଏହି ମିସାଇଲର ବିଶେଷତ୍ୱ ହେଉଛି, ଏହା ଏକାସାଙ୍ଗରେ ବିଭିନ୍ନ ସ୍ଥାନରେ ଥିବା ଏକାଧିକ ଶତ୍ରୁ ଶିବିରକୁ ଧ୍ୱଂସ କରିବାର କ୍ଷମତା ରଖିଛି। ଶୁକ୍ରବାର ଓଡ଼ିଶାର ଅବଦୁଲ କଲାମ ଦ୍ୱୀପରୁ ଏହି ଅତ୍ୟାଧୁନିକ ଅଗ୍ନି ମିସାଇଲର ଉତକ୍ଷେପଣ କରାଯାଇଥିଲା।

ଏଥିରେ MIRV (Multiple Independently Targeted Re-entry Vehicle) ଟେକ୍ନୋଲୋଜି ବ୍ୟବହାର କରାଯାଇଛି। ପରୀକ୍ଷଣ ସମୟରେ ଏହି ମିସାଇଲ୍ ଭାରତ ମହାସାଗର ଅଞ୍ଚଳରେ ଅଲଗା ଅଲଗା ସ୍ଥାନରେ ଥିବା ଏକାଧିକ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଛି। ଏହି ଶକ୍ତିଶାଳୀ କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ବା DRDO ବିକଶିତ କରିଛି। ମିସାଇଲର ଗତିପଥ ଏବଂ ଲକ୍ଷ୍ୟଭେଦକୁ ଭୂମି ଓ ଜାହାଜରେ ଥିବା ଟ୍ରାକିଂ ସିଷ୍ଟମ ଜରିଆରେ ନଜର ରଖାଯାଇଥିଲା। ସମସ୍ତ ମିଶନ ଉଦ୍ଦେଶ୍ୟ ସଫଳତାର ସହ ପୂରଣ ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। “ଏହି ସଫଳ ପରୀକ୍ଷଣ ଦ୍ୱାରା ଦେଶର ପ୍ରତିରକ୍ଷା ପ୍ରସ୍ତୁତି ଆହୁରି ମଜବୁତ ହୋଇଛି। ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ଏହି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଭାରତକୁ ଏକ ଅଦ୍ଭୁତ ଶକ୍ତି ପ୍ରଦାନ କରିବ” ବୋଲି ରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଏହି ଗୋଟିଏ ମିସାଇଲ ସାହାଯ୍ୟରେ ବିଭିନ୍ନ ଭୌଗୋଳିକ ଅଞ୍ଚଳରେ ଥିବା ଏକାଧିକ ରଣନୈତିକ ଲକ୍ଷ୍ୟକୁ ଟାର୍ଗେଟ୍ କରିପାରିବ। ଶତ୍ରୁ ପକ୍ଷର ଆଣ୍ଟି-ମିସାଇଲ୍ ସିଷ୍ଟମକୁ ଚକମା ଦେବାରେ ଏହା ବେଶ୍ ସହାୟକ ହେବ। ଏହି ସଫଳତା ସହ ଭାରତ ଏବେ ବିଶ୍ୱର ସେହି ସୀମିତ ଦେଶଙ୍କ ତାଲିକାରେ ସାମିଲ ହୋଇଛି, ଯାହାଙ୍କ ପାଖରେ MIRV ଟେକ୍ନୋଲୋଜି ରହିଛି।






