ଭୁବନେଶ୍ୱର ଏ.କେ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଜଣେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ଲୋକେ ପିଟି ପିଟି ହତ୍ୟା କରିଦେବା ଘଟଣାରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ଏହି ଘଟଣାରେ ପୁଲିସର ଅବହେଳା ଓ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଆଜି ବାଲିଅନ୍ତା ଥାନା ଆଇଆଇସି ଅନୀଲ ପରିଡ଼ାଙ୍କୁ ବଦଳି କରାଯାଇଛି। ତା’ ସହିତ ଥାନାର ୪ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ଏସ୍ଆଇ, ଜଣେ ଏଏସ୍ଆଇ, ଜଣେ ଓଏପିଏଫ କର୍ମଚାରୀ ଓ ଜଣେ କନଷ୍ଟେବଳ ଅଛନ୍ତି। ସେହିପରି ୨ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି।
ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ଆଜି କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେବା ପରେ ବାଲିଅନ୍ତା ଥାନାର ଏହି ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଦାୟିତ୍ୱ ନେବା ପରେ ବାଲିଅନ୍ତା ଥାନାକୁ ଯାଇ ତଥ୍ୟ ସଂଗ୍ରହ କରିଥିଲା। ତା’ ସହିତ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳକୁ ମଧ୍ୟ ଯାଇ ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ।
ପୁଲିସ୍ ଟିମ୍ର ଉପସ୍ଥିତିରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ଲୋକେ ପିଟି ଥିବା ଅଭିଯୋଗ ହୋଇଥିଲା। ଲୋକେ ତାଙ୍କୁ ମନଇଚ୍ଛା ପିଟୁଥିବା ବେଳେ ପୁଲିସ ନୀରବଦ୍ରଷ୍ଟା ପାଲଟିଥିଲା। ଏମିତିକି ଜଣେ ଏସ୍ଆଇଙ୍କ ନିର୍ଦ୍ଦେଶରେ ସୌମ୍ୟଙ୍କୁ ଗୋଡ଼ହାତ ବନ୍ଧା ଅବସ୍ଥାରେ ଏକ ବାଉଁଶରେ ଭାର କରି ଏକ ମିନି ଟ୍ରକ୍ରେ ପକାଇ ଡାକ୍ତରଖାନା ନିଆଯାଇଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କୁ ଗିରଫ କରାଯାଇଛି। ଦୁଇ ଜଣ ଯୁବତୀଙ୍କୁ ମୃତ ସୌମ୍ୟ ଅସଦାଚରଣ କରିବା ସହ ମାଡ଼ମାରିଥିବା ତଥା ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି କଥାକୁ ନେଇ ଘଟଣାସ୍ଥଳରେ ଜମା ହୋଇଥିବା ଲୋକେ ସୌମ୍ୟଙ୍କୁ ପିଟି ପିଟି ମାରି ଦେଇଥିଲେ। ଅନ୍ୟପକ୍ଷରେ ଯୁବତୀ ଦ୍ୱୟଙ୍କ ଅଭିଯୋଗକୁ ସେଦିନ ସୌମ୍ୟଙ୍କ ସହିତ ଉପସ୍ଥିତ ରହିଥିବା ତାଙ୍କ ସାଙ୍ଗ ଓମ୍ ପ୍ରକାଶ ଖଣ୍ଡନ କରିଛନ୍ତି। ସୌମ୍ୟ ଯୁବତୀ ଦ୍ୱୟଙ୍କୁ ଗାଳିଗୁଲଜ କରିବା ସହିତ ପିଟିଥିବା କଥାକୁ ସେ ସ୍ୱୀକାର କରିଥିବା ବେଳେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହା ସହିତ ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସ କର୍ମଚାରୀ ଓ ଏସ୍ଆଇଙ୍କ ଉପରକୁ ସେ ଅଙ୍ଗୁଳି ଉଠାଇଥିଲେ। ପୁଲିସ ଚାହିଁଥିଲେ ସୌମ୍ୟ ବଞ୍ଚି ଯାଇଥା’ନ୍ତେ ବୋଲି ସେ କହିଥିଲେ।
ଏହି ଘଟଣା ସଂପର୍କରେ ଗତକାଲି ଓମ୍ ପ୍ରକାଶ ଗଣମାଧ୍ୟମରେ ମୁହଁ ଖୋଲଥିଲେ। ସେ କହିଥିଲେ, ତାଙ୍କୁ (ସୌମ୍ୟଙ୍କୁ) ବାତ ମାରିଲା କି କ’ଣ ମୁଁ ଜାଣନି। କିନ୍ତୁ ସେ ମୋତେ ଗାଳିଗୁଲଜ କରି ମୋ ବେକକୁ ଧରି ପକାଇଥିଲେ। ଫଳରେ ମୁଁ ଅଣନିଃଶ୍ୱାସୀ ହୋଇଯାଇଥିଲି। ମୁଁ ଗାଡ଼ି ହ୍ୟାଣ୍ଡେଲ ଛାଡ଼ି ଦେଇ ତାଙ୍କ ହାତକୁ ଭିଡ଼ି ଦେଇଥିଲି। ତା’ ମଧ୍ୟରେ ଗାଡ଼ି ନିୟନ୍ତ୍ରଣ ହରାଇ ସେହି ବାଟ ଦେଇ ଯାଉଥିବା ଦୁଇ ଝିଅଙ୍କ ସ୍କୁଟିରେ ପିଟି ହୋଇଥିଲା। ଫଳରେ ଆମେ ସମସ୍ତେ ପଡ଼ିଗଲୁ। ପଡ଼ିଯିବା ପରେ ସେ ଉଠିପଡ଼ି ସିଧା ସେହି ଦୁଇ ଝିଅଙ୍କ ଉପରକୁ ଡେଇଁ ପଡ଼ିଥିଲେ। ସେ ସେମାନଙ୍କୁ ଗାଳିଗୁଲଜ କରିଥିଲେ। ମୁଁ ତାଙ୍କୁ ଭିଡ଼ି ଆଣିଥିଲି। କିନ୍ତୁ ସେ ମୋତେ ବି ଗାଳି କରିଥିଲେ। ପାଗଳଙ୍କ ଭଳି ହୋଇ ’ତୁ କ’ଣ ମୋତେ ରୋକିବୁ’ କହି ଚିତ୍କାର କରିଥିଲେ। ତା’ ସହିତ ସେ ମୋତେ ପିଟି ଥିଲେ। ସେ ମୋତେ ପିଟିବା ଭିତରେ ତାଙ୍କ ହାତ ମୋ ଆଖିରେ ବାଜିଥିଲା। ମୁଁ ମୋ ଆଖିକୁ ମଳିବା ଭିତରେ ସେ ପୁଣି ସେହି ଝିଅଙ୍କୁ ଆକ୍ରମଣ କରିଥିଲେ। ସେତିକି ବେଳେ ସେଠାରେ ପହଞ୍ଚିଥିବା ୪/୫ ଜଣ ଲୋକ ତାଙ୍କୁ ବାଡ଼େଇବା ପାଇଁ ଆଗେଇ ଆସିଥିଲେ। ତାଙ୍କୁ ସେମାନେ ଗୋଇଠା ମାରିବା ପରେ ସେ ନିକଟରେ ଥିବା ବିଲକୁ ଦୌଡ଼ି ପଳାଇଥିଲେ।
ଓମ ପ୍ରକାଶ କହିଥିଲେ, ରାସ୍ତାରୁ ପ୍ରାୟ ୪୦୦/୫୦୦ ମିଟର ଦୂରକୁ ସୌମ୍ୟ ଦୌଡ଼ି ଯାଇଥିଲେ। ତା’ପରେ ମୁହଁମାଡ଼ି ତଳେ ପଡ଼ି ଯାଇଥିଲେ। ସେତେବେଳକୁ ୧୮/୧୯ ଲୋକ ମୋତେ ଘେରିଗଲେ। କିନ୍ତୁ ସେଠାରେ ପ୍ରାରମ୍ଭରୁ ଥିବା ୫/୬ ଲୋକ ମୋର କିଛି ଦୋଷ ନାହିଁ ବୋଲି ସେମାନଙ୍କୁ କହିଥିଲେ। ତା’ପରେ ସମସ୍ତେ ବିଲକୁ ଦୌଡ଼ି ଥିଲେ। ମୁଁ ରାସ୍ତା ଉପରେ ଛିଡ଼ା ହୋଇଥିଲି। ସେ ଝିଅମାନଙ୍କୁ କିଏ ଆସିକି ନେଲେ, ମୋର ନଜର ନଥିଲା। କିଛି ଲୋକ ମୋତେ ବି ସେଠାକୁ ଡାକି ନେଲେ। ୧୦/୧୫ ମିନିଟ୍ ପରେ ମୋତେ ସେଠାକୁ ନେଇ ଯାଇଥିଲେ। ମୁଁ ପହଞ୍ଚିଲା ବେଳକୁ ତାଙ୍କ (ସୌମ୍ୟଙ୍କ) ହାତଗୋଡ଼କୁ ସେମାନେ ବାନ୍ଧୁଥିଲେ। ସେଠାରେ ଉପସ୍ଥିତ ଲୋକେ ମୋତେ ଦେଖି ଚିହିଁକି ଗଲେ। ମୋତେ ଗାଳିଗୁଲଜ କରିବା ସହିତ ବାଡ଼େଇବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଘଟଣାକୁ ପ୍ରାରମ୍ଭରୁ ଦେଖି ଥିବା ୫/୬ ଜଣ ଲୋକ ମୋତେ ରକ୍ଷା କରିଥିଲେ। ମୋର କିଛି ଦୋଷ ନାହିଁ ବୋଲି ସେମାନେ କହିଥିଲେ। ସେମାନେ କହିଥିଲେ ତା’ର (ସୌମ୍ୟଙ୍କର) ସବୁ ଦୋଷ। ପିସିଆରକୁ ଡାକ। ପିସିଆର ସାଥିରେ ମୋତେ ବି ପଠାଇ ଦେବାକୁ ସେମାନେ କହିଥିଲେ। ତା’ପରେ ପିସିଆରକୁ ଡକା ହେଲା।
ଓମ୍ ପ୍ରକାଶ ଆହୁରି କହିଥିଲେ ପ୍ରଥମେ ଯେଉଁ ପିସିଆର ଆସିଥିଲା ସେମାନେ ଚାହିଁଥିଲେ ସୌମ୍ୟଙ୍କୁ ଉଦ୍ଧାର କରିପାରିଥା’ନ୍ତେ। ସେମାନେ ଉଦ୍ଧାର କଲେନି। ସେମାନେ ଖାଲି ଲେଖାଲେଖି କଲେ। ସେଠାରେ ସେତେବେଳେ ୪୦/୫୦ ଲୋକ ସୌମ୍ୟଙ୍କୁ ପିଟୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ କନଷ୍ଟେବଲ ଫୋନ୍ କରି ଭିଡିଓ ରେକର୍ଡ କରିବ ବୋଲି ଭାବୁଥିଲା ଭଳି ମନେ ହେଉଥିଲା। କିନ୍ତୁ ଭୟରେ ସେ କରୁନଥିଲେ। ପୁଲିସ ଲୋକଙ୍କୁ ଡରୁଥିଲା। ସେଥିପାଇଁ ବୋଧହୁଏ ସେହି କନଷ୍ଟେବଲ ଭିଡିଓ କରିବା ପାଇଁ ଆଗେଇ ଯାଉଥିଲେ ଓ ପରେ ଫେରି ଆସୁଥିଲେ। ତଥାପି ସେ ମୋବାଇଲକୁ ତଳକୁ କରି କିଛି ସମୟ ପାଇଁ ଭିଡିଓ କରିଥିଲେ।
ଦୁଇ ଯୁବତୀ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିଥିବା ବେଳେ ଓମ୍ ପ୍ରକାଶ ଏହାକୁ ଖଣ୍ଡନ କରିଛନ୍ତି। ସେହିପରି ସୌମ୍ୟ ସେମାନଙ୍କୁ ଚୁମା ଦେବାକୁ ଉଦ୍ୟମ କରିଥିବା କଥାକୁ ସେ ଖଣ୍ଡନ କରିଛନ୍ତି। ତେବେ ସେ ଦୁଇ ଯୁବତୀଙ୍କୁ ବାଡ଼େଇ ଥିଲା। ସେହିଭଳି ଦୁଇ ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ସେମାନଙ୍କ ଭିତରୁ ଜଣଙ୍କୁ ସୌମ୍ୟ ରୁମ୍କୁ ଟେକି ନେବାକୁ କହିଥିଲେ। ଏହାକୁ ମଧ୍ୟ ଖଣ୍ଡନ କରିଛନ୍ତି ଓମ୍ ପ୍ରକାଶ।
ଓମଙ୍କ କହିବା ଅନୁଯାୟୀ, ଘଟଣା ବେଳେ ୭୦/୮୦ ଲୋକ ଉପସ୍ଥିତ ଥିଲେ। କିନ୍ତୁ ୧୦/୧୨ ଜଣ ସୌମ୍ୟଙ୍କୁ ପିଟିଥିଲେ। ଯିଏ ଅଟକାଇବା ଚେଷ୍ଟା କରୁଥିଲେ, ଲୋକେ ତାଙ୍କ ଉପରେ ଚଢ଼ାଉ କରୁଥିଲେ। ସୌମ୍ୟଙ୍କର କିଛି ଭୁଲ ନଥିଲା। ସେ ସେହି ଯୁବତୀମାନଙ୍କ ଉପରକୁ ଡେଇଁ ପିଟି ଥିଲା। ସେଥିପାଇଁ ପିସିଆରକୁ ଡାକି ତାଙ୍କୁ ଦେଇ ଦେଇଥା’ନ୍ତ। ସେ ପାଗଳ ବୋଲି ହେଲେ ବୋଲି ତାଙ୍କ ହାତଗୋଡ଼ ବାନ୍ଧି ଦେଇଥିଲେ। ସେ ପର୍ଯ୍ୟନ୍ତ ଠିକ୍ ଥିଲା। କିନ୍ତୁ ହାତଗୋଡ଼ ବାନ୍ଧି ତାଙ୍କ ମୁହଁକୁ ବି ମାରିଥିଲେ। ମୁହଁକୁ ଗୋଇଠା ମାରିଥିଲେ। ବାଉଁଶ ଫାଳିଆରେ ତାଙ୍କ ପିଠିକୁ ପିଟିଥିଲେ। ଯିଏ ଆସୁଥିଲା ମୁହଁକୁ ଗୋଇଠା ମାରୁ ଥିଲା। ବିନା ୟୁନିଫର୍ମରେ ଆସିଥିବା ସେ ଏସ୍ଆଇ ବି ସୌମ୍ୟଙ୍କ ଗୋଡ଼ ଉପରେ ଚଢ଼ି ଯାଇଥିଲେ। ଯେଉଁ ସାର ଲେଖାପଢ଼ା କରୁଥିଲେ, ତାଙ୍କ ଆଗରେ ସୌମ୍ୟଙ୍କୁ ମାଡ଼ ମରାଯାଉଥିଲେ ବି ସେ କିଛି କରୁ ନଥିଲେ। ସେ ଲୋକଙ୍କୁ କିଛି କହି ବି ନଥିଲେ।
ଏହି ଘଟଣାକୁ ନେଇ ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏକ ଜରୁରୀ ବୈଠକ ଡାକି ଉଦବେଗ ବ୍ୟକ୍ତ କରିବା ସହ କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲା। ଏହାସହିତ ପୁଲିସ ଡିଜି ୱାଇବି ଖୁରାନିଆଙ୍କୁ ତାଗିଦ୍ କରି କଡ଼ା ଭାଷାରେ ବର୍ଷିଥିବା ଜଣାପଡ଼ିଛି।






