ଏ.କେ.ବ୍ୟୁରୋ : ଇରାନ ପରେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନଜର ପଡ଼ୋଶୀ କ୍ୟୁବା ଉପରେ ପଡ଼ିଛି। ଆମେରିକା ପକ୍ଷରୁ ବାରମ୍ବାର ମିଳୁଥିବା ଆକ୍ରମଣର ଧମକ ଯୋଗୁଁ କ୍ୟୁବା ନିଜର ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ିଛି। ସମ୍ଭାବ୍ୟ ସାମରିକ ଅଭିଯାନର ମୁକାବିଲା କରିବା ପାଇଁ କ୍ୟୁବା ସାମରିକ ବାହିନୀ ଶନିବାର ଦିନ ତୋପଗୁଳି ସମେତ ଏକ ବଡ଼ ଧରଣର ସାମରିକ ଅଭ୍ୟାସ କରିଥିବା ସରକାରୀ ଟେଲିଭିଜନ ରିପୋର୍ଟ କରିଛି। ଭିଲା କ୍ଲାରାର ସେଣ୍ଟ୍ରୋ ଡି ଏଷ୍ଟୁଡିଓସ୍ ଅଞ୍ଚଳରେ ଅନୁଷ୍ଠିତ ଏହି ଅଭ୍ୟାସରେ ସେନା ଡିଭିଜନ ଜେନେରାଲ ରାଉଲ ଭିଲାର କାସାଲ ଉପସ୍ଥିତ ରହି ସୈନିକମାନଙ୍କ ପ୍ରସ୍ତୁତି ଓ ଯୁଦ୍ଧ ଦକ୍ଷତାର ସମୀକ୍ଷା କରିଛନ୍ତି।
ଇରାନରେ ସାମରିକ ଅଭିଯାନ ଶେଷ ହେବା ମାତ୍ରେ ଆମେରିକା ଯେକୌଣସି ସମୟରେ କ୍ୟୁବା ଉପରେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି। ଏପରି ସ୍ଥିତିରେ କ୍ୟୁବା ସରକାର ସ୍ପଷ୍ଟ କରିଛନ୍ତି ଯେ, ସେମାନେ ଟ୍ରମ୍ପ ପ୍ରଶାସନ ଆଗରେ ମୁଣ୍ଡ ନୁଆଁଇବେ ନାହିଁ ଏବଂ ନିଜର ସାର୍ବଭୌମତ୍ୱ ରକ୍ଷା ପାଇଁ ପ୍ରତ୍ୟେକ ପଦକ୍ଷେପ ଗ୍ରହଣ କରିବେ। ଶନିବାରର ଏହି ସାମରିକ ଅଭ୍ୟାସ ମାଧ୍ୟମରେ କ୍ୟୁବା କେବଳ ନିଜର ପ୍ରସ୍ତୁତି ଦେଖାଇ ନାହିଁ, ବରଂ ଯେକୌଣସି ଆକ୍ରମଣର ଉଚିତ ଜବାବ ଦେବାକୁ ଆମେରିକାକୁ ଏକ କଡ଼ା ବାର୍ତ୍ତା ମଧ୍ୟ ପଠାଇଛି।

ଉଲ୍ଲେଖଯୋଗ୍ୟ ଯେ, ଜାନୁଆରୀ ମାସରେ ଆମେରିକା କ୍ୟୁବାର ମିତ୍ର ଦେଶ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିବା ପରେ ଟ୍ରମ୍ପ ଖୋଲାଖୋଲି ଭାବେ କ୍ୟୁବାକୁ ନିଜର ପରବର୍ତ୍ତୀ ଲକ୍ଷ୍ୟ ବୋଲି କହିଥିଲେ। ଏଥିସହ ଟ୍ରମ୍ପ ପ୍ରଶାସନ କ୍ୟୁବାକୁ ତେଲ ଯୋଗାଣ ଉପରେ ସମ୍ପୂର୍ଣ୍ଣ ଅବରୋଧ ଲଗାଇଥିବାରୁ ଦ୍ୱୀପ ରାଷ୍ଟ୍ରରେ ଶକ୍ତି ସଙ୍କଟ ତୀବ୍ର ହୋଇଛି। “ମୁଁ ମୋର ପଡ଼ୋଶୀ ଦେଶ ସହିତ ଯାହା ଚାହିଁବି ତାହା କରିପାରିବି” ଏବଂ “କ୍ୟୁବାକୁ ଦଖଲ କରିବାର ଗୌରବ ପାଇବି” ଭଳି ଟ୍ରମ୍ପଙ୍କ ବିବାଦୀୟ ବକ୍ତବ୍ୟ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ବିଗାଡ଼ି ଦେଇଛି। କ୍ୟୁବା ରାଷ୍ଟ୍ରପତି ମିଗୁଏଲ୍ ଡିଆଜ୍-କାନେଲ୍ ଏହାକୁ ଆମେରିକାର ଜବରଦସ୍ତି ନୀତି ବୋଲି ବର୍ଣ୍ଣନା କରିଛନ୍ତି।






