ଏ.କେ ବ୍ୟିରୋ : ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ ଆଇ ଆର୍ ଉପରେ ଆଜି ମିନି ସମ୍ମିଳନୀ କକ୍ଷ, କେନ୍ଦୁଝର ଠାରେ ରାଜନୈତିକ ଦଳ ର ପ୍ରତିନିଧି ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ମନ୍ଦରଧର ମହାଳିକ ଯୋଗ ଦେଇଥିଲେ ଏବଂ ଭୋଟର ତାଲିକା କୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ତ୍ରୁଟି ମୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଅତିରିକ୍ତ ଉପଜିଲ୍ଲାପାଳ, କେନ୍ଦୁଝର, ଅତିରିକ୍ତ ଉପଜିଲ୍ଳାପାଳ ଶ୍ରୀମତୀ ପୁନମ ବିନିତା ବାଗେ,ଡେପୁଟି କଲେକ୍ଟର (ନିର୍ବାଚନ) ଅରୁଣିମା ସାହୁ, ସହକାରୀ ଜିଲ୍ଲାପାଳ ଶ୍ରୀ ସନ୍ତୋଷ ପରିଡ଼ା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସାର୍ଥକ ଅଭିନନ୍ଦନ ରାୟ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମଧ୍ୟରୁ ଶ୍ରୀ ପ୍ରକାଶ ଚନ୍ଦ୍ର ସୁତ୍ରଧର,ଶ୍ରୀ ପ୍ରମୋଦ ପଟ୍ଟନାୟକ, ଶ୍ରୀ ସୁଢଳ କୁମାର ସେଠୀ, ଶ୍ରୀ ଭବାନି ଶଙ୍କର ମହନ୍ତ, ଶ୍ରୀ ସୋମନାଥ ଜେନା ପ୍ରମୁଖ ଯୋଗ ଦେଇଥିଲେ।
ଜିଲ୍ଲା ରେ ଚାଲୁଥିବା ସ୍ୱତନ୍ତ୍ର ସଘନ ସଂଶୋଧନର ଦାବି ଓ ଆପତ୍ତି ପର୍ଯ୍ୟାୟ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା।ବୈଠକ ରେ ଏସ ଆଇ ଆର୍ ର ସଂଶୋଧିତ କାର୍ଯ୍ୟସୂଚୀ ସମ୍ପର୍କରେ
ରାଜନୈତିକ ଦଳର ପ୍ରତିନିଧିଙ୍କୁ ଅବଗତ କରାଯାଇଥିଲା। ଦାବି ଓ ଆପତ୍ତି ଦାଖଲ ଅବଧି ୦୫.୦୭.୨୬ ରୁ ୧୯.୦୮.୨୬ ରହିଛି। ସେହିଭଳି ଦାବି ଓ ଆପତ୍ତିର ନୋଟିସ୍ ଏବଂ ନିଷ୍ପତ୍ତି ସମୟ ୦୫.୦୭.୨୬ ରୁ ୧୭.୦୯.୨୬ ରହିଛି ଏବଂ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶର ତାରିଖ ହେଉଛି ୨୧.୦୯.୨୬ । ଏହି ଅବସରରେ ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ ସମସ୍ତ ରାଜନୈତିକ ଦଳକୁ ସଂଶୋଧିତ ସମୟସୀମାକୁ ଧ୍ୟାନରେ ରଖି ସଂଶୋଧନ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ କରିବା ପାଇଁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ସେହିଭଳି ବୈଠକ ରେ ଦାବି ଓ ଆପତ୍ତି ସମ୍ପର୍କରେ ସୂଚନା ଦିଆଯାଇଥିଲା ଯେ, ସମସ୍ତ ସାତଜଣ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ୦୪.୦୮.୨୬ ପର୍ଯ୍ୟନ୍ତ ପ୍ରାପ୍ତ ଦାବି ଓ ଆପତ୍ତି ଗୁଡ଼ିକର ତାଲିକା ନିର୍ଦ୍ଧାରିତ ଫର୍ମ–୯, ୧୦, ୧୧, ୧୧A ଏବଂ ୧୧B ରେ ପ୍ରସ୍ତୁତ କରିସାରିଛନ୍ତି ଏବଂ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ପ୍ରକାଶ କରିଛନ୍ତି।
ବୈଠକରେ ଉପସ୍ଥିତ ରାଜନୈତିକ ଦଳମାନଙ୍କ ପ୍ରତିନିଧିଙ୍କୁ ମଧ୍ୟ ଏହି ଦାବି ଓ ଆପତ୍ତିର ତାଲିକା ପ୍ରଦାନ କରାଯାଇଥିଲା। ଅତିରିକ୍ତ ନିର୍ବାଚନ ଅଧିକାରୀ ଶ୍ରୀ ମନ୍ଦରଧର ମହାଳିକ ସମସ୍ତ ଅତିରିକ୍ତ ପଞ୍ଜୀକରଣ ଅଧିକାରୀ ମାନଙ୍କୁ ପ୍ରତି ସପ୍ତାହରେ ରାଜନୈତିକ ଦଳମାନଙ୍କ ସହ ଦାବି ଓ ଆପତ୍ତିର ତାଲିକା ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ଫର୍ମ–୬, ୭ ଓ ୮ ସମ୍ପର୍କରେ ରାଜନୈତିକ ଦଳ ର ପ୍ରତିନିଧି ମାନଙ୍କୁ ବିସ୍ତୃତ ଭାବେ ସୂଚନା ପ୍ରଦାନ କରାଯାଇଥିଲା । ଫର୍ମ–୬, ଫର୍ମ–୭ ଓ ଫର୍ମ–୮ର ଉଦ୍ଦେଶ୍ୟ, ପ୍ରୟୋଗ କ୍ଷେତ୍ର ଏବଂ ସମ୍ବନ୍ଧିତ ବିଧାନଗୁଡ଼ିକ ବିଷୟରେ ବିସ୍ତୃତ ଭାବେ ଅବଗତ କରାଯାଇଥିଲା ।ଏହାସହ ସଂଶୋଧନ ପ୍ରକ୍ରିୟା ସମୟରେ ଏହି ଆବେଦନଗୁଡ଼ିକ ଦାଖଲ ଓ ନିଷ୍ପତ୍ତି ସମ୍ବନ୍ଧୀୟ ପ୍ରଚଳିତ ନିର୍ଦ୍ଦେଶାବଳୀ ବିଷୟରେ ମଧ୍ୟ ସୂଚନା ଦିଆଯାଇଥିଲା। ବୈଠକ ରେ ରାଜନୈତିକ ଦଳ ଗୁଡ଼ିକୁ ଅନୁରୋଧ କରାଯାଇଥିଲା ଯେ, ସେମାନେ ସେମାନଙ୍କ ପ୍ରତିନିଧି ଏବଂ ବୁଥ୍ ସ୍ତରୀୟ ଏଜେଣ୍ଟ ମାନଙ୍କୁ ନିର୍ଦ୍ଧାରିତ ଫର୍ମଗୁଡ଼ିକର ସଠିକ୍ ବ୍ୟବହାର ଏବଂ ପ୍ରଚଳିତ ନିର୍ଦ୍ଦେଶାବଳୀ ପାଳନ ସମ୍ପର୍କରେ ସଚେତନ କରିବେ। ସେହିଭଳି ଲୋକ ପ୍ରତିନିଧିତ୍ୱ ଅଧିନିୟମ ୧୯୫୦ର ଧାରା–୨୪ ଅନୁଯାୟୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଙ୍କ ନିଷ୍ପତ୍ତି ବିରୋଧରେ ଅପିଲ୍ କରିବା ପାଇଁ ଥିବା ବୈଧାନିକ ବ୍ୟବସ୍ଥା ସମ୍ପର୍କରେ ରାଜନୈତିକ ଦଳମାନଙ୍କ ପ୍ରତିନିଧିଙ୍କୁ ଅବଗତ କରାଯାଇଥିଲା।
ଏହା ସୂଚନା ପ୍ରଦାନ କରାଯାଇଥିଲା ଯେ, କୌଣସି ଅସନ୍ତୁଷ୍ଟ ବ୍ୟକ୍ତି ପ୍ରଥମେ ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ ନିକଟରେ ପ୍ରଥମ ଅପିଲ୍ କରିପାରିବେ। ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଆବଶ୍ୟକ ହେଲେ ପରବର୍ତ୍ତୀ ସମୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦ୍ୱିତୀୟ ଅପିଲ୍ ମଧ୍ୟ କରିପାରିବେ।ଏହି ଅବସରରେ ବୁଥ୍ ସ୍ତରୀୟ ଏଜେଣ୍ଟ ଙ୍କ ଭୂମିକା ଓ ଦାୟିତ୍ୱ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ରାଜନୈତିକ ଦଳ ଗୁଡ଼ିକର ପ୍ରତିନିଧି ମାନଙ୍କୁ ଜିଲ୍ଲା ରେ ଚାଲୁଥିବା ଏସ ଆଇ ଆର୍ ପ୍ରକ୍ରିୟାରେ ବୁଥ୍ ସ୍ତରୀୟ ଏଜେଣ୍ଟ ମାନଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଅଧିକ ସଚେତନ କରାଯାଇଥିଲା। ରାଜନୈତିକ ଦଳମାନଙ୍କୁ ସେମାନଙ୍କ ବୁଥ ସ୍ତରୀୟ ଏଜେଣ୍ଟ ମାନେ ସକ୍ରିୟ ଏବଂ ଦାୟିତ୍ୱବୋଧ ସହିତ କାର୍ଯ୍ୟ କରନ୍ତୁ ଏବଂ ଭୋଟର ତାଲିକାର ସଠିକତା ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ କୁ ସହଯୋଗ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା। ଏକ ସୁସ୍ଥ, ସଠିକ୍ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ପ୍ରଶାସନ, ରାଜନୈତିକ ଦଳ ଏବଂ ବୁଥ ସ୍ତରୀୟ ଏଜେଣ୍ଟ ମାନଙ୍କ ମଧ୍ୟରେ ସମନ୍ୱିତ ପ୍ରୟାସ ଅତ୍ୟନ୍ତ ଆବଶ୍ୟକ ବୋଲି ବୈଠକରେ ଗୁରୁତ୍ଵାରୋପ କରାଯାଇଥିଲା।






