ଏ.କେ ବ୍ୟୁରୋ : ସୁପ୍ରିମ୍କୋର୍ଟ କକ୍ରୋଚ୍ ଜନତା ପାର୍ଟି ସହ ଜଡିତ ବ୍ୟକ୍ତିବିଶେଷଙ୍କ କାର୍ଯ୍ୟକଳାପର ସିବିଆଇ ତଦନ୍ତ ପାଇଁ ଏକ ଆବେଦନର ଜରୁରୀ ଶୁଣାଣି କରିବାକୁ ମନା କରିଦେଇଛନ୍ତି। ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ସାମ୍ପ୍ରତିକ ‘କକ୍ରୋଚ୍’ ଓ ‘ପରଜୀବୀ’ ମନ୍ତବ୍ୟ ପରେ ଉଭା ହୋଇଥିବା କକ୍ରୋଚ୍ ଜନତା ପାର୍ଟି ଏକ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ।
ସୁପ୍ରିମ୍କୋର୍ଟ କକ୍ରୋଚ୍ ଜନତା ପାର୍ଟି ସହ ଜଡିତ ବ୍ୟକ୍ତିବିଶେଷଙ୍କ କାର୍ଯ୍ୟକଳାପର ସିବିଆଇ ତଦନ୍ତ ପାଇଁ ଏକ ଆବେଦନର ଜରୁରୀ ଶୁଣାଣି କରିବାକୁ ମନା କରିଦେଇଛନ୍ତି। ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ସାମ୍ପ୍ରତିକ ‘କକ୍ରୋଚ୍’ ଓ ‘ପରଜୀବୀ’ ମନ୍ତବ୍ୟ ପରେ ଉଭା ହୋଇଥିବା କକ୍ରୋଚ୍ ଜନତା ପାର୍ଟି ଏକ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ । ଏହି ଦଳ ଗଠନ ହେବା ପରେ ସାମାଜିକ ଗଣମାଧ୍ୟମରେ ଏହାର ଅନୁଗାମୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋମବାର ଦିନ ୧୨ଟା ସୁଦ୍ଧା ଇନଷ୍ଟାଗ୍ରାମ୍ରେ ସିଜେପିର ୨୨.୯ ନିୟୁତ ଫଲୋୟର୍ସ ଥିଲେ। କୋର୍ଟରେ ଆବେଦନକାରୀଙ୍କ ଓକିଲ, ଏନ୍କେ ଗୋସ୍ୱାମୀ ଯୁକ୍ତି ଦେଇଥିଲେ ଯେ, କକ୍ରୋଚ୍ ଜନତା ପାର୍ଟି ନ୍ୟାୟପାଳିକାର ଭାବମୂର୍ତ୍ତିକୁ ଖରାପ କରୁଛି । ଏହାପରେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍ଚୀ ଓ ବିପୁଲ ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ, ଏହାକୁ ଏତେ ଭାବପ୍ରବଣ ଭାବରେ ନିଅନ୍ତୁ ନାହିଁ । ଏହି ଆବେଦନ ଆଡ୍ଭୋକେଟ୍ ରାଜା ଚୌଧୁରୀଙ୍କ ଦ୍ୱାରା ଦାୟର କରାଯାଇଥିଲା। ସେ ଆନ୍ଦୋଳନ ସହ ଜଡିତ ନକଲି ଓକିଲ ଓ ଜାଲ୍ ଆଇନ ଡିଗ୍ରିର ତଦନ୍ତ ପାଇଁ ମଧ୍ୟ ଦାବି କରିଥିଲେ। ଏହାବ୍ୟତୀତ ସେ ସମ୍ପ୍ରତି ସୁପ୍ରିମ୍କୋର୍ଟ କାର୍ଯ୍ୟକାଳ ସମୟରେ ଦିଆଯାଇଥିବା ମୌଖିକ କୋର୍ଟ ବୟାନର ବ୍ୟବସାୟୀକରଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଥିଲେ ଯେ, ବର୍ତ୍ତମାନ ଏପରି କୌଣସି ଗୁରୁତର ଜରୁରିକାଳୀନ ପରିସ୍ଥିତି ନାହିଁ। ଅନ୍ୟପକ୍ଷରେ ମହାରାଷ୍ଟ୍ରର ଛତ୍ରପତି ଶମ୍ଭାଜୀନଗରରେ ଥିବା କକ୍ରୋଚ୍ ଜନତା ପାର୍ଟି ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ ଘରେ ୨୪ ଘଣ୍ଟା ପୁଲିସ ମୁତୟନ କରାଯାଇଛି। ଡିସିପି ପଙ୍କଜ ଅତୁଲକର କହିଛନ୍ତି ଯେ, ଏହି ମୁତୟନ ଏକ ସତର୍କତାମୂଳକ ପଦକ୍ଷେପ। କକ୍ରୋଚ୍ ଜନତା ପାର୍ଟି ପ୍ରସଙ୍ଗ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି, ତେଣୁ ତାଙ୍କ ଘର ବାହାରେ ଭିଡ଼ ଜମା ନ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ତଥାପି ସେ କୌଣସି ସରକାରୀ ନିର୍ଦ୍ଦେଶ ପାଇବାକୁ ଅସ୍ୱୀକାର କରିଛନ୍ତି ।






