A.K ଭାରତର ପୂର୍ବତନ ଓପନର୍ ସଦାଗୋପ୍ପନ ରମେଶ ଫ୍ଲେମିଂଙ୍କ କୋଚିଂ ଦକ୍ଷତାକୁ ନେଇ କଡ଼ା ସମାଲୋଚନା କରିଛନ୍ତି । ରମେଶଙ୍କ କହିବା ଅନୁଯାୟୀ, ଫ୍ଲେମିଂଙ୍କ ସଫଳତାର ରହସ୍ୟ କେବଳ ଏମଏସ ଧୋନିଙ୍କ ଚମତ୍କାର ଅଧିନାୟକତ୍ୱ ମଧ୍ୟରେ ହିଁ ସୀମିତ ଥିଲା । ଆଇପିଏଲ୍ ଇତିହାସର ସବୁଠାରୁ ସଫଳ ଦଳ ଭାବେ ପରିଚିତ ଚେନ୍ନାଇ ସୁପର କିଙ୍ଗସ ଏବେ ନିଜର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି। ୨୦୨୬ ସିଜିନର ଆରମ୍ଭ କ୍ରମାଗତ ତିନୋଟି ପରାଜୟ ସହ ହେବା ପରେ ଦଳର ପ୍ରଶଂସକଙ୍କ ମଧ୍ୟରେ ନିରାଶା ଖେଳିଯାଇଛି । ବିଶେଷ କରି ବେଙ୍ଗାଲୁରୁରେ ଆରସିବି ବିପକ୍ଷରେ ମିଳିଥିବା ବଡ଼ ପରାଜୟ ପରେ ଦଳ ଅଙ୍କ ତାଲିକାର ଶେଷ ସ୍ଥାନକୁ ଖସି ଆସିଛି । ଏହି ବିପର୍ଯ୍ୟୟ ପାଇଁ ଏବେ ଦଳର ଦୀର୍ଘକାଳୀନ ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଂଙ୍କ ରଣନୀତି ଉପରେ ପ୍ରଶ୍ନ ଉଠିବାରେ ଲାଗିଛି।

ଭାରତର ପୂର୍ବତନ ଓପନର୍ ସଦାଗୋପ୍ପନ ରମେଶ ଫ୍ଲେମିଂଙ୍କ କୋଚିଂ ଦକ୍ଷତାକୁ ନେଇ କଡ଼ା ସମାଲୋଚନା କରିଛନ୍ତି । ରମେଶଙ୍କ କହିବା ଅନୁଯାୟୀ, ଫ୍ଲେମିଂଙ୍କ ସଫଳତାର ରହସ୍ୟ କେବଳ ଏମଏସ ଧୋନିଙ୍କ ଚମତ୍କାର ଅଧିନାୟକତ୍ୱ ମଧ୍ୟରେ ହିଁ ସୀମିତ ଥିଲା । ସେ କହିଛନ୍ତି, “ଧୋନି ଯେତେବେଳେ ଅଧିନାୟକ ନଥିଲେ, ସେତେବେଳେ ଫ୍ଲେମିଂଙ୍କୁ କେବେ ବି ସଫଳତା ମିଳିନାହିଁ। ଯେମିତି ଖେଳାଳିଙ୍କ ଫିଟନେସର ପରୀକ୍ଷା ହୁଏ, ସେହିପରି କୋଚଙ୍କ ଆଧୁନିକ ଚିନ୍ତାଧାରା ଓ ରଣନୀତିକୁ ମଧ୍ୟ ପରଖାଯିବା ଉଚିତ।”
ରମେଶ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଆଜିର ଦ୍ରୁତ ଓ ଆକ୍ରମଣାତ୍ମକ ଟି-୨୦ କ୍ରିକେଟ୍ ତୁଳନାରେ ଫ୍ଲେମିଂଙ୍କ ରଣନୀତି ପ୍ରାୟ ‘ପାଞ୍ଚ ପାଦ ପଛରେ’ ରହିଛି।
ସିଏସକେର ଏହି ପତନ ହଠାତ୍ ହୋଇନାହିଁ। ୨୦୨୪ରେ ଋତୁରାଜ ଗାଏକ୍ୱାଡଙ୍କୁ ଅଧିନାୟକ ଦାୟିତ୍ୱ ମିଳିବା ପରେ ଦଳରେ ଯେଉଁ ପରିବର୍ତ୍ତନ ହେବା କଥା, ତାହା ସଫଳ ହୋଇପାରିନାହିଁ । ୨୦୨୫ ସିଜିନରେ ଦଳ ପଏଣ୍ଟ ଟେବୁଲର ସବୁଠାରୁ ଶେଷରେ ରହିଥିଲା ଏବଂ ୨୦୨୬ରେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଦେଖାଯାଉନାହିଁ । ୨୦୦୯ରୁ ଦଳ ସହ ଜଡ଼ିତ ଥିବା ଫ୍ଲେମିଂ ଧୋନିଙ୍କ ସହ ମିଶି ୫ଟି ଆଇପିଏଲ୍ ଟାଇଟଲ୍ ଜିତିଥିଲେ ସତ, କିନ୍ତୁ ଧୋନିଙ୍କ ଯୁଗ ପରେ ସେ ଦଳକୁ ସମ୍ଭାଳିବାରେ ବିଫଳ ହୋଇଛନ୍ତି।
ଚଳିତ ସିଜିନରେ ସିଏସକେର ସବୁଠାରୁ ବଡ଼ ଦୁର୍ବଳତା ସେମାନଙ୍କର ବୋଲିଂ ୟୁନିଟ୍ ସାଜିଛି । ବିଶେଷ କରି ଡେଥ୍ ଓଭରରେ ବୋଲରମାନେ ଅତ୍ୟଧିକ ରନ୍ ଖର୍ଚ୍ଚ କରୁଛନ୍ତି। ଅନ୍ୟପଟେ ବ୍ୟାଟିଂରେ ମଧ୍ୟ ପାୱାର-ହିଟିଂର ଅଭାବ ପରିଲକ୍ଷିତ ହେଉଛି । ଆଧୁନିକ କ୍ରିକେଟରେ ଯେଉଁଠି ଦଳଗୁଡ଼ିକ ପ୍ରଥମ ବଲରୁ ଆକ୍ରମଣ କରୁଛନ୍ତି, ସେଠାରେ ସିଏସକେର ପୁରୁଣା ପଦ୍ଧତି କାମ କରୁନାହିଁ।
ଚେନ୍ନାଇ ସୁପର କିଙ୍ଗସ ପାଇଁ ଏବେ ଆତ୍ମସମୀକ୍ଷାର ସମୟ । ଯଦି ଫ୍ଲେମିଂ ନିଜର ରଣନୀତିରେ ପରିବର୍ତ୍ତନ ନକରନ୍ତି, ତେବେ ପାଞ୍ଚଥରର ଚାମ୍ପିଅନ୍ ଦଳ ପାଇଁ ପ୍ଲେ-ଅଫ୍ ରାସ୍ତା କଷ୍ଟକର ହୋଇପଡ଼ିବ । ସଦାଗୋପ୍ପନ ରମେଶଙ୍କ ଭଳି ପୂର୍ବତନ ଖେଳାଳିଙ୍କ ପ୍ରଶ୍ନ ଏବେ ସିଏସକେ ପ୍ରଶାସନ ଉପରେ ଚାପ ସୃଷ୍ଟି କରିଛି । କ’ଣ ସିଏସକେ ପୁଣି ଥରେ ନିଜର ପୁରୁଣା ଗୌରବ ଫେରି ପାଇବ, ନା ଷ୍ଟିଫେନ୍ ଫ୍ଲେମିଂଙ୍କ ଯୁଗର ଅନ୍ତ ଘଟିବ? ତାହା ଆଗାମୀ ମ୍ୟାଚଗୁଡ଼ିକ ସ୍ପଷ୍ଟ କରିବ।






