ବୌଦ୍ଧ: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଖୁବ୍ଶୀଘ୍ର ଖୋଲିବ ବୌଦ୍ଧ ଜିଲ୍ଲାର ଐତିହାସିକ ସଂଗ୍ରହାଳୟର ତାଲା। ଜିଲ୍ଲାର ଐତିହ୍ୟ, ସଂସ୍କୃତି ଓ ପରିଚୟକୁ ସାଇତି ରଖିବାର ଏହି ମହତ୍ତ୍ୱପୂର୍ଣ୍ଣ ଅନୁଷ୍ଠାନ ପୁନର୍ବାର କାର୍ଯ୍ୟକ୍ଷମ ହେବା ନେଇ ଆଶା ସଞ୍ଚାର ହୋଇଛି।
୨୦୨୧ ମସିହାରେ ପ୍ରାୟ ସାତବର୍ଷ ପୁରୁଣା କୋର୍ଟ ବିଲ୍ଡିଂରେ ତତ୍କାଳୀନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଆପ୍ରାଣ ଉଦ୍ୟମରେ ବୌଦ୍ଧ ସଂଗ୍ରହାଳୟର ଶୁଭାରମ୍ଭ ହୋଇଥିଲା। ଜିଲ୍ଲାବାସୀଙ୍କ ପାଖରେ ଥିବା ବହୁ ପୁରାତନ ଓ ଐତିହାସିକ ସାମଗ୍ରୀକୁ ସ୍ୱେଚ୍ଛାକୃତ ଭାବେ ଦାନ କରି ସଂଗ୍ରହାଳୟକୁ ସମୃଦ୍ଧ କରିଥିଲେ। ଏହାଦ୍ୱାରା ବୌଦ୍ଧ ଜିଲ୍ଲାର ଗୌରବମୟ ଇତିହାସକୁ ନୂଆ ପିଢ଼ିଙ୍କ ନିକଟରେ ପହଞ୍ଚାଇବାର ଏକ ସୁନ୍ଦର ପ୍ରୟାସ ଆରମ୍ଭ ହୋଇଥିଲା।
କିନ୍ତୁ ଦୁଃଖର ବିଷୟ, ସଂଗ୍ରହାଳୟକୁ ସରକାରୀ ମାନ୍ୟତା ଓ ସ୍ଥାୟୀ ପରିଚାଳନା ବ୍ୟବସ୍ଥା ମିଳିପାରି ନଥିଲା। ଫଳରେ ଏଠାରେ ଥିବା ଆକର୍ଷଣୀୟ ୧୧-ଡି ଶୋ’ ଓ ଗ୍ଲାସ୍ ହାଉସ୍ ଭଳି ବ୍ୟବସ୍ଥା ଅଚଳ ହୋଇପଡ଼ିଥିଲା। ବିଦ୍ୟୁତ୍ ବିଲ୍, ମରାମତି ଖର୍ଚ୍ଚ ଓ କର୍ମଚାରୀଙ୍କ ଦରମା ପ୍ରଦାନରେ ସମସ୍ୟା ଦେଖାଦେବାରୁ କିଛି ମାସ ହେଲା ସଂଗ୍ରହାଳୟରେ ତାଲା ଝୁଲୁଥିଲା। ଏହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା।
ଏଭଳି ସ୍ଥିତିରେ ବୌଦ୍ଧ ଜିଲ୍ଲା ନାଗରିକ କମିଟି ସଂଗ୍ରହାଳୟର ପୁନଃ କାର୍ଯ୍ୟକ୍ଷମ ଦାବିରେ ଆଗକୁ ଆସିଥିଲା। ସରକାରଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନ, ଧାରଣା ଓ ଆନ୍ଦୋଳନ ପାଇଁ ଆହ୍ୱାନ ପରେ ରାଜ୍ୟ ସରକାର ସଂଗ୍ରହାଳୟର ପୁନଃ କାର୍ଯ୍ୟକ୍ଷମ ନିମନ୍ତେ ଅର୍ଥ ମଞ୍ଜୁର କରିଥିବା ସୂଚନା ମିଳିଛି।
ଏହି ସଫଳତାର ଶ୍ରେୟ ବୌଦ୍ଧ ନାଗରିକ କମିଟିର ସ୍ଥାୟୀ ସମ୍ପାଦକ ବିଶ୍ୱେଶ୍ୱର ପୃଷ୍ଟିଙ୍କ ସମେତ କମିଟିର ସମସ୍ତ ସଦସ୍ୟଙ୍କୁ ନିଶ୍ଚିତ ଭାବେ ଯିବ। ଏହା ସହିତ ବୌଦ୍ଧକୁ ଭଲପାଉଥିବା ଅନେକ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ଅବଦାନକୁ ମଧ୍ୟ ଅଣଦେଖା କରାଯାଇ ନପାରେ। ସଂଗ୍ରହାଳୟର ପ୍ରତିଷ୍ଠା ପଛରେ ପୂର୍ବତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ସତ୍ୟରଞ୍ଜନ ସାହୁଙ୍କ ଆନ୍ତରିକ ଉଦ୍ୟମ ରହିଥିଲା। ତେବେ ପରବର୍ତ୍ତୀ ସମୟରେ ଏହାର ରକ୍ଷଣାବେକ୍ଷଣ ଓ ବିକାଶ ପ୍ରତି ଆବଶ୍ୟକ ଗୁରୁତ୍ୱ ଦିଆଯାଇନଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି।
ବୌଦ୍ଧ ଜିଲ୍ଲାର ବିକାଶ, ବିଶେଷକରି ପର୍ଯ୍ୟଟନ ଓ ସଂସ୍କୃତିର ପ୍ରଚାର ପ୍ରସାର ନେଇ ପୂର୍ବ ସରକାର ସମୟରେ ଯଥେଷ୍ଟ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଆସୁଛି। ବର୍ତ୍ତମାନର ଡବଲ ଇଞ୍ଜିନ ସରକାରରେ ତିନିଜଣ ଦକ୍ଷ ନେତା ଥିବା ସତ୍ତ୍ୱେ ଜିଲ୍ଲାର ପର୍ଯ୍ୟଟନ ବିକାଶ ନେଇ ଆଖିଦୃଶିଆ ପଦକ୍ଷେପ ଦେଖିବାକୁ ମିଳୁନଥିବା ନେଇ ମଧ୍ୟ ଜନମତ ପ୍ରକାଶ ପାଉଛି।
ବୌଦ୍ଧର ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ରାଜନେତାଙ୍କ ଆନ୍ତରିକତା ସହ ଜିଲ୍ଲାପାଳ, ସଂସ୍କୃତି ଅଧିକାରୀ ଓ ପର୍ଯ୍ୟଟନ ଅଧିକାରୀଙ୍କ ସକ୍ରିୟ ଭୂମିକା ରହିବା ଆବଶ୍ୟକ। ଜିଲ୍ଲାରେ ସ୍ଥାୟୀ ସଂସ୍କୃତି ଓ ପର୍ଯ୍ୟଟନ ଅଧିକାରୀ ନିଯୁକ୍ତ ନହେବା ଏବଂ ପ୍ରଶାସନିକ ସ୍ତରରେ ଆବଶ୍ୟକ ଆନ୍ତରିକତାର ଅଭାବ ଯୋଗୁଁ ବୌଦ୍ଧର ଐତିହ୍ୟ ଓ ପର୍ଯ୍ୟଟନ କ୍ଷେତ୍ର ଆଶାନୁରୂପ ବିକାଶ କରିପାରୁନଥିବା ମତ ପ୍ରକାଶ ପାଉଛି।
ଏହି ମହତ୍ କାର୍ଯ୍ୟରେ ଜଣେ ପୂର୍ବତନ ଦକ୍ଷ ପ୍ରଶାସନିକ ଅଧିକାରୀ ତଥା ବୌଦ୍ଧର ପୂର୍ବତନ ଡିଏଫ୍ଓ ଅଭୟ କାନ୍ତ ପାଠକଙ୍କ ମଧ୍ୟ ବଳିଷ୍ଠ ଉଦ୍ୟମ ରହିଛି। ସେ ଗତ ସୋମବାର ଦିନ ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକଙ୍କୁ ଭେଟି ସଂଗ୍ରହାଳୟର ପୁନଃ କାର୍ଯ୍ୟକ୍ଷମ ଓ ଏହାର ଭବିଷ୍ୟତ ପରିଚାଳନା ନେଇ ଆଲୋଚନା କରିଥିବା ସୂଚନା ମିଳିଛି। ଏହି ସମୟରେ ବୌଦ୍ଧର ସାମାଜିକ କର୍ମୀ ତଥା ସାମ୍ବାଦିକ ସୀତାକାନ୍ତ ସିଂ ଓ କୃତ୍ତିବାସ ପଲିଆ ମଧ୍ୟ ଉପସ୍ଥିତ ଥିଲେ।
ବୌଦ୍ଧ ସଂଗ୍ରହାଳୟର ପୁନଃ କାର୍ଯ୍ୟକ୍ଷମ ହେବା କେବଳ ଗୋଟିଏ କୋଠା ଖୋଲିବା ନୁହେଁ, ବରଂ ଏହା ଜିଲ୍ଲାର ଐତିହ୍ୟ, ଇତିହାସ ଓ ସାଂସ୍କୃତିକ ପରିଚୟକୁ ପୁନର୍ଜୀବିତ କରିବାର ଏକ ବଡ଼ ପଦକ୍ଷେପ। ଏବେ ଜିଲ୍ଲାବାସୀଙ୍କ ଅପେକ୍ଷା, କେବେ ସଂଗ୍ରହାଳୟର ତାଲା ଖୋଲିବ ଏବଂ ଏହା ପୁଣିଥରେ ଜନସାଧାରଣଙ୍କ ପାଇଁ ଉତ୍ସର୍ଗ ହେବ।






