AK ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମାଙ୍କ ପତ୍ନୀ ରିଙ୍କି ଭୂୟାଁ ଶର୍ମାଙ୍କ ବିରୋଧରେ ଆସିଥିବା ସଙ୍ଗୀନ ଅଭିଯୋଗ ମାମଲାରେ କଂଗ୍ରେସ ନେତା ପବନ ଖେଡାଙ୍କୁ ଗୌହାଟୀ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମାଙ୍କ ପତ୍ନୀ ରିଙ୍କି ଭୂୟାଁ ଶର୍ମାଙ୍କ ବିରୋଧରେ ଆସିଥିବା ସଙ୍ଗୀନ ଅଭିଯୋଗ ମାମଲାରେ କଂଗ୍ରେସ ନେତା ପବନ ଖେଡାଙ୍କୁ ଗୌହାଟୀ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି । କଂଗ୍ରେସର ଗଣମାଧ୍ୟମ ଓ ପ୍ରଚାର ବିଭାଗ ଅଧ୍ୟକ୍ଷ ପବନ ଖେଡାଙ୍କ ଆଗୁଆ ଜାମିନ ଆବେଦନକୁ ଅଦାଲତ ଖାରଜ କରିଦେଇଥିବାରୁ ତାଙ୍କ ଗିରଫଦାରୀ ସମ୍ଭାବନା ଏବେ ଯଥେଷ୍ଟ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ପାଖରେ ୟୁଏଇ, ଇଜିପ୍ଟ ଓ ଆଣ୍ଟିଗୁଆ-ବାର୍ବୁଡାର ଏକାଧିକ ପାସପୋର୍ଟ ରହିବା ସହ ବିଦେଶରେ ଅଘୋଷିତ ସମ୍ପତ୍ତି ଓ ସେଲ କମ୍ପାନିରେ ପୁଞ୍ଜି ନିବେଶ ଥିବା ନେଇ ଖେଡା ଆଣିଥିବା ଅଭିଯୋଗକୁ କେନ୍ଦ୍ର କରି ଏହି ସମ୍ପୂର୍ଣ୍ଣ ଆଇନଗତ ବିବାଦ ଆରମ୍ଭ ହୋଇଥିଲା ।

ଏହି ଘଟଣାରେ ରିଙ୍କି ଭୂୟାଁ ଗୌହାଟୀ କ୍ରାଇମବ୍ରାଞ୍ଚ ପୋଲିସ ଷ୍ଟେସନରେ ଜାଲିଆତି, ମାନହାନି ଓ ଇଲେକ୍ଟ୍ରୋନିକ୍ ରେକର୍ଡରେ ହେରଫେର ଭଳି ଗମ୍ଭୀର ଦଫାରେ ଅପରାଧିକ ମାମଲା ରୁଜୁ କରିବା ପରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିଥିଲା । ଏହି ମାମଲାରେ ଖେଡାଙ୍କୁ ଆଶ୍ୱସ୍ତି ଦେବା ପାଇଁ ହୋଇଥିବା ପ୍ରୟାସ ପୂର୍ବରୁ ମଧ୍ୟ ବିଫଳ ହୋଇସାରିଛି । ଗତ ଏପ୍ରିଲ ୧୦ ତାରିଖରେ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ସାମୟିକ ଭାବେ ଟ୍ରାଞ୍ଜିଟ୍ ଆଗୁଆ ଜାମିନ ପ୍ରଦାନ କରିଥିଲେ ସୁଦ୍ଧା ଆସାମ ପୋଲିସର ଆବେଦନ କ୍ରମେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଥିଲେ । ପରବର୍ତ୍ତୀ ସମୟରେ ଶୀର୍ଷ ଅଦାଲତ ଖେଡାଙ୍କୁ ଜାମିନ ପାଇଁ ଗୌହାଟୀ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେଇଥିଲେ । ମଙ୍ଗଳବାର ଦିନ ଉଭୟ ପକ୍ଷଙ୍କ ଯୁକ୍ତିକୁ ପ୍ରାୟ ତିନି ଘଣ୍ଟା ଧରି ଶୁଣିବା ପରେ ହାଇକୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିଲେ ଏବଂ ଶୁକ୍ରବାର ଦିନ ଶେଷରେ ତାଙ୍କର ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି । ବର୍ତ୍ତମାନର ସ୍ଥିତିରେ ପବନ ଖେଡାଙ୍କ ନିକଟରେ ଅଦାଲତରେ ଆତ୍ମସମର୍ପଣ କରି ନିୟମିତ ଜାମିନ ପାଇଁ ପ୍ରୟାସ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିବା ବେଳେ ଏହି ଘଟଣାକୁ ନେଇ ଜାତୀୟ ରାଜନୀତି ଏବେ ବେଶ୍ ଉଷ୍ମ ହୋଇଛି ।






