AK ପରମ ଆରାଧ୍ୟ, ହେ ନୀଳାଦ୍ରି ବିହାରୀ ପ୍ରଭୁ, ତୁମରି ଶ୍ରୀଚରଣରେ କୋଟି ଦଣ୍ଡବତ । ରଥଖଳାରେ କାଠ ଉପରେ ପଡୁଥିବା ପ୍ରତିଟି ଶବ୍ଦ ଆଜି ତୁମ ନାମର ଜପ ପାଲଟିଛି । ଘୋଷଯାତ୍ରା ପାଖେଇ ଆସୁଛି, ଆଉ ଶ୍ରୀନଅର ସାମ୍ନାରେ ତିଆରି ହେଉଛି ତୁମରି ସେହି ଭବ୍ୟ ଯାନ । ଏହା କେବଳ କାଠର ଗଢ଼ଣ ନୁହେଁ ପ୍ରଭୁ, ଏହା ତ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବନା ଆଉ ଶହ ଶହ ସେବାୟତଙ୍କ ନିଷ୍ଠାର ଏକ ଜୀବନ୍ତ ପ୍ରତିଫଳନ । ହେ ଚକାଡୋଳା, ହେ ବିଶ୍ଵନିଅନ୍ତା… ବିନୀତ ନିବେଦନ ଏହିକି ଯେ ମୁଁ ତୁମର ଜଣେ ଅଧମ ଭକ୍ତ ତଥା ସେବକ । ରଥଖଳାର ସେହି ଦୃଶ୍ୟକୁ ଦେଖି ମନର ଆକୁଳତାକୁ ତୁମ ପାଖରେ ଜଣାଉଛି । ଘୋଷଯାତ୍ରା ପାଖେଇ ଆସୁଥିବା ବେଳେ ତୁମରି ରଥ ନିର୍ମାଣରେ ନିୟୋଜିତ ସେବାୟତମାନେ ନିଜକୁ ସଂପୂର୍ଣ୍ଣ ସମର୍ପି ଦେଇଛନ୍ତି । ତୁମର ସେହି ଘୋଷଯାତ୍ରା ପାଇଁ ଆଜି ଶ୍ରୀନଅର ସାମ୍ନା ରଥଖଳା ଚଳଚଞ୍ଚଳ । ତୁମକୁ ରଥରେ ବସାଇ ବଡ଼ଦାଣ୍ଡକୁ ଆଣିବା ପାଇଁ ଭକ୍ତର ଆଖି ଚାହିଁ ରହିଥିବା ବେଳେ, ସେପଟେ ବିଶ୍ୱକର୍ମାଙ୍କ ହାତରେ ଚାଲିଛି ତୁମ ରଥର ଅଙ୍ଗ ନିର୍ମାଣ ।

ପରମ ଆରାଧ୍ୟ, ହେ ନୀଳାଦ୍ରି ବିହାରୀ ପ୍ରଭୁ, ତୁମରି ଶ୍ରୀଚରଣରେ କୋଟି ଦଣ୍ଡବତ । ରଥଖଳାରେ କାଠ ଉପରେ ପଡୁଥିବା ପ୍ରତିଟି ଶବ୍ଦ ଆଜି ତୁମ ନାମର ଜପ ପାଲଟିଛି । ଘୋଷଯାତ୍ରା ପାଖେଇ ଆସୁଛି, ଆଉ ଶ୍ରୀନଅର ସାମ୍ନାରେ ତିଆରି ହେଉଛି ତୁମରି ସେହି ଭବ୍ୟ ଯାନ । ଏହା କେବଳ କାଠର ଗଢ଼ଣ ନୁହେଁ ପ୍ରଭୁ, ଏହା ତ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବନା ଆଉ ଶହ ଶହ ସେବାୟତଙ୍କ ନିଷ୍ଠାର ଏକ ଜୀବନ୍ତ ପ୍ରତିଫଳନ । ହେ କାଳିଆ ସାଆନ୍ତ ! ତୁମେ ତ ଜଗତର ନାଥ, ବ୍ରହ୍ମାଣ୍ଡର ଅଧୀଶ୍ଵର । ତୁମ ପାଇଁ ସବୁ କିଛି ଏକ ଲୀଳା । କିନ୍ତୁ ଏହି ଖରାବେଳେ, ଯେତେବେଳେ ବାଲି କାଚ ଭଳି ତାତୁଛି, ସେତେବେଳେ ତୁମରି ସେବାୟତଙ୍କୁ ଥରେ ଦେଖ । ସେମାନେ ନିଜ ଶରୀରର ଝାଳକୁ ଗଙ୍ଗାଜଳ ଭଳି ନିଗାଡ଼ି ଦେଉଛନ୍ତି ତୁମ ରଥର ପ୍ରତିଟି ଅଙ୍ଗକୁ ନିଖୁଣ କରିବା ପାଇଁ । ସେହି ବିଶ୍ଵକର୍ମା, ଭୋଇ ଆଉ କରତି ସେବାୟତଙ୍କ ଭକ୍ତିକୁ ଦେଖିଲେ ଲାଗେ, ସତେ ଯେମିତି ସେମାନେ କାଠ ଗଣ୍ଡି ଭିତରେ ତୁମରି ଶ୍ରୀଅଙ୍ଗକୁ ହିଁ ଛୁଉଁଛନ୍ତି । ଆହେ ଚକାନୟନ ! ପ୍ରଥମ ପର୍ଯ୍ୟାୟରେ ଏବେ ତିନି ରଥର ଚକକୁ ଧରି ରଖିବାକୁ ଥିବା ‘ତୁମ୍ବ’ ଗୁଡ଼ିକର କାର୍ଯ୍ୟ ଜୋରସୋରରେ ଚାଲିଛି । ସେହି ଗୋଲାକାର ତୁମ୍ବ ଗୁଡ଼ିକ ଯେତେବେଳେ ଶ୍ରୀନଅର ସାମ୍ନାରେ ରଖାଯାଉଛି, ମନେ ହେଉଛି ସତେ ଯେମିତି ତୁମରି ସେହି ବିସ୍ତାରିତ ଚକ୍ଷୁ ଦୁଇଟି ଆମକୁ ଚାହିଁ ରହିଛି । ଆଜି ସୁଦ୍ଧା ତିନି ରଥର ୩୬ରୁ ଅଧିକ ତୁମ୍ବ କାମ ଶେଷ ହେଲାଣି । ରଥର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ‘ନାହାକା ତୁମ୍ବ’ ଓ ‘ପଡ଼ିନାହାକା ତୁମ୍ବ’ କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ ହୋଇଛି, ଯାହା ତୁମ ରଥକୁ ଦୁନିଆର ସବୁ ଶକ୍ତି ଦେବ । ହେ ବିଶ୍ଵନିଅନ୍ତା… କୌଣସି ଯନ୍ତ୍ର ନାହିଁ କି କୌଣସି ଆଧୁନିକ ମାପଚୁପ ନାହିଁ, କେବଳ ପାରମ୍ପରିକ ‘ମାପ ବାଡ଼ି’ ଆଉ ତୁମରି ଦତ୍ତ ଜ୍ଞାନରେ ‘ରଥ ସଂହିତା’ ଅନୁସାରେ ସବୁ କିଛି ସୂକ୍ଷ୍ମ ଭାବେ ଗଢ଼ା ହେଉଛି । ତୁମ୍ବ ଗୁଡ଼ିକ ପ୍ରସ୍ତୁତ ହେବା ପରେ ଏବେ ଅର, ପଇ ଓ ଅଖ ତିଆରି ହେବାର ସେହି ଶତାବ୍ଦୀ ଶତାବ୍ଦୀର ପରମ୍ପରାକୁ ସମସ୍ତେ ଅପେକ୍ଷା କରିଛନ୍ତି ।
ଠାକୁରେ, ରଥଖଳାରେ ଏବେ ସବୁ ପ୍ରକାର ଆନୁଷଙ୍ଗିକ ସାମଗ୍ରୀ ପହଞ୍ଚିଛି । ବିଶ୍ଵକର୍ମାଙ୍କ ହାତରେ ସୂତା ବାଡ଼ିଆ କାମ ବି ଆଗେଇ ଚାଲିଛି । ପ୍ରତିଟି କାଠ ଗଡ଼ିରେ ସୂତା ପଡିବା ମାନେ, ତୁମ ଯାତ୍ରାର ଗୋଟେ ଗୋଟେ ପାହାଚ ଅତିକ୍ରମ କରିବା । ଆଜି ମହାରଣାମାନଙ୍କୁ ଆଉ ଦୁଇଟି ଲେଖାଁଏ ତୁମ୍ବ ଗଡ଼ ଚିରଟ କରି ଯୋଗାଇ ଦିଆଯାଇଛି । କାମ ଯେମିତି କେଉଁଠି ଅଟକି ନଯାଏ, ସେଥିପାଇଁ ସେବାୟତଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଏବେ ତୁମରି ସେବାରେ ତତ୍ପର । ହେ କରୁଣାସିନ୍ଧୁ, ଜଣେ ଅଧମର ଦରଖାସ୍ତ ରଖିବ ନା! ତୁମ ଆଗରେ ମୋ ଗୁହାରି ଏତିକି ଯେ । ରଥଖଳାରେ ଝାଳ ବୁହାଉଥିବା ସେହି ମହାରଣା, ଭୋଇ ଓ କରତି ସେବାୟତଙ୍କୁ ସାହସ ଦିଅ । ସେମାନଙ୍କ ହାତକୁ ଶକ୍ତି ଦିଅ । ନିର୍ଦ୍ଧାରିତ ସମୟରେ ତୁମର ସେହି ରୁଧିର ରଙ୍ଗର ନନ୍ଦିଘୋଷ, ତାଳଧ୍ଵଜ ଓ ଦର୍ପଦଳନ ଯେମିତି ଶ୍ରୀମନ୍ଦିର ସାମ୍ନାରେ ଠିଆ ହେବେ । ଆମେ ଭକ୍ତମାନେ ଚାହିଁ ରହିଛୁ, କେବେ ସେହି ରଥରେ ବସି ତୁମେ ବାହାରିବ ଆଉ ଆମ ପାପ ଧୋଇ ହୋଇଯିବ । ମଣିମା ତୁମ ଆଜ୍ଞା ବିନା ତ ପତ୍ରଟିଏ ହଲେନି, ଏ ରଥ ଗଢ଼ା ବି ତୁମରି ଇଚ୍ଛା । ତୁମରି ଆଶୀର୍ବାଦ ଏମିତି ରଥଖଳା ଉପରେ ବର୍ଷୁଥାଉ ।






