ଏ.କେ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୋଲିସ ସୋନପୁର ପଟୁ ଆସୁଥିବା ଏକ ଗଞ୍ଜେଇ ଭର୍ତି ଗାଡ଼ିକୁ ଗୋଡେଇ ଗୋଡେଇ ଧରିବାରେ ସଫଳ ହୋଇଛି।

ପୋଲିସ ଗାଡ଼ିକୁ ପିଛା କରୁଥିବା ବେଳେ ଗଞ୍ଜେଇ ମାଫିଆମାନେ ପୋଲିସକୁ ଦେଖି ମୁଖ୍ୟ ରାସ୍ତା ଛାଡ଼ି ନଙ୍ଗଲକଣ୍ଟା ଗାଁର ଖେତ ରାସ୍ତା ଦେଇ ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ପରିସ୍ଥିତି ଅନୁକୂଳ ନ ଥିବାରୁ ସେମାନେ ଗାଡ଼ିକୁ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ପରେ ରାମପୁର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗାଡ଼ିର ତଲାସି କରାଯାଇଥିଲା। ତଲାସି ସମୟରେ ଗାଡ଼ି ଭିତରୁ ୨୭୦ ପ୍ୟାକେଟ୍ ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ଓଜନ ଅଢ଼େଇ କୁଇଣ୍ଟାଲରୁ ଅଧିକ ଥିବା ଜଣାପଡ଼ିଛି।
ଡୁଙ୍ଗୁରିପାଲି ପୋଲିସ ଗଞ୍ଜେଇ ଭର୍ତି ଗାଡ଼ିକୁ ମଧ୍ୟ ଜବତ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ମାଫିଆମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।






