AK ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ସମୁଦ୍ର ପଥରେ ତେଲ ଆସି ପାରୁନାହିଁ । ତଥାପି ଆଜି ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ୍ର କୌଣସି ଅଭାବ ଦେଖାଦେଇନାହିଁ । ହେଲେ ନିୟମିତ ବ୍ୟବଧାନରେ ଏଭଳି କିଛି କଟକଣା ସାମନାକୁ ଆସୁଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ସମୁଦ୍ର ପଥରେ ତେଲ ଆସି ପାରୁନାହିଁ । ତଥାପି ଆଜି ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ୍ର କୌଣସି ଅଭାବ ଦେଖାଦେଇନାହିଁ । ହେଲେ ନିୟମିତ ବ୍ୟବଧାନରେ ଏଭଳି କିଛି କଟକଣା ସାମନାକୁ ଆସୁଛି, ଯାହା ତେଲବଜାର ଉପରେ ଥିବା ଭିତିରି ଚାପକୁ ପଦାରେ ପକାଇଦେଉଛି । ସେଭଳି ଏକ କଟକଣା ଓଡ଼ିଶାରେ ଲାଗୁ ହୋଇଛି । କୌଣସି ଘରୋଇ କମ୍ପାନି ନୁହେଁ, ବରଂ ସରକାରୀ ତୈଳ କମ୍ପାନିଗୁଡ଼ିକ ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ୍ (ଏମ୍ଏସ୍) ଓ ୫୦୦ ଲିଟରରୁ ଅଧିକ ହାଇସ୍ପିଡ୍ ଡିଜେଲ୍ (ଏଚ୍ଏସ୍ଡି) ବିକ୍ରି ଉପରେ ରୋକ୍ ଲଗାଇଛନ୍ତି । ପେଟ୍ରୋଲ ପମ୍ପଗୁଡ଼ିକୁ କଡ଼ା ତାଗିଦ୍ କରାଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ସବୁ ପେଟ୍ରୋଲ ପମ୍ପକୁ ତେଲ ଯୋଗାଣ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଇଣ୍ଡିଆନ ଅଏଲ୍ର ଏକ ପେଟ୍ରୋଲ୍ ପମ୍ପରେ ଲାଗିଥିବା ନୋଟିସ୍ରୁ ତେଲ ବିକ୍ରି ଉପରେ କଟକଣା ଲାଗିଥିବା ଜଣାପଡ଼ିଛି । ଭୁବନେଶ୍ବର ଆର୍ଏସ୍ଏର ବିକ୍ରି ଅଧିକାରୀଙ୍କ ଦ୍ବାରା ଜାରି ଏହି ନୋଟିସ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ଲେଖାଯାଇଛି । ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଏକକାଳୀନ ବିପୁଳ ପରିମାଣର ତେଲ ବିକ୍ରିକୁ ଏଡ଼ାଇବାକୁ ପେଟ୍ରୋଲ୍ ପମ୍ପମାନଙ୍କୁ କୁହାଯାଇଛି । କମ୍ପାନିର ମୁଖ୍ୟ କାର୍ଯ୍ୟାଳୟ ପ୍ରତିଦିନ ସ୍ଥିତିର ନିରୀକ୍ଷଣ କରୁଛନ୍ତି । ତେଣୁ ସଜାଗ ରହିବାକୁ ପେଟ୍ରୋଲ ପମ୍ପଗୁଡ଼ିକୁ କୁହାଯାଇଛି । ପୂର୍ବରୁ ବେସରକାରୀ ତୈଳ କମ୍ପାନି ଜିଓ-ବିପି ପକ୍ଷରୁ ନିର୍ଦ୍ଦିଷ୍ଟ ପରିମାଣଠାରୁ ଅଧିକ ତେଲ ବିକ୍ରି ଉପରେ କଟକଣା ଲଗାଯାଇଥିବା ଖବର ସାମନାକୁ ଆସିଥିଲା, ଯାହାକୁ କମ୍ପାନି ଖଣ୍ଡନ କରିଥିଲା । ଏବେ ଇଣ୍ଡିଆନ ଅଏଲ୍ ଭଳି ଦେଶର ଏକ ନମ୍ବର ତୈଳ କମ୍ପାନିର ପେଟ୍ରୋଲ୍ ପମ୍ପରେ ନୋଟିସ୍ ଲାଗିବା ଏକ ଅଲଗା ସ୍ଥିତିକୁ ଦର୍ଶାଉଛି । ରାଜ୍ୟରେ ତିନି ସରକାରୀ ତୈଳ କମ୍ପାନି ଇଣ୍ଡିଆନ ଅଏଲ୍, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ର ୨୫୦୦ରୁ ଅଧିକ ପେଟ୍ରୋଲ୍ ପମ୍ପ ରହିଛି । ସେଥିରୁ କେବଳ ଇଣ୍ଡିଆନ ଅଏଲ୍ର ୧୪୦୦ ପାଖାପାଖି ପେଟ୍ରୋଲ୍ ପମ୍ପ ରହିଛି । ଭୁବନେଶ୍ବର ଆର୍ଏସ୍ଏ ପକ୍ଷରୁ କଟକଣା ଲଗାଯାଇଥିବାରୁ ତାହା ରାଜ୍ୟର ସବୁ ପେଟ୍ରୋଲ ପମ୍ପ ପାଇଁ ଲାଗୁ ହୋଇଥିବା ବିଶ୍ବାସ କରାଯାଉଛି ।
ଏ ସମ୍ପର୍କରେ ଇଣ୍ଡିଆନ ଅଏଲ୍ର ଓଡ଼ିଶା ସିଜିଏମ୍ କମଲ ଶୀଲ କହିଛନ୍ତି ଯେ ତେଲ ବିକ୍ରି ଉପରେ କୌଣସି କଟକଣା ନାହିଁ । କେବଳ ମହଜୁଦକାରୀଙ୍କ ଉପରେ ଲଗାମ କଷିବାକୁ ଏକକାଳୀନ ବିପୁଳ ତେଲ ବିକ୍ରି ଉପରେ କଟକଣା ଲଗାଯାଇଥାଇପାରେ । ତାହା ସମ୍ପୂର୍ଣ୍ଣ ରୂପେ କମ୍ପାନିର ଆଭ୍ୟନ୍ତରୀଣ ବ୍ୟାପାର। ପେଟ୍ରୋଲ ପମ୍ପରୁ ବିପୁଳ ତେଲ ଅନ୍ୟତ୍ର ଚାଲି ନଯାଉ ବା ବାଟମାରଣା ନହେଉ, ତାହାକୁ ନିଶ୍ଚିତ କରିବା ପାଇଁ ଏହି କଟକଣା ଲଗାଯାଇଛି । ଏହା ସହ ସାଧାରଣ ଗ୍ରାହକଙ୍କ କୌଣସି ସମ୍ପର୍କ ନାହିଁ । ରାଜ୍ୟରେ ତେଲ ଯୋଗାଣ ସମ୍ପୂର୍ଣ୍ଣ ସ୍ବାଭାବିକ ରହିଛି । ଉଭୟ ପେଟ୍ରୋଲ ଓ ଡିଜେଲ୍ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଥିବା ସେ କହିଛନ୍ତି । କୌଣସି ଗାଡ଼ିର ଟାଙ୍କିରେ ଏକକାଳୀନ ୫୦ ଲିଟର ତେଲ କିମ୍ବା ୫୦୦ଲିଟର ଡିଜେଲ ପଡ଼ିପାରିବ ନାହିଁ । କେବଳ ଟ୍ୟାଙ୍କର ଜରିଆରେ ଅଧିକ ତେଲ ନେଇ ହେବ । ଟ୍ୟାଙ୍କରରେ ୨୦୦୦ ଲିଟର କିମ୍ବା ୩୦୦୦ ଲିଟର ତେଲ ନେବା ଭଳି ଘଟଣା ରୋକିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥାଇପାରେ ବୋଲି ସେ କହିଛନ୍ତି ।






