ଏ.କେ ବ୍ୟୁରୋ : ଭାରତ-ପାକିସ୍ତାନ ସୀମାରେ ସୀମା ସୁରକ୍ଷା ନେଇ ଗୁରୁତ୍ଵପୂର୍ଣ୍ଣ ଗ୍ରହଣ କରିଛି ତାରବାଡ଼। ଏହି ତାର ବାଡ଼ ଘେରାଇବା ପରେ ପୂର୍ବ ଅପେକ୍ଷା ସୀମାରେ ଅନୁପ୍ରବେଶ କମିଛି। ହେଲେ ଏବେ ବାଂଲାଦେଶ ଭାରତ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ହଜାର ହଜାର ସଂଖ୍ୟାରେ ବାଂଲାଦେଶୀ ଅନୁପ୍ରବେଶ କରି ଅବୈଧ ଭାବରେ ଭାରତରେ ରହୁଛନ୍ତି। ତେଣୁ ସୀମା ସୁରକ୍ଷାକୁ ମଜଭୁତ କରିବା ପାଇଁ ଏବେ ପାକିସ୍ତାନ ଭଳି ବାଂଲାଦେଶ ସୀମାରେ ତାର ବାଡ଼ ଘେରାଇବା ଜରୁରୀ ହୋଇପଡିଛି।
ଭାରତ-ପାକିସ୍ତାନ ମଧ୍ୟରେ ଥିବା ସୀମା ରେଖାର ଦୂରତା ହେଉଛି ୩୩୨୩ କିଲୋମିଟର। ପୂର୍ବରୁ, ଏହି ସୀମା ଦେଇ ଆତଙ୍କବାଦୀ ଏବଂ ଚୋରା ଚାଲାଣକାରୀମାନେ ଅବାଧ ଅନୁପ୍ରବେଶ କରୁଥିଲେ। ୧୯୯୦ ରୁ ୨୦୦୦ ମଧ୍ୟରେ ଜାମ୍ମୁ କାଶ୍ମୀର, ପଞ୍ଜାବ ଏବଂ ରାଜସ୍ଥାନ ସେକ୍ଟରରେ ଆତଙ୍କ ଖେଳାଇଥିଲେ। ଏହାପରେ ଭାରତ ସରକାର ୨୦୧୦ରେ ପାକିସ୍ତାନ ସୀମାରେ ବିଏସଏଫ୍ ସହାୟତାରେ ଫେନ୍ସିଂ ଘେରାଇଥିଲେ। ଏବେ ସୀମାରେ ଅଧିକାଂଶ ଅଂଶ ଉଚ୍ଚ, ମଜବୁତ ଏବଂ କଣ୍ଟା ତାର ବାଡ଼ ଲଗାଯାଇଛି। ଏହାପରେ ଅନୁପ୍ରବେଶ ଘଟଣା ଯଥେଷ୍ଟ ହ୍ରାସ ପାଇଛି। ଫେନ୍ସିଂ ସହ ସୀମାରେ ଏବେ ଲାଇଟିଂ, କ୍ୟାମେରା ଏବଂ ପାଟ୍ରୋଲିଂ ମଧ୍ୟ କଡ଼ାକଡ଼ି କରାଯାଇଛି। ବିଏସଏଫ୍ ଯବାନମାନେ ଲଗାତର ପାଟ୍ରୋଲିଂ କରୁଛନ୍ତି। ଭୌଗୋଳିକ ସ୍ଥିତି ଯୋଗୁଁ କିଛି ଅଞ୍ଚଳରେ ବାଡ଼ ଦେବା କାର୍ଯ୍ୟ ସମାପ୍ତ ହୋଇନାହିଁ। କିନ୍ତୁ ସାମଗ୍ରିକ ଭାବରେ ପାକିସ୍ତାନ ସୀମାରେ ତାର ବାଡ଼ ସୁରକ୍ଷାକୁ ସୁଦୃଢ଼ କରିଛି।
ସେହିପରି ବାଂଲାଦେଶ ସହ ଭାରତ ୪୦୯୬ କିଲୋମିଟରର ସୀମା ସେୟାର କରୁଛି। ଯାହାକି ସବୁଠୁ ବଡ଼ ସ୍ଥଳ ସୀମା। ଏହି ସୀମା ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ତ୍ରିପୁରା, ଏବଂ ମିଜୋରାମ ଦେଇ ଯାଇଛି। ଏଠାରେ ମୁଖ୍ୟତଃ ସମତଳ ଭୂମି, ନଦୀ, ଝରଣା ଏବଂ ଘନ ଜଙ୍ଗଲ ରହିଛି। ତେଣୁ ବାଡ଼ ଦେବା କଷ୍ଟକର ଏବଂ ମହଙ୍ଗା ହେଉଛି। ଅନେକ ଅଞ୍ଚଳ ଏବେ ବି ଫେନ୍ସିଂ ହୋଇନାହିଁ। ଯାହାକି ଅନୁପ୍ରବେଶକାରୀଙ୍କ ପାଇଁ ଗଳାବାଟ ପାଲଟିଛି। ଏହି ବାଟ ଦେଇ ଅବଧାରେ ବାଂଲାଦେଶୀ ଅନୁପ୍ରବେଶ କରୁଛନ୍ତି। ଭାରତରେ ଆସି ନିଶା କାରବାର, ଗୋତସ୍କରୀ, ଅସ୍ତ୍ରଶସ୍ତ୍ର ତସ୍କରୀ କରୁଛନ୍ତି। ତେଣୁ ଏହାକୁ ରୋକିବାକୁ ହେଲେ ବାଂଲାଦେଶ ସୀମାରେ ମଧ୍ୟ ସ୍ମାର୍ଟ ଫେନ୍ସିଂ ଜରୁରୀ ହୋଇପଡିଛି।
ସ୍ମାର୍ଟ ଫେନ୍ସିଂ ଏକ ଆଧୁନିକ ସୁରକ୍ଷା ବ୍ୟବସ୍ଥା ଯାହା ପାରମ୍ପରିକ ତାର ବାଡ଼ଠାରୁ ଉନ୍ନତ। ଏହା ସାଧାରଣ ଫେନ୍ସିଂକୁ ସେନ୍ସର, କ୍ୟାମେରା, ଏଆଇ ଏବଂ ରିଅଲ୍-ଟାଇମ୍ ମନିଟରିଂ ସିଷ୍ଟମ ସହିତ ମିଶ୍ରଣ କରି ଯେକୌଣସି ସୀମା କାର୍ଯ୍ୟକଳାପକୁ ତୁରନ୍ତ ଚିହ୍ନଟ କରିଥାଏ। ଏହି ପ୍ରଯୁକ୍ତିବିଦ୍ୟା ବିଶେଷ ଭାବରେ ଲମ୍ବା ଏବଂ ଚ୍ୟାଲେଞ୍ଜିଂ ସୀମାରେ ଉପଯୋଗୀ।






