ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଏବଂ ତାଙ୍କୁ ଜବରଦସ୍ତ ଅପହରଣ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ କଟକ ମହିଳା ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳର ଉମାକାନ୍ତ ଗୌଡ଼ (୨୨)।
ପ୍ରେମ ସମ୍ପର୍କରୁ ବ୍ଲାକମେଲିଂ:ସୂଚନା ଅନୁଯାୟୀ, ୨୦୨୨ ମସିହାରେ ଭୁବନେଶ୍ୱର ଶିଖରଚଣ୍ଡୀ ନିକଟରେ ଉମାକାନ୍ତ ଏବଂ ଉକ୍ତ ଯୁବତୀଙ୍କ ମଧ୍ୟରେ ପରିଚୟ ହୋଇଥିଲା। ସେତେବେଳେ ଉମାକାନ୍ତ ଏକ ହୋଟେଲରେ କାମ କରୁଥିବା ବେଳେ ଯୁବତୀ ଜଣକ ଏକ କପଡ଼ା ଦୋକାନରେ କାର୍ଯ୍ୟ କରୁଥିଲେ। ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଅଭିଯୋଗ ମୁତାବକ, ଭିଡିଓ କଲ୍ରେ କଥା ହେବା


ସମୟରେ ଉମାକାନ୍ତ ଯୁବତୀଙ୍କୁ ଅଶ୍ଳୀଳ ଭିଡିଓ କଲ୍ କରିବାକୁ ବାଧ୍ୟ କରୁଥିଲେ ଏବଂ ତାହାକୁ ନିଜ ମୋବାଇଲ୍ରେ ରେକର୍ଡ କରି ରଖିଥିଲେ। ପରେ ସେହି ଭିଡିଓ ଦେଖାଇ ଯୁବତୀଙ୍କୁ ବ୍ଲାକମେଲ୍ କରିବା ଆରମ୍ଭ କରିଥିଲେ।ଅପହରଣ ଉଦ୍ୟମ ବେଳେ କାବୁ କଲେ ସ୍ଥାନୀୟ ଲୋକେ:ଯୁବତୀ ଜଣକ କଟକର ବିଡ଼ାନାସୀ ତୁଳସୀପୁର ଅଞ୍ଚଳରେ ରହୁଥିବା ବେଳେ, ଉମାକାନ୍ତ ଗଞ୍ଜାମକୁ ଫେରିଯାଇଥିଲେ।
ଗୁରୁବାର ଦିନ ପ୍ରାୟ ସକାଳ ୧୧ଟା ବେଳେ ଉମାକାନ୍ତ ଏକ ଷଡ଼ଯନ୍ତ୍ର ରଚି କଟକ ବେଲଭ୍ୟୁ ଛକ ନିକଟରେ ପହଞ୍ଚିଥିଲେ ଏବଂ ସେଠାରୁ ଯୁବତୀଙ୍କୁ ଜବରଦସ୍ତ ଅପହରଣ କରିବାକୁ ଯୋଜନା କରୁଥିଲେ। ମାତ୍ର ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇ ଉମାକାନ୍ତଙ୍କୁ କାବୁ କରିଥିଲେ ଏବଂ ମାଡ଼ ମାରି ପୁଲିସ ଜିମା ଦେଇଥିଲେ।ମହିଳା ଥାନା ପୁଲିସ ଯୁବତୀଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଉମାକାନ୍ତଙ୍କୁ ଗିରଫ କରିଛି। ପୁଲିସ ତାଙ୍କ ନିକଟରୁ ମୋବାଇଲ୍ ଫୋନ୍ ଜବତ କରିଛି, ଯେଉଁଥିରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ରହିଥିବା ଜଣାପଡ଼ିଛି। ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ






