ଏ.କେ ବ୍ୟୁରୋ :ଦୀପାବଳି ସମୟରେ ଅଧିକାଂଶ ଘରେ ମିଠା ଓ ବିଭିନ୍ନ ପ୍ରକାରର ପିଠାପଣା ପ୍ରସ୍ତୁତ ହୋଇଥାଏ । ଏଥିରେ ଘିଅ ଓ ବଟରର ବ୍ୟବହାର ଅଧିକ ହୋଇଥାଏ ।ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ଝଟକା ଦେଇଛି ଅମୂଲ । କମ୍ପାନୀ ଘିଅ ଓ ବଟର ଦାମ୍ ବୃଦ୍ଧି କରିଛି । ଏବେ ଅମୂଲ୧ କେଜି ଘିଅ କାର୍ଟନର ମୂଲ୍ୟ ୬୩୦ ଟଙ୍କାରୁ ବୃଦ୍ଧି ପାଇ ୬୮୦ ଟଙ୍କା ହୋଇଛି । ଗୋଟିଏ ପ୍ୟାକେଟ୍ ପିଛା ୫୦ ଟଙ୍କା ବଢ଼ିଛି । ସେହିପରି ୫୦୦ ଗ୍ରାମ୍ ବଟର ପ୍ୟାକେଟର ଦାମରେ ୧୫ ଟଙ୍କା ବୃଦ୍ଧି ହୋଇଛି । ଫଳରେ ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼ ସହ ଯୋଗାଣ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡ଼ିପାରେ ।
ଗୁଜରାଟ ଓ ରାଜସ୍ଥାନରେ ଅପମିଶ୍ରିତ ଉତ୍ପାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ବ୍ରାଣ୍ଡେଡ୍ ଘିଅର ଚାହିଦା ବଢିବାରେ ଲାଗିଛି । ଏହି ଦାମ୍ ବୃଦ୍ଧି ଯୋଗୁଁ ସେପ୍ଟେମ୍ବର ୨୦୨୫ରେ ଜିଏସଟି ହ୍ରାସ ପରେ ଗ୍ରାହକଙ୍କୁ ମିଳିଥିବା ଲାଭ ମଧ୍ୟ ଅନେକାଂଶରେ କମିଯାଇଛି । ସେତେବେଳେ ଦୁଗ୍ଧଜାତ ଦ୍ରବ୍ୟ ଉପରେ ଜିଏସ୍ଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଥିଲା । ଅମୂଲର ଅନଲାଇନ୍ ପ୍ଲାଟଫର୍ମରେ ବିଭିନ୍ନ ପ୍ରକାର ଘିଅର ଦାମ୍ ଭିନ୍ନ ଭିନ୍ନ ରହିଛି । ଏଠାରେ ଗାଈ ଘିଅର ଲିଟର ପିଛା ମୂଲ୍ୟ ୭୪୦ ଟଙ୍କା, ସାଗର ଘିଅ ୭୧୦ ଟଙ୍କା, ପ୍ୟୁର ଘିଅ ୭୦୦ ଟଙ୍କା ଏବଂ ମଇଁଷି ଘିଅ ୭୨୦ ଟଙ୍କା ରହିଛି । ପ୍ୟୁର ଘିଅ, ମଇଁଷି ଘିଅ ଏବଂ କିଛି କମ୍ବୋ ପ୍ୟାକ୍ ଆଉଟ୍ ଅଫ୍ ଷ୍ଟକ୍ ଦେଖାଉଛି । ଏଥିରୁ ପାର୍ବଣ ସମୟରେ ବଢ଼ୁଥିବା ଚାହିଦା ଯୋଗୁଁ ଯୋଗାଣ ଉପରେ ଚାପ ପଡ଼ୁଥିବା ଅନୁମାନ କରାଯାଉଛି । ଦୀପାବଳି ସମୟରେ ଅଧିକାଂଶ ଘରେ ମିଠା ଓ ବିଭିନ୍ନ ପ୍ରକାରର ପିଠାପଣା ପ୍ରସ୍ତୁତ ହୋଇଥାଏ । ଏଥିରେ ଘିଅ ଓ ବଟରର ବ୍ୟବହାର ଅଧିକ ହୋଇଥାଏ । ତେଣୁ ଏହି ଦୁଇଟି ଉତ୍ପାଦର ଦାମ୍ ବୃଦ୍ଧି ହେବା ଦ୍ୱାରା ପାର୍ବଣ ବଜେଟ୍ ଉପରେ ପ୍ରଭାବ ପଡ଼ିପାରେ ।






