ଏ.କେ ବ୍ୟୁରୋ : ପ୍ରେମ, ପ୍ରତାରଣା କାରଣକୁ ନେଇ ଚାକିରି ଶେଷ । ଉଦଳାର ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ଅଭିଯୁକ୍ତ OTAS ଅଫିସର ଭୀମସେନ ଟୁଡୁ ଚାକିରିରୁ ବହିସ୍କୃତ । ଫକୀର ମୋହନ ମେଡିକାଲ କଲେଜର ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ । ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ, ନବନିଯୁକ୍ତ ଓଡ଼ିଶା ଟାକ୍ସେସନ୍ ଆଣ୍ଡ ଆକାଉଣ୍ଟସ୍ ସର୍ଭିସ୍-OTAS ଅଫିସର ଭୀମସେନ ଟୁଡୁଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
ତାଙ୍କର ପ୍ରଶିକ୍ଷଣ ଓ ଚୂଡ଼ାନ୍ତ ପରୀକ୍ଷାରେ ଅନୁପସ୍ଥିତ ରହିବା ସହ ଏହି ସଙ୍ଗୀନ ମାମଲାରେ ସଂପୃକ୍ତିକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବହିଷ୍କାର ଆଦେଶ ଦେଇଛନ୍ତି। ଭବିଷ୍ୟତରେ ମଧ୍ୟ ଭୀମସେନ ଟୁଡୁ ଆଉ କୌଣସି ସରକାରୀ ଚାକିରି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ।ଗତ ଜୁନ୍ ୪ ତାରିଖରେ କଟକ ବାରଙ୍ଗ ଥାନା ତ୍ରିଶୁଳିଆ ବ୍ରିଜ୍ ନିକଟ କାଠଯୋଡ଼ି ନଦୀରୁ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ମିଳିଥିଲା। ଚନ୍ଦ୍ରିକାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଏବଂ ମାନସିକ ନିର୍ଯାତନା ଦେବା ଅଭିଯୋଗରେ କମିଶନରେଟ୍ ପୋଲିସ ଗତ ଜୁନ୍ ୧୪ ତାରିଖରେ ଭୀମସେନଙ୍କୁ ଗିରଫ କରିଥିଲା।
ପୂର୍ବରୁ ସେ ଫେରାର ଥିବାବେଳେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ ମଧ୍ୟ କରିଥିଲେ। କିନ୍ତୁ ଶେଷରେ ପୋଲିସ ହାତରେ ଧରାପଡ଼ିଥିଲେ। ରିମାଣ୍ଡ ଅବଧି ଶେଷ ହେବା ପରେ ବର୍ତ୍ତମାନ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ପୋଲିସ ସେମାନଙ୍କର ହ୍ୱାଟ୍ସଆପ୍ ଚାଟ୍, ଅଡିଓ କଲ୍ ଏବଂ ଡିଜିଟାଲ୍ ଦସ୍ତାବିଜକୁ ଯାଞ୍ଚ କରିଛି।
ଭୀମସେନ ଚନ୍ଦ୍ରିକାଙ୍କୁ ଦୀର୍ଘ ଦିନ ଧରି ମାନସିକ ଚାପରେ ରଖିଥିଲେ ଏବଂ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିବା ପରେ ଧୀରେ ଧୀରେ ଦୂରେଇ ଯାଉଥିଲେ ବୋଲି ସ୍ପଷ୍ଟ ହୋଇଛି। ଭୀମସେନଙ୍କ ବିରୋଧରେ ବିଏନ୍ଏସ୍ ଧାରା ୬୯ ଏବଂ ଆତ୍ମହତ୍ୟା ପାଇଁ ଉସୁକାଇବା ଭଳି ସଙ୍ଗୀନ ଦଫା ଲଗାଯାଇଛି।
ଅନ୍ୟପଟେ ଚନ୍ଦ୍ରିକାଙ୍କ ମାଆ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଭୀମସେନ ତାଙ୍କ ଝିଅର କଳା ରଙ୍ଗ ଗୋରା କରିବା ପାଇଁ ଟ୍ରିଟମେଣ୍ଟ ନେବାକୁ ବାଧ୍ୟ କରୁଥିଲେ । ଏହା ପଛରେ ତ୍ରିକୋଣୀୟ ପ୍ରେମ ବା ଯୋଜନାବଦ୍ଧ ହତ୍ୟାକାଣ୍ଡର ସନ୍ଦେହ ମଧ୍ୟ ରହିଛି। ବର୍ତ୍ତମାନ ବାରଙ୍ଗ ପୋଲିସ ଏହି ସମ୍ବେଦନଶୀଳ ମାମଲାର ଅଧିକ ତଦନ୍ତ ଚଳାଇଛି।






