AK ଗଲା ୨ ଦଶନ୍ଧି ମଧ୍ୟରେ ରାଜ୍ୟବାସୀ କେବେ ହେଲେ ବି କାହାକୁ ଉପ ମୁଖ୍ୟମନ୍ତ୍ରୀ ଭାବେ ଦେଖି ନାହାନ୍ତି। ମୁଖ୍ୟମନ୍ତ୍ରୀ ହିଁ ସବୁ କାମ କରନ୍ତି। ଦିବଂଗତ ସିପିଏମ ଭେଟରାନ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଶେଷଥର ପାଇଁ ଜ୍ୟୋତି ବସୁ ସରକାରରେ ଉପ ମୁଖ୍ୟମନ୍ତ୍ରୀ ରହିଥିଲେ। ବେଙ୍ଗଲରେ ପ୍ରଥମଥର ସରକାର ଗଠନ କରିବାକୁ ଯାଉଥିବା ବିଜେପି ଆଜି ହିଁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବ। ବିଜେପି ବିଧାୟକ ଦଳ ବୈଠକରେ ଅଧ୍ୟକ୍ଷତା କରିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କୋଲକାତାରେ ପହଞ୍ଚି ସାରିଛନ୍ତି। ସନ୍ଧ୍ୟା ସୁଦ୍ଧା ବିଧାୟକ ଦଳ ନେତାଙ୍କୁ ବଛାଯିବ। ଏହାପରେ ସେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ। ଆସନ୍ତାକାଲି ବେଙ୍ଗଲରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ବେଙ୍ଗଲରେ ବିଜେପି ମମତା ବାନାର୍ଜୀଙ୍କ ପୁରୁଣା ସହଯୋଗୀଙ୍କୁ ହିଁ ତାଙ୍କ ଉତ୍ତରାଧିକାରୀ ଭାବେ ବାଛିବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ହେବା ରେସ୍ରେ ସବୁଠାରୁ ଆଗରେ ରହିଛନ୍ତି ବିଜେପିର ଫାୟାରବ୍ରାଣ୍ଡ ନେତା ଶୁଭେନ୍ଦୁ ଅଧିକାରୀ। ସେ ଏବେ ନିଜ ରାଜନୀତିକ ମାର୍ଗଦର୍ଶକ ମମତା ବାନାର୍ଜୀଙ୍କ ଉତ୍ତରାଧିକାରୀ ହେବାକୁ ଅପେକ୍ଷା କରି ରହିଛନ୍ତି। ୨୦୨୦ ଯାଏ ଶୁଭେନ୍ଦୁ ଟିଏମସିରେ ରହିଥିଲେ। ମମତାଙ୍କ ଘନିଷ୍ଠ ସହଯୋଗୀ ଭାବେ କାମ କରୁଥିଲେ। କିନ୍ତୁ ୨୦୨୧ ବେଙ୍ଗଲ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଟିଏମସି ଛାଡ଼ି ବିଜେପିରେ ମିଶିଥିଲେ।
୨୦୨୧ରେ ମମତା ତାଙ୍କୁ ନିନ୍ଦିଗ୍ରାମରେ ଚ୍ୟାଲେଞ୍ଜ କରି ହାରିଥିଲେ। ଏଥର ମମତାଙ୍କ ଗଡ଼ ଭବାନୀପୁରରେ ଶୁଭେନ୍ଦୁଙ୍କୁ ପ୍ରାର୍ଥୀ କରିଥିଲା ବିଜେପି। ସେ ୨୦୨୬ ମଧ୍ୟ ମମତାଙ୍କୁ ତାଙ୍କ ଗଡ଼ରେ ହରାଇ ଦେଇଛନ୍ତି। ସେ ମମତାଙ୍କୁ ହରାଇ ଥିବାରୁ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ । ବେଙ୍ଗଲ ବିଧାନସଭା ନିର୍ବାଚନରେ ବିଜେପି ପ୍ରଥମଥର ସରକାର ଗଠନ କରିବାକୁ ଜନାଦେଶ ପାଇଛି। ଏବେ ଦଳର ଫୋକସ ସରକାର ଗଠନ ଉପରେ ରହିଛି। ସରକାର ଗଠନ ପ୍ରକ୍ରିୟା ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ମିଳିଛି ଯେ ଶୁଭେନ୍ଦୁ ଅଧିକାରୀ ହିଁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଶୁଭେନ୍ଦୁଙ୍କୁ ସହାୟତା କରିବାକୁ ୨ ଜଣ ବରିଷ୍ଠ ନେତା ଉପ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ।
ଗଲା ୨ ଦଶନ୍ଧି ମଧ୍ୟରେ ରାଜ୍ୟବାସୀ କେବେ ହେଲେ ବି କାହାକୁ ଉପ ମୁଖ୍ୟମନ୍ତ୍ରୀ ଭାବେ ଦେଖି ନାହାନ୍ତି। ମୁଖ୍ୟମନ୍ତ୍ରୀ ହିଁ ସବୁ କାମ କରନ୍ତି। ଦିବଂଗତ ସିପିଏମ ଭେଟରାନ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଶେଷଥର ପାଇଁ ଜ୍ୟୋତି ବସୁ ସରକାରରେ ଉପ ମୁଖ୍ୟମନ୍ତ୍ରୀ ରହିଥିଲେ। ଏହା ପରଠାରୁ କାହାକୁ ବି କେବେ ହେଲେ ଉପ ମୁଖ୍ୟମନ୍ତ୍ରୀ କରାଯାଇ ନାହିଁ। ବେଙ୍ଗଲରେ ବିଜେପି ଐତିହାସିକ ବିଜୟ ହାସଲ କରିଥିବାରୁ ଏବେ ୨ ଜଣ ରାଜ୍ୟରେ ଉପ ମୁଖ୍ୟମନ୍ତ୍ରୀ ପଦ ପାଇବେ। ସେହିପରି ୨ ଜଣଙ୍କ ମଧ୍ୟରୁ ଜଣେ ମହିଳା ରହିବେ। ଓଡ଼ିଶାରେ ଯେଉଁ ଭଳି ବିଜେପି ସରକାର ଆସିବା ପରେ ଜଣେ ମହିଳାଙ୍କୁ ପ୍ରଥମଥର ଉପ ମୁଖ୍ୟମନ୍ତ୍ରୀ କରାଯାଇଥିଲା ଠିକ ସେହି ଫର୍ମୁଲା ବିଜେପି ବେଙ୍ଗଲରେ ଆପଣାଇବାକୁ ଲକ୍ଷ୍ୟ ରଖିଛି।
ବେଙ୍ଗଲକୁ ପ୍ରଥମଥର ପାଇଁ ଜଣେ ମହିଳା ଉପ ମୁଖ୍ୟମନ୍ତ୍ରୀ ଦେବାକୁ ବିଜେପି ଚାହୁଁଛି। ଏହି ପଦ ହାତେଇବାକୁ ସବୁଠୁ ଆଗରେ ରହିଛନ୍ତି ବିଜେପିର ଅଗ୍ନିମିତ୍ର ପଲ। ସେ ଆସନସୋଲ ଦକ୍ଷିଣରୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଛନ୍ତି । ସେହିପରି ଆଉ ଜଣେ ଉପ ମୁଖ୍ୟମନ୍ତ୍ରୀ ଉତ୍ତର ବେଙ୍ଗଲରୁ ହେବେ। ସିଲିଗୁଡ଼ିରୁ ବିଜୟ ହୋଇଥିବା ଦଳର ବରିଷ୍ଠ ନେତା ଶଙ୍କର ଘୋଷ ବେଙ୍ଗଲର ଉପ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଶ୍ରୀ ଶାହ କୋଲକାତାରେ ପହଞ୍ଚିବା ପରେ ପ୍ରଥମେ ଶୁଭେନ୍ଦୁ ଅଧିକାରୀଙ୍କ ସହ କାରରେ ଯାତ୍ରା କରି ତାଙ୍କ ସହ ବୈଠକ କରିଥିଲେ। ଏହାପରେ ସେ ଅଗ୍ନିମିତ୍ର ପଲ ଓ ଶଙ୍କର ଘୋଷଙ୍କ ସହ ମଧ୍ୟ ପୃଥକ ପୃଥକ ଭାବେ ଆଲୋଚନା କରିଛନ୍ତି। ତେଣୁ ଉଭୟ ଉପ ମୁଖ୍ୟମନ୍ତ୍ରୀ ହେବା ଚର୍ଚ୍ଚା ହେଉଛି। ଆଜି ସନ୍ଧ୍ୟାରେ ବିଜେପିର ନବ ନିର୍ବାଚିତ ବିଧାୟକଙ୍କ ବୈଠକ ବସିବ। ଏହି ବୈଠକରେ ବେଙ୍ଗଲ ବିଜେପି ମୁଖ୍ୟ ସମିକ ଭଟ୍ଟାଚାର୍ଯ୍ୟ ହିଁ ଶୁଭେନ୍ଦୁ ଅଧିକାରୀଙ୍କୁ ବିଧାୟକ ଦଳ ନେତା କରିବାକୁ ପ୍ରସ୍ତାବ ଦେବେ। ଏହାକୁ ବିଧାୟକମାନେ ସମର୍ଥନ କରିବାର ସମ୍ଭାବନା ରହିଛି। ତେଣୁ ଆଉ କିଛି ଘଣ୍ଟା ପରେ ଶୁଭେନ୍ଦୁ ଅଧିକାରୀ ବେଙ୍ଗଲର ମୁଖ୍ୟମନ୍ତ୍ରୀ ହେବାକୁ ବିଧିବଦ୍ଧ ଭାବେ ଅନୁମତି ପାଇବେ।






