ଏ.କେ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ କୁହୁଡ଼ି ପଞ୍ଚାୟତ ବଘେଇସାହି ସ୍ଥିତ ଶତାଧିକ ବର୍ଷର ପୁରାତନ ରାଧାମୋହନ ମଠର ମୁଖ୍ୟ ପ୍ରବେଶ ଦ୍ୱାର ନିକଟରେ ଜୋର ଜବରଦସ୍ତ ସରକାରୀ ଅନୁଦାନପ୍ରାପ୍ତ ରୋଷେଇ ଘର ନିର୍ମାଣ କରାଯାଉଛି।ଏହି ନିର୍ମାଣ କାର୍ଯ୍ୟ ଟାଙ୍ଗୀ ବ୍ଲକ୍ ପାଣ୍ଠିରୁ କରାଯାଉଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ଓ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସାଙ୍ଗକୁ ଉତ୍ତେଜନା ଦେଖାଦେଇଛି।

ସୂଚନା ମୁତାବକ ମଠର ସମ୍ମୁଖ ଭାଗରେ ଯେଉଁ ଖାଲି ସ୍ଥାନ ରହିଛି ସେହି ସ୍ଥାନକୁ ମଠର ସୌନ୍ଦର୍ଯ୍ୟକରଣ ଓ ଭକ୍ତଙ୍କ ଯାତାୟତ ପାଇଁ ରଖଯାଇଥିଲା।ମାତ୍ର ବର୍ତ୍ତମାନ ସମୟରେ ସେହି ପବିତ୍ର ସ୍ଥାନରେ ମଠ ଦ୍ୱାରକୁ ଲାଗି ରୋଷେଇ ଘରର ଫାଉଣ୍ଡେସନ ପକାଯାଇଛି।ମଠ ଗେଟ୍ ସହିତ ଅନାବନା ଭାବେ ଲାଗି ଘର ନିର୍ମାଣ ହେଲେ ମଠର ପରମ୍ପରା ଓ ପବିତ୍ରତା ନଷ୍ଟ ହେବା ଏକ ପ୍ରକାର ନିଶ୍ଚିତ ଜଣାପଡିଛି।ଗ୍ରାମବାସୀଙ୍କ କହିବା ଅନୁସାରେ ଏହି ମଠ ଆମ ଗ୍ରାମର ଆସ୍ଥାର ପ୍ରତୀକ।ପ୍ରତିଦିନ ଶହ ଶହ ଭକ୍ତ ଏଠାକୁ ଆସନ୍ତି।

ମଠ ଦ୍ୱାର ସମ୍ମୁଖରେ ରୋଷେଇ ଘର ହେଲେ ଭକ୍ତଙ୍କ ଯିବା ଆସିବା ବନ୍ଦ ହେବା ସାଙ୍ଗକୁ ବିଭିନ୍ନ ଧାର୍ମିକ କାର୍ଯ୍ୟରେ ଘୋର ଅସୁବିଧା ସୃଷ୍ଟି ହେବ।ଗ୍ରାମ ମଧ୍ୟରେ ଅନେକ ସରକାରୀ ଖାଲି ଯାଗା ରହିଥିଲେ ସୁଦ୍ଧା ଜାଣିଶୁଣି ମଠ ଆଗରେ ରୋଷେଇ ଘର ନିର୍ମାଣ କରାଯିବା କେତେ ଦୂର ଯଥାର୍ଥ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏନେଇ ରାଜ୍ୟ ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଖୋର୍ଦ୍ଧା ବିଧାୟକ,ଜିଲ୍ଲା ଉନ୍ନୟନ ଅଧିକାରୀ,ବ୍ଲକ ଅଧ୍ୟକ୍ଷା,ବିଡିଓ ଟାଙ୍ଗୀ ବ୍ଲକ,ଏଇ/ଜେଇ ଟାଙ୍ଗୀ ବ୍ଲକ,କୁହୁଡ଼ି ସରପଞ୍ଚ,ଜିଲ୍ଲା ପରିଷଦ ଓ ସମିତି ସଭ୍ୟାଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ମଠ ଗେଟ୍ ସମ୍ମୁଖରେ ଚାଲିଥିବା ଏହି ବେଆଇନ ରୋଷେଇ ଘର ନିର୍ମାଣକୁ ତୁରନ୍ତ ବନ୍ଦ କରାଯାଇ ଅନ୍ୟତ୍ର ଖାଲି ସ୍ଥାନ ଥିବା ଉପଯୁକ୍ତ ସରକାରୀ ସ୍ଥାନରେ କରାଯିବାକୁ ଲିଖିତ ଅଭିଯୋଗ କରିଛନ୍ତି।






