ମୁମ୍ବାଇ,ଏ.କେ ବ୍ୟୁରୋ : ରନ୍ଧନ ଗ୍ୟାସ ପରେ ମହଙ୍ଗା ହେଲା ସିଏନ୍ଜି। କିଲୋ ପ୍ରତି ଦୁଇ ଟଙ୍କା ବଢ଼ିଛି। ଏହି ଦର ଓଡ଼ିଶାରେ ନୁହେଁ, ମୁମ୍ବାଇ ମହାନଗର ଅଞ୍ଚଳରେ ବଢ଼ାଯାଇଛି। ମହାନଗର ଗ୍ୟାସ ଲିମିଟେଡ୍ ସିଏନ୍ଜି ଦର ବଢ଼ାଇଛି। ନୂଆ ଦଳ ଲାଗୁ ହେବା ପରେ ମୁମ୍ବାଇ, ଥାଣେ, ନଭି ମୁମ୍ବାଇ ଆଦି ଅଞ୍ଚଳରେ ଏବେ ସିଏନ୍ଜି କିଲୋ ୮୪ ଟଙ୍କା ହୋଇଛି।

ପୂର୍ବରୁ ମୁମ୍ବାଇ ମହାନଗର ନିଗମ ଅଞ୍ଚଳରେ ସିଏନ୍ଜି କିଲୋ ୮୨ ଟଙ୍କା ଥିଲା। ଆଜିଠାରୁ ୨ ଟଙ୍କା ବଢ଼ିଛି। ଏହାର ପ୍ରଭାବ ବିଶେଷ କରି ଛୋଟ ଗାଡ଼ି ଯଥା ଅଟୋ ଓ ଟେକ୍ସି ଉପରେ ପଡ଼ିବ। ଏହାଛଡ଼ା ସାଧାରଣ ଲୋକଙ୍କୁ ପରିବହନ ସେବା ଯୋଗାଉଥିବା ଓଲା ଓ ଓବର ଉପରେ ମଧ୍ୟ ପଢ଼ିବ। ଏଥିପାଇଁ ସାଧାରଣ ଲୋକଙ୍କୁ ଅଧିକ ଅର୍ଥ ପୈଠ କରିବାକୁ ପଡ଼ିବାକୁ ଯାଉଛି।
ସିଏନ୍ଜି ରେଟ୍ ବଢ଼ିବା ପରେ ମୁମ୍ବାଇ ମହାନଗର ନିଗମରେ ଥିବା ଅଟୋ ମହାସଂଘ ଯାତ୍ରୀଙ୍କ ଭଡ଼ା ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛି। ମହାସଂଘର କହିବା ଅନୁସାରେ ଗତ କିଛି ଦିନ ହେଲା ବୀମା, ଗାଡ଼ି ସ୍ପେୟାର ପାଟ୍ସ, ଅନ୍ୟାନ୍ୟ ଖର୍ଚ୍ଚ ବଢ଼ି ଚାଲିଛି। ତେଣୁ ଭଡ଼ା ସର୍ବ ନିମ୍ନ ୧ ଟଙ୍କା ବଢ଼ାଇବା ପାଇଁ ନିଷ୍ପତ୍ତି ହୋଇଛି। ଭଡ଼ା ବଢ଼ିବା ପରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।






