AK ମହିଳା ସଂରକ୍ଷଣ ପ୍ରସଙ୍ଗରେ ରାତି ଅଧ ଯାଏଁ ଚାଲିଲା ବିଧାନସଭା । ଶାସନତନ୍ତ୍ରରେ ମହିଳାଙ୍କ ଭାଗିଦାରୀକୁ ନେଇ ଚାଲିଥିଲା ତର୍କବିତର୍କ । ହେଲେ ଏହି ତର୍କ ଆଳରେ ପରସ୍ପରର ଗୋହି ଖୋଳିଲେ ଶାସକ-ବିରୋଧୀ । ମାଇଲେଜ ନେବାକୁ ସବୁ ଦଳ ମଧ୍ୟରେ ଚାଲିଲା ପ୍ରତିଯୋଗିତା । ମହିଳା ସଂରକ୍ଷଣ ଆଉ ପ୍ରସଙ୍ଗ ହୋଇନାହିଁ ବରଂ ରାଜନୈତିକ ଦଳ ଗୁଡିକ ପାଇଁ ମାଇଲେଜ ନେବାର ମାଧ୍ୟମ ପାଲଟିଛି । ସଂସଦରେ ବିଲ୍ ପାରିତ ହେଲାନି ହେଲେ ବିଧାନସଭାରେ ଏହାକୁ ନେଇ ଜୋରଦାର ହୋଇଛି ରାଜନୀତି । ଏମିତି ଆଲୋଚନା ହେଲା ଯେ, ଦିନ ପାହିକି ରାତି ଅଧ ହୋଇଗଲା । ହେଲେ ନିଷ୍କର୍ସ କାହାକୁ ଫାଇଦା ଦେଲା ? ମହିଳାଙ୍କୁ ନା ରାଜନୈତିକ ଦଳକୁ ତାହା ସବୁଠୁ ବଡ ପ୍ରଶ୍ନ ।

ମହିଳା ସଂରକ୍ଷଣ ପ୍ରସଙ୍ଗରେ ରାତି ଅଧ ଯାଏଁ ଚାଲିଲା ବିଧାନସଭା । ଶାସନତନ୍ତ୍ରରେ ମହିଳାଙ୍କ ଭାଗିଦାରୀକୁ ନେଇ ଚାଲିଥିଲା ତର୍କବିତର୍କ । ହେଲେ ଏହି ତର୍କ ଆଳରେ ପରସ୍ପରର ଗୋହି ଖୋଳିଲେ ଶାସକ-ବିରୋଧୀ । ମାଇଲେଜ ନେବାକୁ ସବୁ ଦଳ ମଧ୍ୟରେ ଚାଲିଲା ପ୍ରତିଯୋଗିତା । ୪୦ରୁ ଅଧିକ ଉଭୟ ଶାସକ ଓ ବିରୋଧୀ ବିଧାୟକ ଆଲୋଚନାରେ ଭାଗ ନେଲେ ହେଲେ, କେହି ଗଠନ ମୂଳକ ପ୍ରସ୍ତାବ ଦେଲେନି । ଶେଷରେ ବ୍ୟକ୍ତିଗତ ଆକ୍ଷେପ, ସମାଲୋଚନାରେ ସରିଗଲା ସ୍ୱତନ୍ତ୍ର ଅଧିବେଶନ । କେବଳ ପ୍ରସ୍ତାବ ପାରିତ କରି ନିଜ ନିଜ ମୁଣ୍ଡରୁ ଦୋଷ ଝାଡ଼ିଦେଲେ ଶାସକ-ବିରୋଧୀ । ସାଢ଼େ ୧୦ ଘଣ୍ଟା ଧରି ଆଲୋଚନା ହେଲା ସତ, ହେଲେ ଆଗକୁ ମହିଳାଙ୍କୁ ହକ୍ ମିଳିବ କି ? ରାଜନୈତିକ ଦଳର ପତିଆରା ଲଢେଇ ଭିତରେ ମହିଳାଙ୍କ ଅଧିକାର ଯେପରି ପ୍ରଶ୍ନର ପାହାଡ଼ ଭିତରେ ଲୁଚିଗଲା ବୋଲି ମତ ରଖିଛନ୍ତି ରାଜନୈତିକ ବିଶେଷଜ୍ଞ ।

ମହିଳା ସଂରକ୍ଷଣ ବିଲକୁ ସମସ୍ତେ ସମର୍ଥନ କରୁଥିଲେ ବୋଲି କହୁଛନ୍ତି । ହେଲେ ସୁଯୋଗ ଥାଇ ବି ମହିଳାଙ୍କୁ କେମିତି ବିଧାନସଭା, ସଂସଦଠାରୁ ଆରମ୍ଭ କରି ସମବାୟ ଓ ଅନ୍ୟାନ୍ୟ ନିର୍ବାଚନରେ ସମାନ ଭାଗିଦାରୀ ମିଳିବ ସେ ନେଇ କେହି ପ୍ରସ୍ତାବ ଦେଇନଥିଲେ । ମହିଳାଙ୍କ ସୁରକ୍ଷାକୁ କେମିତି ସୁନିଶ୍ଚିତ କରାଯିବ ସେ ନେଇ କେହି ମତ ରଖିନଥିଲେ । ଆଗାମୀ ଦିନରେ ମହିଳାଙ୍କ ପାଇଁ କଣ କରାଯାଇପାରିବ ସେ ନେଇ ଶାସକ ଓ ବିରୋଧୀ କେହି ଆଲୋଚନା କରିନଥିଲେ । ଏସବୁ ଭିତରେ ମହିଳାଙ୍କୁ ନେଇ ତେଜିଛି ରାଜନୀତି । ବିଜେଡି ଆସନ୍ତା ୧୦ରୁ ୨୫ ତାରିଖ ଯାଏଁ ‘ନାରୀ ଅଧିକାର ଅଭିଯାନ’ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ନିର୍ବାଚନମଣ୍ଡଳୀୱାରୀ ବିଜେପିର ମିଛ ମୁଖା ଖୋଲିବାକୁ ଅଣ୍ଟା ଭିଡ଼ିଛି ଦଳ । ସମାନ ଢଙ୍ଗରେ କଂଗ୍ରେସ ଶାସକ ଦଳକୁ କାଉଣ୍ଟର କରିବାକୁ ଯୋଜନା କରିଛି । ଅନ୍ୟପଟେ ବିଜେଡି ମହିଳାଙ୍କୁ ପଛରୁ ଛୁରି ମାରିଛି କହି ଟାର୍ଗେଟ କରିଛି ବିଜେପି । ମହିଳା ସଂରକ୍ଷଣ ବିଲ୍କୁ ନେଇ ରାଜନୈତିକ ଦଳର ଗର୍ଜନ ତର୍ଜନ ଭିତରେ ମହିଳାଙ୍କୁ ନେଇ କାହାର ଦରଦ କେତେ ତାହା ଆଗାମୀ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ହେବ ।
ବ୍ୟୁରୋ ରିପୋର୍ଟ ଆପଣଙ୍କ ଖବର






