ଏ.କେ ବ୍ୟୁରୋ : ଜଳୁଛି ଜଙ୍ଗଲ । ମାଲକାନଗିରି ଜିଲ୍ଲାରେ ପ୍ରବଳ ଗରମ ସାଙ୍ଗକୁ ଦାଉ ସାଧୁଛି ଜଙ୍ଗଲ ନିଆଁ । ନିଆଁର ପ୍ରକୋପରେ ଅସ୍ତବ୍ୟସ୍ତ ହୋଇପଡୁଛି ଜନଜୀବନ । ଜିଲ୍ଲା ସଦର ମହକୁମାର ତାରିଣୀ ମନ୍ଦିର ନିକଟରେ ଲାଗିଥିଲା ନିଆଁ ।
ଭୟଙ୍କର ନିଆଁ ଲାଗିଥିବାରୁ ବହୁ ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଛି । କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି । ଜୀବଜନ୍ତୁ ମଧ୍ୟ ବିପଦରେ ପଡୁଛନ୍ତି । ଧାସ ଏତେ ଜୋରେ ଉଠିଥିଲା ଯେ ଆଖପାଖ ଗ୍ରାମବାସୀ କଲବଲ ହୋଇପଡିଥିଲେ । ଗତ ଦୁଇ ଦିନ ହେଲା ନିଆଁ ଲାଗିଥିଲା । ଲିଭାଇବାକୁ ନାକେଦମ ହୋଇପଡିଥିଲା ବନବିଭାଗ । ଦୀର୍ଘ ଘଣ୍ଟାର ଚେଷ୍ଟା ପରେ ଆୟତ୍ତ କରିଥିଲା ବନବିଭାଗ । ଏପଟେ ପ୍ରବଳ ଖରା, ସେପଟେ ଜଙ୍ଗଲ ଅଗ୍ନିକାଣ୍ଡ ଯୋଗୁଁ ସଦର ଅଞ୍ଚଳରେ ଉତ୍ତାପ ଆହୁରି ବୃଦ୍ଧି ପାଇଥିବା ଅନୁଭବ ହେଉଛି । ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।






