ଏ.କେ ବ୍ୟୁରୋ : ବହୁ ଦଶନ୍ଧି ଧରି ବାମପନ୍ଥୀ ଏବଂ ପରେ ତୃଣମୂଳ କଂଗ୍ରେସର ଗଡ଼ ରହିଥିବା ପଶ୍ଚିମବଙ୍ଗରେ ଏବେ ‘ପଦ୍ମ’ ଫୁଟିଛି । ଶୁଭେନ୍ଦୁ ଅଧିକାରୀ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ବେଳେ ଏହି ପରିବର୍ତ୍ତନ କେବଳ ବିଚାରଧାରାର ନୁହେଁ ବରଂ ପ୍ରତୀକର ମଧ୍ୟ । ଖବର ଅନୁଯାୟୀ, ବଙ୍ଗଳା ସରକାରଙ୍କ ମୁଖ୍ୟ କାର୍ଯ୍ୟାଳୟ ଅବା ସଚିବାଳୟ ପୁଣିଥରେ ଐତିହାସିକ ‘ରାଇଟର୍ସ ବିଲଡିଂ’କୁ ଫେରିବ । ବଙ୍ଗଳା ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଘଟିଛି ।

ବହୁ ଦଶନ୍ଧି ଧରି ବାମପନ୍ଥୀ ଏବଂ ପରେ ତୃଣମୂଳ କଂଗ୍ରେସର ଗଡ଼ ରହିଥିବା ପଶ୍ଚିମବଙ୍ଗରେ ଏବେ ‘ପଦ୍ମ’ ଫୁଟିଛି । ଶୁଭେନ୍ଦୁ ଅଧିକାରୀ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ବେଳେ ଏହି ପରିବର୍ତ୍ତନ କେବଳ ବିଚାରଧାରାର ନୁହେଁ ବରଂ ପ୍ରତୀକର ମଧ୍ୟ । ଖବର ଅନୁଯାୟୀ, ବଙ୍ଗଳା ସରକାରଙ୍କ ମୁଖ୍ୟ କାର୍ଯ୍ୟାଳୟ ଅବା ସଚିବାଳୟ ପୁଣିଥରେ ଐତିହାସିକ ‘ରାଇଟର୍ସ ବିଲଡିଂ’କୁ ଫେରିବ । ଏହି ଭବ୍ୟ ବିଲ୍ଡିଂର ମୂଳ ଭାରତରେ ବ୍ରିଟିଶ ଶାସନ ସହ ଜଡ଼ିତ। ୧୭୭୭ ମସିହାରେ ଡିଜାଇନର ଥୋମାସ ଲିଓନଙ୍କ ଦ୍ୱାରା ନିର୍ମିତ ଏହି ବିଲଡିଂ ପ୍ରଥମେ ଇଷ୍ଟ ଇଣ୍ଡିଆ କମ୍ପାନିର କନିଷ୍ଠ କିରାଣୀ ବା ‘ରାଇଟର୍ସ’ମାନଙ୍କ ବସିବା ପାଇଁ ତିଆରି କରାଯାଇଥିଲା । ଏହି କାରଣରୁ ଏହାର ନାମ ‘ରାଇଟର୍ସ ବିଲଡିଂ’ ପଡ଼ିଥିଲା । ୧୨୮ ଫୁଟ ଲମ୍ବା ବାରଣ୍ଡା ଏବଂ ଗ୍ରୀକ୍-ରୋମାନ ଶୈଳୀର ମୂର୍ତ୍ତିକଳା ଏହାକୁ ଏକ ସ୍ୱତନ୍ତ୍ର ପରିଚୟ ଦିଏ । ଏହାକୁ ବଙ୍ଗଳାର ‘ଲାଲ କୋଠି’ ବୋଲି ମଧ୍ୟ କୁହାଯାଏ। ରାଇଟର୍ସ ବିଲଡିଂ କେବଳ ଶାସନର କେନ୍ଦ୍ର ନୁହେଁ ବରଂ ସ୍ୱାଧୀନତା ସଂଗ୍ରାମର ଏକ ମୁକ ସାକ୍ଷୀ । ୮ ଡିସେମ୍ବର ୧୯୩୦ରେ ତିନିଜଣ ସାହସୀ ବିପ୍ଳବୀ ବିନୟ ବସୁ, ବାଦଲ ଗୁପ୍ତା ଏବଂ ଦିନେଶ ଗୁପ୍ତା ରାଇଟର୍ସ ବିଲଡିଂ ଉପରେ ଆକ୍ରମଣ କରି ବ୍ରିଟିଶ ଅଫିସର କର୍ଣ୍ଣେଲ ଏନ. ସିମ୍ପସନଙ୍କୁ ଗୁଳି କରିଥିଲେ। ପୁଲିସ ସହ ଘଣ୍ଟା ଘଣ୍ଟା ଧରି ଚାଲିଥିବା ଏହି ସଂଘର୍ଷରେ ବିନୟ ଓ ବାଦଲ ଶହୀଦ ହୋଇଥିବା ବେଳେ ଦିନେଶଙ୍କୁ ପରେ ଫାଶୀ ଦିଆଯାଇଥିଲା । ସେମାନଙ୍କ ସ୍ମୃତିରେ ଏହି ଅଞ୍ଚଳର ନାମ ବିବିଡି ବାଗ ରଖାଯାଇଛି । ୧୯୯୩ ମସିହାରେ ଯୁବ କଂଗ୍ରେସ ନେତ୍ରୀ ଥିବାବେଳେ ମମତା ରାଇଟର୍ସ ବିଲଡିଂ ସମ୍ମୁଖରେ ପୁଲିସ ଦ୍ୱାରା ଅପମାନିତ କରାଯାଇଥିଲା । ସେହିଦିନ ସେ ଶପଥ ନେଇଥିଲେ ଯେ ସେ ଏଠାକୁ କେବଳ ଜଣେ ଶାସକ ଭାବେ ଫେରିବେ । ୨୦୧୧ରେ ଜିତିବା ପରେ ସେ ସଚିବାଳୟକୁ ‘ନବନ୍ନ’ କୁ ସ୍ଥାନାନ୍ତରିତ କରିଥିଲେ । କିନ୍ତୁ ଏବେ ବିଜେପି ସରକାର ପୁଣିଥରେ ଏହି ଐତିହାସିକ ଅଟ୍ଟାଳିକାରୁ ଶାସନ ଚଳାଇବାକୁ ପ୍ରସ୍ତୁତ ହେଉଛି । ଟେରାକୋଟା ଇଟାରେ ନିର୍ମିତ ଏହି ତିନି ମହଲା ବିଲ୍ଡିଂ ବଙ୍ଗଳା ଅସ୍ମିତାର ପ୍ରତୀକ । ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ବିଜେପି ଏହି ହେରିଟେଜ୍ ସାଇଟ୍ର ପୁରୁଣା ଚମକ ଫେରାଇ ଆଣିବାକୁ ଲକ୍ଷ୍ୟ ରଖିଛି । କୋଲକାତାର ଆଇକନିକ ଫ୍ଲେସ୍ ଭାବେ ପରିଚିତ ‘ରାଇଟର୍ସ ବିଲଡିଂ’ ଏବେ ପୁଣିଥରେ ସତ୍ତା ଏବଂ ସଂଗ୍ରାମର ନୂଆ କାହାଣୀ ଲେଖିବାକୁ ଯାଉଛି ।






