AK ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଶତାଧିକ ଚାଷୀଙ୍କ ବାଇକ୍ ରାଲି ସୁବର୍ଣ୍ଣପୁର ଜିଲ୍ଲାରେ ନିର୍ମାଣ କୃଷକ ସଂଗଠନର ରାଜ୍ୟବ୍ୟାପୀ “କୃଷକ ସ୍ୱାଭିମାନ ଯାତ୍ରା” ପହଞ୍ଚିଥିବା ବେଳେ ଚାଷୀଙ୍କ ବିଭିନ୍ନ ଦାବିକୁ ନେଇ ଶତାଧିକ ଚାଷୀ ବାଇକ୍ ରାଲିରେ ସାମିଲ ହୋଇଥିଲେ । ଚାଷୀଙ୍କ ପାଇଁ “ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ” ଦାବିକୁ ନେଇ ଏହି ଯାତ୍ରା ଜିଲ୍ଲାରେ ବ୍ୟାପକ ସମର୍ଥନ ପାଇଥିଲା । ସୋନପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀଙ୍କ ପୀଠରେ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ପହଞ୍ଚିଥିବା ଜିଲ୍ଲାର ଛଅଟି ବ୍ଲକର ପ୍ରତିନିଧିମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପରେ ମା’ ସୁରେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା ।

ଏହାପରେ ଏକ ବିରାଟ ବାଇକ୍ ରାଲି ସୋନପୁର ସହର ପରିକ୍ରମା କରି ପଟଭାଡ଼ି ସ୍ଥିତ ରୟାଲ କନଫରେନ୍ସ ହଲ୍ରେ ପହଞ୍ଚିଥିଲା । ଏହି ଅବସରରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଥିଲେ ଯେ, ଚାଷୀମାନଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ବିଶେଷ ଆପ୍ ଲଞ୍ଚ କରାଯାଇଛି । ଏହି ଆପ୍ ମାଧ୍ୟମରେ ଚାଷୀମାନେ ସେମାନଙ୍କ ସମସ୍ୟା ସିଧାସଳଖ ଭାବେ ଜଣାଇ ପାରିବେ । ସଂଗୃହୀତ ସମସ୍ୟାଗୁଡ଼ିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ସେ କହିଥିଲେ ।ସେ ଆହୁରି କହିଥିଲେ ଯେ, ଆଗାମୀ ଦିନରେ ଚାଷୀମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଏକ “ଚାଷୀ ସରକାର” ଗଠନ କରିବାର ଯୋଜନା ରହିଛି । ଏହି କୃଷକ ସ୍ୱାଭିମାନ ଯାତ୍ରା ମାଧ୍ୟମରେ ଚାଷୀଙ୍କ ଅଧିକାର ଓ ସମ୍ମାନ ପାଇଁ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।
ବୀରମହାରାଜପୁର ବ୍ଲକ ରୁ ଯୁଧିଷ୍ଠିର ଖମାରୀ ଙ୍କ ରିପୋର୍ଟ ଆପଣଙ୍କ ଖବର






