ଏ.କେ. ବ୍ୟୁରୋ: ହିମନ୍ତ ବିଶ୍ୱଶର୍ମା ରବିବାର ବିଜେପି ତଥା ଏନ୍ଡିଏ ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି। ସେ ମେ’ ୧୨ ତାରିଖରେ ଲଗାତାର ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ହିମନ୍ତ ବିଶ୍ୱଶର୍ମା ବିଜେପି ତଥା ଏନ୍ଡିଏ ବିଧାୟକ ଦଳର ନେତା ନିର୍ବାଚିତ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ସୂଚନା ଦେଇଛନ୍ତି।

ଆସାମ ବିଧାନସଭା ନିର୍ବାଚନ ପରେ ବିଜେପି ତଥା ଏନ୍ଡିଏର ବିଧାୟକ ଦଳ ନେତା ନିର୍ବାଚନ ପାଇଁ ଶ୍ରୀ ନଡ୍ଡାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଥିଲା ହିମନ୍ତ ବିଶ୍ୱଶର୍ମା ମେ’ ୧୨ ତାରିଖରେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଆଜି ସେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ଏହି ସମୟରେ ତାଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଜେପି ନଡ୍ଡା ଉପସ୍ଥିତ ରହିଥିଲେ। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଲଗାତାର ତୃତୀୟ ଥର ପାଇଁ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ଆସାମରେ ସରକାର ଗଠନ କରିବାକୁ ଯାଉଛି। ଆସାମ ବିଧାନସଭାରେ ୧୨୬ଟି ଆସନ ଥିବା ବେଳେ ଏନ୍ଡିଏ ୧୦୨ଟି ଆସନ ଜିତିଛି। ତା’ ମଧ୍ୟରେ ବିଜେପି ସର୍ବାଧିକ ୮୨ଟି ଆସନ ରହିଛି। ବିଜେପି ପାଖରେ ଏକାକୀ ସରକାର ଗଠନ କରିବାର ମ୍ୟାଜିକ୍ ନମ୍ବର ରହିଛି। ଅନ୍ୟପକ୍ଷରେ ଏନ୍ଡିଏରେ ସାମିଲ ଏଜିପି ଓ ବିପିଏଫକୁ ୧୦ଟି ଲେଖାଏ ଆସନ ମିଳିଛି। । ଗୁହାଟୀରେ ଏନ୍ଡିଏର ନବନିର୍ବାଚିତ ବିଧାୟକମାନଙ୍କ ବୈଠକ ଶେଷ ହେବା ପରେ ଶ୍ରୀ ନଡ୍ଡା କହିଥିଲେ ଯେ ହିମନ୍ତ ବିଶ୍ୱଶର୍ମାଙ୍କୁ ବିଧାୟକ ଦଳ ନେତା କରିବା ପାଇଁ ବିଜେପିର ୮ ଜଣ ବିଧାୟକ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ବିଜେପିର ଅନ୍ୟ ବିଧାୟକଙ୍କ ସହିତ ଏନ୍ଡିଏରେ ସାମିଲ ଥିବା ଆସାମ ଗଣ ପରିଷଦ (AGP) ନେତା ଅତୁଲ ବୋରା ଓ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ (BPF)ର ରିଓନ ଡାଇମରୀ ପ୍ରମୁଖ ସମର୍ଥନ କରିଥିଲେ। ଫଳରେ ସର୍ବସମ୍ମତିକ୍ରମେ ହିମନ୍ତ ବିଶ୍ୱଶର୍ମା ବିଜେପି ତଥା ଏନ୍ଡିଏର ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ।






