ପୁରୁଷୋତ୍ତମପୁର, ଅକ୍ଟୋବର ୩୦ (ତ୍ରିଲୋଚନ ଦାଶ): ଲଗାଣ ବର୍ଷା ଓ ବାତ୍ୟାର ପ୍ରଭାବରେ ବେହାଲ ହୋଇପଡ଼ିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଛୁଁଲି ପଞ୍ଚାୟତର ଜନଜୀବନ। ପ୍ରବଳ ବର୍ଷା ଯୋଗୁଁ ଆଛୁଁଲି ଗ୍ରାମ ସମେତ ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଛି ସଙ୍ଗିନ ପରିସ୍ଥିତି।
ଯୋଗାଯୋଗ ବିଚ୍ଛିନ୍ନ, ଜନଜୀବନ ଅସ୍ତବ୍ୟସ୍ତ!
ପ୍ରତିକୂଳ ପାଗ ଓ ଯାତାୟାତରେ ବାଧା ଯୋଗୁଁ ଅଞ୍ଚଳବାସୀ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି କେତେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଥିବାରୁ ସାଧାରଣ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି।
ଏଭଳି ସଙ୍କଟ ସମୟରେ ଲୋକଙ୍କ ଚିନ୍ତା ବଢ଼ାଇଛି ଖାଦ୍ୟପଦାର୍ଥ ଓ ପାନୀୟ ଜଳର ଆବଶ୍ୟକତା। ବିଶେଷକରି ଶିଶୁ, ମହିଳା, ବୟସ୍କ ଓ ରୋଗୀଙ୍କ ସ୍ଥିତିକୁ ନେଇ ଚିନ୍ତିତ ପରିବାରବର୍ଗ।

ଏପରି ସ୍ଥିତିରେ ବିପନ୍ନ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇଦେବାକୁ ଦାବି ଜୋର ଧରିଛି। ଆଛୁଁଲି ଗ୍ରାମରେ ତୁରନ୍ତ ଓଡ୍ରାଫ୍ ଟିମ୍ ମୁତୟନ କରିବା ସହ ଆବଶ୍ୟକୀୟ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।
ଏଥିସହ ଚାଉଳ, ଚୁଡ଼ା, ଗୁଡ଼, ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ତୁରନ୍ତ ପହଞ୍ଚାଇବାକୁ ଦାବି ହୋଇଛି।
ଏବେ ସମସ୍ତଙ୍କ ନଜର ପ୍ରଶାସନର ପଦକ୍ଷେପ ଉପରେ। ବିପନ୍ନଙ୍କ ନିକଟରେ କେବେ ପହଞ୍ଚିବ ସହାୟତା? କେବେ ସ୍ୱାଭାବିକ ହେବ ଆଛୁଁଲି ଗ୍ରାମର ଜନଜୀବନ? ତାହାକୁ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ।
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରୁ ତ୍ରିଲୋଚନ ଦାଶଙ୍କ ରିପୋର୍ଟ, ଆପଣଙ୍କ ଖବର।






