ଏ.କେ ବ୍ୟୁରୋ : ପ୍ରବଳ ବର୍ଷା ସତ୍ତ୍ୱେ ଅଟଳ ରହିଲା ଦେଶପ୍ରେମ ଓ ଜାତୀୟତାର ସଦ୍ଭାବନା ଆଠଗଡ଼ରେ ୮୦ତମ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଶ୍ରଦ୍ଧା, ଉତ୍ସାହ ଓ ଦେଶପ୍ରେମର ସହ ପାଳିତ ହୋଇଯାଇଛି। ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗ ସତ୍ତ୍ୱେ ଆଠଗଡ଼ ମିନି ଷ୍ଟାଡିୟମ୍ଠାରେ ଆୟୋଜିତ ଏହି ସମାରୋହରେ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ, ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ, ସ୍କାଉଟ୍-ଗାଇଡ୍, ପୋଲିସ ବାହିନୀଙ୍କ ସମେତ ବହୁ ସଂଖ୍ୟକ ସାଧାରଣ ଜନସାଧାରଣ ଉପସ୍ଥିତ ରହିଥିଲେ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସକାଳ ୯ଟା ୧୦ମିନିଟ୍ରେ ମୁଖ୍ୟ ଅତିଥି ତଥା ଉପଜିଲ୍ଲାପାଳ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା ଷ୍ଟାଡିୟମ୍ରେ ପହଞ୍ଚିଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଶାଶ୍ୱତୀ ପାଢ଼ୀ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କୁ ଆନୁଷ୍ଠାନିକ ସ୍ୱାଗତ ଜଣାଇଥିଲେ। ପୋଲିସ ବାହିନୀର ପାଇଲଟିଂ ସହ ଉପଜିଲ୍ଲାପାଳ ମଞ୍ଚକୁ ଆଗମନ କରିଥିଲେ। ଏହାପରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ ଗାନ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ପୂର୍ବ ନିର୍ଦ୍ଧାରିତ ସମୟ ସକାଳ ୯ଟା ୧୫ମିନିଟ୍ରେ ଉପଜିଲ୍ଲାପାଳ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ପୂର୍ଣ୍ଣ ମର୍ଯ୍ୟାଦାର ସହ ରାଷ୍ଟ୍ରଗାନ ‘ଜନ ଗଣ ମନ’ ଗାନ କରାଯାଇଥିଲା।ଜାତୀୟ ପତାକା ଉତ୍ତୋଳନ ପରେ ଉପଜିଲ୍ଲାପାଳ ଶ୍ରୀ ଶର୍ମା ଉପସ୍ଥିତ ସମାବେଶକୁ ଉଦ୍ବୋଧନ ଦେଇ ସ୍ୱାଧୀନତା ଦିବସର ଆନ୍ତରିକ ଶୁଭେଚ୍ଛା ଜଣାଇଥିଲେ। ନିଜ ଅଭିଭାଷଣରେ ସେ ଦେଶ ଓ ସମାଜର ସାମଗ୍ରିକ ଉନ୍ନତି ପାଇଁ ସମସ୍ତଙ୍କୁ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ରହିବାକୁ ଆହ୍ୱାନ ଦେଇଥିଲେ। ଏଥିସହ ଯୁବପିଢ଼ି ଓ ଛାତ୍ରଛାତ୍ରୀ ମାନଙ୍କୁ ଦେଶ ଗଠନ ପ୍ରକ୍ରିୟାରେ ସକ୍ରିୟ ଓ ସକାରାତ୍ମକ ଭୂମିକା ଗ୍ରହଣ କରିବାକୁ ପ୍ରେରଣା ଦେଇଥିଲେ।ଉଦ୍ବୋଧନ ପରେ ଉପଜିଲ୍ଲାପାଳ ପରେଡ୍ ପରିଦର୍ଶନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ସର୍ଜେଣ୍ଟ ସମୀର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ କୁଶଳ ନେତୃତ୍ୱରେ ସର୍ବମୋଟ ୨୨ଟି ଟ୍ରୁପ୍ ଅତ୍ୟନ୍ତ ଶୃଙ୍ଖଳା, ସଂଯମ ଓ ଉଚ୍ଚ ମନୋବଳର ସହ ମନୋଜ୍ଞ ପରେଡ୍ ପ୍ରଦର୍ଶନ କରିଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ପରେଡ୍ରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କ ଅଦମ୍ୟ ଉତ୍ସାହ ଓ ଶୃଙ୍ଖଳା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।ସମାରୋହର ଅନ୍ତିମ ପର୍ଯ୍ୟାୟରେ ପୁରସ୍କାର ବିତରଣ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ଏଥିସହ କୃଷି, ଅଗ୍ନିଶମ ସେବା, ସାମ୍ବାଦିକତା, ସୁରକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ସେବା ଓ ଅବଦାନ ପାଇଁ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବିଏଲ୍ଓ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।ପ୍ରବଳ ବର୍ଷା ଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଆଠଗଡ଼ର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ସାଧାରଣ ଜନସାଧାରଣଙ୍କ ଅଦମ୍ୟ ଉତ୍ସାହ, ଶୃଙ୍ଖଳା ଓ ନିଷ୍ଠାପର ସହଯୋଗ ଯୋଗୁଁ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ସଫଳତାର ସହ ସମ୍ପନ୍ନ ହୋଇଥିଲା। ପ୍ରତିକୂଳ ପାଣିପାଗକୁ ଖାତିର ନକରି ଜାତୀୟ ଦିବସ ପାଳନ ପ୍ରତି ସମସ୍ତଙ୍କ ନିଷ୍ଠା, ଦେଶପ୍ରେମ ଓ ଜାତୀୟତାର ସଦ୍ଭାବନା ନିଶ୍ଚିତ ଭାବେ ପ୍ରଶଂସନୀୟ।






