ଏ.କେ ବ୍ୟୁରୋ : ସନର ବାର୍ତ୍ତା ଦିଆଯାଉଥିବା ବେଳେ, ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଆମ୍ବଶରମୁଣ୍ଡା ପଞ୍ଚାୟତରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ସରକାରୀ ନିୟମକାନୁନ୍ ଓ ଗାଇଡ୍ଲାଇନ୍କୁ ଫୁ କରି ଉଡ଼ାଇ ଦେଇ ରାଜିଙ୍ଗ ଗ୍ରାମ ଆମ୍ବ ଠାରୁ ଜନକପୁର ଫଡି ଘର ପର୍ଯ୍ୟନ୍ତ ନିର୍ମାଣ ହେଉଥିବା କଂକ୍ରିଟ୍ ରାସ୍ତାରେ ବ୍ୟାପକ ଅନିୟମିତତା ଏବଂ ଦୁର୍ନୀତିର ଅଭିଯୋଗ ଆସିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି।
ନିୟମ ଅନୁଯାୟୀ ଯେକୌଣସି ସରକାରୀ ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ସେଠାରେ ଏକ ସୂଚନା ଫଳକ ଲାଗିବା ବାଧ୍ୟାତ୍ମକ, ଯେଉଁଥିରେ ପ୍ରକଳ୍ପର ବ୍ୟୟ ଅଟକଳ, ଦୈର୍ଘ୍ୟ (ମିଟର), କାର୍ଯ୍ୟକାରୀ ସଂସ୍ଥା ଏବଂ ଅନୁଦାନର ଉତ୍ସ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବା କଥା। ମାତ୍ର ଏଠାରେ ସେହି ସମସ୍ତ ନିୟମକୁ ଜଳାଞ୍ଜଳି ଦିଆଯାଇ କୌଣସି ସୂଚନା ଫଳକ ନ ରଖି ସମ୍ପୂର୍ଣ୍ଣ ଗୋପନୀୟତା ଓ ମନମୁଖୀ ଭାବେ କାମ କରାଯାଉଛି। କନିଷ୍ଠ ଯନ୍ତ୍ରୀଙ୍କ (JE) ଅନୁପସ୍ଥିତିରେ ନିମ୍ନମାନର ବାଲି, ସିମେଣ୍ଟ ଏବଂ ମେଟାଲ୍ ଚିପ୍ସ ବ୍ୟବହାର କରି ନିର୍ମାଣ କରାଯାଉଥିବା ଅଭିଯୋଗ ହୋଇଛି। ଏହି ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ଖବର ପାଇ ଆମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ଠିକାଦାର ସରୋଜ ସାହୁଙ୍କୁ ଏ ବାବଦରେ ପ୍ରଶ୍ନ କରିଥିଲେ। ମାତ୍ର ଠିକାଦାର ଶ୍ରୀ ସାହୁ ନିଜର ଦୋଷ ସ୍ୱୀକାର କରିବା ବଦଳରେ ଅତ୍ୟନ୍ତ ଦାୟିତ୍ୱହୀନ ଓ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ରଖି କହିଥିଲେ— “ମୁଁ ଅନୁଗୋଳ ଆସି ଏଠାକାର ଠିକାଦାରମାନଙ୍କଠାରୁ କାମ କିଣି କରୁଛି। କାମ ଯାହାଠାରୁ କିଣିଛି ତାକୁ ଟଙ୍କା, ପଞ୍ଚାୟତ ଲିଡରକୁ ପିସି (PC) ଏବଂ ଜେଇଙ୍କୁ ପିସି ଦେଉଛି। ଏଣୁ ମୋ ଇଚ୍ଛା ଅନୁସାରେ ମୁଁ କାମ କରିବି।” ଠିକାଦାରଙ୍କ ଏପରି ଖୋଲାଖୋଲି ମନ୍ତବ୍ୟ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଠିକାଦାରଙ୍କ ଏହି ସାଂଘାତିକ ବୟାନ ପରେ ସତ୍ୟତା ଜାଣିବା ଏବଂ କନିଷ୍ଠ ଯନ୍ତ୍ରୀଙ୍କ ପକ୍ଷ ଜାଣିବା ପାଇଁ ଆମ ପ୍ରତିନିଧି ତାଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ। ଫୋନ୍ କ୍ରମାଗତ ଭାବେ ରିଙ୍ଗ୍ ହୋଇଥିଲେ ମଧ୍ୟ କନିଷ୍ଠ ଯନ୍ତ୍ରୀ ଜଣକ ଫୋନ୍ ରିସିଭ୍ କରିବାକୁ ମଧ୍ୟ ସାହସ କରିନଥିଲେ, ଯାହାକି ଘଟଣାରେ ଯନ୍ତ୍ରୀଙ୍କ ସନ୍ଦେହଜନକ ସଂପୃକ୍ତିକୁ ଅଧିକ ସ୍ପଷ୍ଟ କରୁଛି। ରାଜ୍ୟରେ ଏକାଭଳି ଦୃଢ଼ ସରକାର ଥାଉଁଥାଉଁ ଯଦି ତୃଣମୂଳ ସ୍ତରରେ ଏଭଳି ଦୁର୍ନୀତି ଏବଂ ଅଧିକାରୀ-ଠିକାଦାରଙ୍କ ମଧୁଚନ୍ଦ୍ରିକା ଚାଲେ, ତେବେ ସାଧାରଣ ଜନତା କିପରି ସରକାରୀ ଯୋଜନାର ସୁଫଳ ପାଇବେ ଏବଂ କେଉଁଠାରୁ ନ୍ୟାୟ ପାଇବେ? ତାହାକୁ ନେଇ ବର୍ତ୍ତମାନ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଦୁର୍ନୀତି ଓ ମନମୁଖୀ କାର୍ଯ୍ୟର ପର୍ଦ୍ଦାଫାଶ ପରେ, ଯଥାଶୀଘ୍ର ଜିଲ୍ଲାର ଜିଲ୍ଲାପାଳ ଏବଂ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତଦନ୍ତ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦୃଢ଼ ଦାବି ହେଉଛି। ପ୍ରଶାସନ ଏହି ଖବର ପ୍ରସାରଣ ପରେ କେବେ ଏବଂ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ବର୍ତ୍ତମାନ ଦେଖିବାକୁ ବାକି ରହିଲା।ଅନୁଗୋଳ ରୁ ଶ୍ୟାମଘନ ନାୟକ






