ଏ.କେ ବ୍ୟୁରୋ : ଓଡ଼ିଶା ପୁଲିସ ୨୦୨୪ ବର୍ଷ ସୁଦ୍ଧା ୩୧୨୭ ଶିଶୁଙ୍କୁ ଉଦ୍ଧାର କରିଥିବା ବେଳେ ୮୯୧୮ ଶିଶୁଙ୍କୁ ପାଇପାରିନାହିଁ । ଏଥିରେ ସର୍ବାଧିକ ୭୮୭୭ ନାବାଳିକା ଥିବା ବେଳେ ୧୦୪୧ ଜଣ ନାବାଳକ ଅଛନ୍ତି । ଅନ୍ୟ ରାଜ୍ୟରେ ଅସୁରକ୍ଷିତ ତଥା ଶୋଷଣର ଶିକାର ହେଉଥିବା ଓଡ଼ିଶାର ଶିଶୁମାନଙ୍କୁ ଠାବ କରିବା ପାଇଁ ଓଡ଼ିଶା ‘ଅପରେସନ୍ ଅନ୍ୱେଷଣ’ ନାଁରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ରାଞ୍ଚଳ ପୁଲିସ ରେଞ୍ଜରେ ନିଖୋଜ ଥିବା ଶିଶୁଙ୍କୁ ରାଜ୍ୟ ବାହାରେ ଖୋଜିବାକୁ ଖୁବ୍ଶୀଘ୍ର ଅଭିଯାନ ଆରମ୍ଭ ହେବାକୁ ଯାଉଛି ।
ରାଜ୍ୟରେ ୨୦୨୪ରେ ୭୨୨୩ ଶିଶୁ ନିଖୋଜ ହୋଇଥିଲେ । ଏଥିରେ ନାବାଳକ ୭୩୮ ଓ ନାବାଳିକା ୬୪୮୫ ଜଣ ଅଛନ୍ତି । ପୂର୍ବ ବର୍ଷମାନଙ୍କର ନିଖୋଜ ଥିବା ଶିଶୁଙ୍କ ସଂଖ୍ୟାକୁ ମିଶାଇଲେ ୨୦୨୪ ସୁଦ୍ଧା ଏହି ସଂଖ୍ୟା ରହିଛି ୮୯୧୮ । ଏଥିରେ ନାବାଳକ ୧୪୬୩ ଓ ନାବାଳିକା ୭୪୫୫ ଜଣ ଅଛନ୍ତି । ଅଧିରୀଶ ପୁଲିସ ଡିଜି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାଞ୍ଚଳ ପୁଲିସ ରେଞ୍ଜ ଆଇଜି ସତ୍ୟଜିତ ନାୟକଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ‘ଅପରେସନ୍ ଅନ୍ୱେଷଣ’ର ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରାଞ୍ଚଳ ରେଞ୍ଜର ଦୁଇଟି ସ୍ୱତନ୍ତ୍ର ଟିମ୍ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଓ ରାଜସ୍ଥାନରେ ନିଖୋଜ ଶିଶୁଙ୍କୁ ଖୋଜିବ । ଏହି ଟିମ୍ଗୁଡ଼ିକ ଓଡ଼ିଶା ପୁଲିସର କ୍ରାଇମ ଆଗେନଷ୍ଟ ଓମେନ୍ ଆଣ୍ଡ ଚିଲ୍ଡ୍ରେନ୍ (ସିଏଡବ୍ଲ୍ୟୁ ଆଣ୍ଡ ସିସି) ୱିଙ୍ଗ, ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରଶାସନ ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ନୂଆଦିଲ୍ଲୀ ଯିବାକୁ ଥିବା ଟିମ୍ର ନେତୃତ୍ୱ ନେବେ ଜଣେ ଡିଏସ୍ପି ପାହ୍ୟାର ଅଧିକାରୀ । ଏଥିରେ କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ପୁଲିସ କର୍ମଚାରୀ ସାମିଲ ହେବେ । ସେହିପରି ରାଜସ୍ଥାନ ପାଇଁ ଗଠିତ ଟିମ୍ର ନେତୃତ୍ୱ ଅନ୍ୟ ଜଣେ ଡିଏସ୍ପି ପାହ୍ୟାର ଅଧିକାରୀ ନେବେ । ଏଥିରେ ଯାଜପୁର, ନୟାଗଡ଼, ଖୋର୍ଦ୍ଧା ଓ ପୁରୀର କର୍ମଚାରୀ ଅଛନ୍ତି । ଶିଶୁ ଉଦ୍ଧାର ଅଭିଯାନରେ ପୁଲିସ ଟିମ୍ଗୁଡ଼ିକ ସମ୍ପୃକ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ), ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି)ଙ୍କ ସହଯୋଗରେ ଶିଶୁ ଯତ୍ନ ଅନୁଷ୍ଠାନ (ସିସିଆଇ) ଗୁଡ଼ିକରି ଯାଞ୍ଚ କରିବେ । ଉପରୋକ୍ତ ରାଜ୍ୟରେ ଥିବା ଓଡ଼ିଶାର ଶିଶୁଙ୍କ ସମ୍ପର୍କରେ ଜାଣିବା ପାଇଁ ମିଶନ ବାତ୍ସଲ୍ୟ ପୋର୍ଟାଲରେ ଉପଲବ୍ଧ ତଥ୍ୟକୁ ବ୍ୟବହାର କରାଯିବ ।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକଙ୍କ ରିପୋର୍ଟ ଆପଣଙ୍କ ଖବର






