ଏ.କେ ବ୍ୟୁରୋ : ବାତ୍ୟା ‘ଅର୍ଣ୍ଣବ’ର ଗତିପଥ ବଦଳାଇଲା ଏଲ୍ ନିନୋ! କାହିଁକି ଆନ୍ଧ୍ରମୁହାଁ ହେଲା ବାତ୍ୟା? କେମିତି ହଠାତ୍ ବଢ଼ିଲା ତୀବ୍ରତା? ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅର୍ଣ୍ଣବ’ର ଗତିପଥ ଓ ତୀବ୍ରତା ପଛରେ ରହିଛି କି ଏଲ୍ ନିନୋର ପ୍ରଭାବ?ବାତ୍ୟା ‘ଅର୍ଣ୍ଣବ’ର ଗତିପଥ ବଦଳାଇଲା ଏଲ୍ ନିନୋ! କାହିଁକି ଆନ୍ଧ୍ରମୁହାଁ ହେଲା ବାତ୍ୟା? କେମିତି ହଠାତ୍ ବଢ଼ିଲା ତୀବ୍ରତା? ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅର୍ଣ୍ଣବ’ର ଗତିପଥ ଓ ତୀବ୍ରତା ପଛରେ ରହିଛି କି ଏଲ୍ ନିନୋର ପ୍ରଭାବ? କାହିଁକି ଓଡ଼ିଶା ପରିବର୍ତ୍ତେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇଲା ବାତ୍ୟା?

କେମିତି ମାତ୍ର ଗୋଟିଏ ଦିନରେ ଏହା ଅତି ଭୀଷଣ ବାତ୍ୟାର ରୂପ ନେଲା? ଏସବୁ ପ୍ରଶ୍ନର ଉତ୍ତର ପାଣିପାଗ ବିଜ୍ଞାନ ଓ ସମୁଦ୍ରର ବଦଳୁଥିବା ପରିସ୍ଥିତି ସହ ଜଡ଼ିତ । ଅକ୍ଟୋବର ୨୩ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ଭାବେ ଆରମ୍ଭ ହୋଇଥିବା ପାଣିପାଗ ବ୍ୟବସ୍ଥା ଅକ୍ଟୋବର ୨୬ରେ ବାତ୍ୟା ‘ଅର୍ଣ୍ଣବ’ର ରୂପ ନେଇଥିଲା। ଏହାପରେ ଅତି ଦ୍ରୁତ ଗତିରେ ଶକ୍ତିଶାଳୀ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଥିଲା। ବୁଧବାର ଭୋର୍ ସମୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିଥିଲା। ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା । ସାଧାରଣତଃ ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଦୁର୍ବଳ ହୋଇଥାଏ। କିନ୍ତୁ ଅର୍ଣ୍ଣବ ସ୍ଥଳଭାଗ ଅତିକ୍ରମ କରିବା ପରେ ମଧ୍ୟ ପ୍ରାୟ ୬ ଘଣ୍ଟା ଧରି ନିଜର ତୀବ୍ରତା ବଜାୟ ରଖିଥିଲା। ଫଳରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ବାତ୍ୟା ଶକ୍ତିଶାଳୀ ହେବା ପାଇଁ ସମୁଦ୍ରର ଉଷ୍ମ ଜଳ ପ୍ରମୁଖ ଇନ୍ଧନ ଭାବେ କାମ କରେ । ସମୁଦ୍ର ଜଳର ତାପମାତ୍ରା ପ୍ରାୟ ୨୬ ଡିଗ୍ରୀ ସେଲସିୟସ କିମ୍ବା ତା’ଠାରୁ ଅଧିକ ରହିଲେ ବାତ୍ୟା ସୃଷ୍ଟି ଓ ତୀବ୍ର ହେବା ପାଇଁ ଅନୁକୂଳ ପରିବେଶ ମିଳିଥାଏ । ଉଷ୍ମ ସମୁଦ୍ର ସହ ଅନୁକୂଳ ବାୟୁମଣ୍ଡଳୀୟ ପରିସ୍ଥିତି, କମ୍ ୱିଣ୍ଡ ସିଅର୍ ଓ ଜଳୀୟବାଷ୍ପର ଯୋଗାଣ ବାତ୍ୟାକୁ ଶକ୍ତିଶାଳୀ କରିଥାଏ । ଅର୍ଣ୍ଣବ ମଧ୍ୟ ଅତି କମ୍ ସମୟ ମଧ୍ୟରେ ଅତି ଭୀଷଣ ବାତ୍ୟାର ରୂପ ନେଇଥିଲା। ଅର୍ଣ୍ଣବ ପ୍ରଭାବରେ ବିଶାଖାପାଟଣାରେ ୨୧୭ ମିଲିମିଟର, କଳିଙ୍ଗପାଟଣାରେ ୧୪୭ ମିଲିମିଟର ଏବଂ ଗୋପାଳପୁରରେ ୯୪ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ବାତ୍ୟା ପୂର୍ବରୁ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ୧ ଲକ୍ଷ ୮୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବାତ୍ୟା ଦୁର୍ବଳ ହେବା ପରେ ମଧ୍ୟ ଏହାର ଅବଶିଷ୍ଟ ପ୍ରଭାବରେ ଓଡ଼ିଶା ସମେତ ପୂର୍ବ ଓ ମଧ୍ୟ ଭାରତର ଏକାଧିକ ରାଜ୍ୟରେ ପ୍ରବଳ ବର୍ଷାର ଆଶଙ୍କା ରହିଥିଲା । ଅର୍ଣ୍ଣବର ଗତିପଥ ଓ ଦ୍ରୁତ ତୀବ୍ରତା ବୃଦ୍ଧି ପୁଣିଥରେ ସ୍ପଷ୍ଟ କରିଛି ଯେ ସମୁଦ୍ରର ତାପମାତ୍ରା, ବିଶ୍ୱସ୍ତରୀୟ ଜଳବାୟୁ ପରିବର୍ତ୍ତନଶୀଳତା ଓ ବାୟୁମଣ୍ଡଳୀୟ ପରିସ୍ଥିତି ବାତ୍ୟାର ଆଚରଣକୁ ଜଟିଳ କରିପାରେ ।






