ଏ.କେ ବ୍ୟୁରୋ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପତ୍ର ସଂଖ୍ୟା ୧୦୪୯୯, ତା ୧୯/୦୯/୨୦୨୬ ମାର୍ଗଦର୍ଶିକା ଆଧାରରେ ବୋଲଗଡ଼ ବ୍ଲକରେ କ୍ଲଷ୍ଟର ସ୍ତରୀୟ ଶିଶୁ ପ୍ରତିଭା ଅନ୍ୱେଷଣ ଉତ୍ସବ ସୁରଭି-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ୧୦ଟି ସାଧନ କେନ୍ଦ୍ରର ସଂଯୋଜକଙ୍କ ଆବାହକତ୍ୱରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଅରଖପଲ୍ଲୀ, ଭୀମପଡା, ନୂଆସାହି, ପିଚୁକୁଳି, ସାଗରଗାଁ ସାଧନ କେନ୍ଦ୍ର ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ “ଶିଶୁ ହସିଲେ ଦୁନିଆ ହସେ” ଏବଂ ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବାର ବଳିଷ୍ଠ ମାଧ୍ୟମ ହେଉଛି ସୁରଭି ବୋଲି ମତ ପ୍ରକାଶ କରିଥିଲେ।
ସେହିପରି ସାନପଦରରେ ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ, ଗେଡିଆପଲ୍ଲୀରେ ସରପଞ୍ଚ କବିତା ମଞ୍ଜରୀ ତ୍ରିପାଠୀ, ଶଙ୍କରପୁରରେ ସରପଞ୍ଚ ଅମୂଲ୍ୟ ରଞ୍ଜନ ସାହୁ, ଦେଉଳିରେ ସରପଞ୍ଚ ପ୍ରଦୀପ କୁମାର ବାରିକ, କଡବରେ ସରପଞ୍ଚ ନଳିନୀ କୁମାର ବଡ଼ଜେନା, ମାଣିବନ୍ଧରେ ସରପଞ୍ଚ ସୁନନ୍ଦା ବରାଳ ଓ ଭୀମପଡାରେ ସରପଞ୍ଚ ପୁଷ୍ପଲତା ଭଟ୍ଟ ସମ୍ମାନିତ ଅତିଥି ରୂପେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସଙ୍ଗୀତ, ସୃଜନଶୀଳ ଲିଖନ, ବକ୍ତୃତା, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମଧ୍ୟାହ୍ନ ଭୋଜନ ସମ୍ପର୍କିତ ଚିତ୍ରକଳା ଓ ଶିଳ୍ପକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
କୃତୀ ପ୍ରତିଯୋଗୀଙ୍କୁ ପଦକ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସାଧନ କେନ୍ଦ୍ର ସଂଯୋଜକ ପ୍ରକାଶ ଚନ୍ଦ୍ର ସାହୁ, ମହମ୍ମଦ ମୁସ୍ତାକ ଅଲ୍ଲୀ, ଚନ୍ଦ୍ରଶେଖର ନାଏକ, ପ୍ରଫୁଲ୍ଲ କୁମାର ଦାସ, ପ୍ରଦୀପ କୁମାର ବଳବନ୍ତରାୟ, ପ୍ରକାଶ ମହାପାତ୍ର, ବିପିନ ବିହାରୀ ସ୍ୱାଇଁ, ରବୀନ୍ଦ୍ର କୁମାର ବେହେରା, ଶୁଭେନ୍ଦୁ ଦଳସିଂହରା, ଲୋକନାଥ ସାହୁ, ରବୀନ୍ଦ୍ର କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ କୈଳାସ ନାଥ ସ୍ୱାଇଁ ମାର୍ଗଦର୍ଶନ କରିଥିଲେ।






