ଏ.କେ ବ୍ୟୁରୋ : ଏମିତି ବି ଆସେ ମୃତ୍ୟୁ । ଏକାବେଳକେ ଦୁଇ ଛୁଆଙ୍କ ସହ ଆଖିବୁଜିଲେ ବାପା ମା । ତେବେ ରହସ୍ୟ ପାଲଟିଛି ଏହି ଘଟଣା । ସମସ୍ତଙ୍କ ମନରେ ପ୍ରଶ୍ନ କେମିତି ହେଲା ମୃତ୍ୟୁ? ପୁଣି ଚାରି ଚାରି ଜଣଙ୍କର । ରାଜସ୍ଥାନର ଝୁନଝୁନୁ ଜିଲ୍ଲାର କକରାନା ଗାଁର ବାସିନ୍ଦା ଭାରତୀୟ ନୌସେନାର ଯବାନ ପୂରଣମଲ ମେହେରା । ବୟସ ୩୦ ବର୍ଷ । ପୂରଣମଲ, ତାଙ୍କ ପତ୍ନୀ ଏବଂ ଦୁଇ ନିରୀହ ଶିଶୁଙ୍କର ମୁମ୍ବାଇରେ ଘଟିଛି ଦୁଖଦ ମୃତ୍ୟୁ । ଏହି ଖବର ପରେ ସାରା ଗାଁରେ ଖେଳିଯାଇଛି ଶୋକର ଛାୟା ।
ଖବର ମୁତାବକ, ସୋମବାର ଚାରିଜଣଙ୍କ ମୃତଦେହ ପୈତୃକ ଗାଁ କକରାନାରେ ପହଞ୍ଚିଥିଲା । ଶୋକାକୁଳ ପରିବେଶରେ ଯବାନ ପୂରଣମଲ ଏବଂ ତାଙ୍କ ପତ୍ନୀଙ୍କର ଗୋଟିଏ ଜୁଇରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଦୁଇ ନିରୀହ ଶିଶୁଙ୍କୁ ମାଟିରେ ପୋତିଦିଆ ଯାଇଥିଲା । ଏହି ଘଟଣା ଏବେ ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ଶେଷରେ ପୂରଣମଲ ନିଜ ପରିବାର ସହ କାହିଁକି ଏମିତି କଲେ? ସେମାନେ ନିଜେ ଏଭଳି କଠୋର ପଦକ୍ଷପ ନେଇଛନ୍ତି ନା ସେମାନଙ୍କୁ ହତ୍ୟା କରାଯାଇଛି? ଏହାର ଉତ୍ତର ଏପର୍ଯ୍ୟନ୍ତ ମିଳିନାହିଁ । ପରିବାର ପକ୍ଷରୁ ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ ଦାବି କରାଯାଇଛି ।
ଖବର ମୁତାବକ, ମୁମ୍ବାଇର କୋଲାବାସ୍ଥିତ ହାଇ-ସିକ୍ୟୁରିଟି ନେଭି ନଗରର ସରକାରୀ ଆବାସରୁ ପୂରଣମଲଙ୍କ ମୃତଦେହ ମିଳିଥିଲା । ଅନ୍ୟପଟେ ତାଙ୍କ ପତ୍ନୀ ଓମା ମେହେରା (୨୬) ଏବଂ ଦୁଇ ଶିଶୁଙ୍କ ମୃତଦେହ ଘରର ବେଡ୍ ଉପରେ ମିଳିଥିଲା ।ମୁମ୍ବାଇ ପୋଲିସ ଘଟଣାର ତଦନ୍ତ କରୁଛି । ପୋଲିସର କହିବା ଅନୁଯାୟୀ, ପୋଷ୍ଟମର୍ଟମ ଏବଂ ଫରେନସିକ୍ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ । ପାରିବାରିକ ବିବାଦ, ମାନସିକ ଚାପ ସମେତ ଅନ୍ୟ ସମ୍ଭାବ୍ୟ କାରଣ ଉପରେ ମଧ୍ୟ ପୋଲିସ ତଦନ୍ତ କରୁଛି ।
ତିନି ଦିନ ଧରି ଫୋନ୍ ଉଠାଉନଥିଲେ:
ପୂରଣମଲଙ୍କ ସାନଭାଇ ମୁକେଶ କୁମାର କହିଛନ୍ତି ଯେ, ପରିବାର ଲୋକେ ଗତ ତିନି ଦିନ ଧରି ପୂରଣମଲଙ୍କୁ ଫୋନ୍ କରୁଥିଲେ, କିନ୍ତୁ ସେ ଫୋନ୍ ଉଠାଉନଥିଲେ । ଏହାପରେ ଶନିବାର ନୌସେନା ଅଧିକାରୀଙ୍କୁ ଖବର ଦିଆଯାଇଥିଲା । ଶନିବାର ରାତି ପ୍ରାୟ ୧୧ଟା ସମୟରେ ମୁମ୍ବାଇରୁ ପରିବାରକୁ ପୂରଣମଲଙ୍କ ମୃତ୍ୟୁ ଖବର ମିଳିଥିଲା । ପରିବାର ଲୋକଙ୍କ ଅନୁଯାୟୀ, ପୂରଣମଲ ୨୦୧୫ ମସିହାରେ ଯୋଧପୁରରୁ ନୌସେନାରେ ଯୋଗ ଦେଇଥିଲେ । ୨୦୨୦ ମସିହାରେ ସିକର ଜିଲ୍ଲାର ଖଣ୍ଡେଲା ନିବାସୀ ଓମା ମେହେରାଙ୍କୁ ବିବାହ କରିଥିଲେ । ପ୍ରାୟ ୯ ମାସ ପୂର୍ବରୁ ପୂରଣମଲ ଗାଁ କକରାନାକୁ ଆସିଥିଲେ ଏବଂ ପ୍ରାୟ ୬ ଦିନ ପୂର୍ବରୁ ଘର ଲୋକଙ୍କ ସହ ଫୋନ୍ରେ କଥା ହୋଇଥିଲେ । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପୂରଣମଲ ପ୍ରାୟ ୨୦ ଦିନର ଛୁଟିରେ ଥିଲେ । ଗାଁରେ ସେ ଜଣେ ମିଳାପି ଓ ସହଯୋଗୀ ବ୍ୟକ୍ତି ଭାବେ ପରିଚିତ ଥିଲେ । ପଡ଼ୋଶୀ ଜିତେନ୍ଦ୍ରଙ୍କ କହିବା ଅନୁଯାୟୀ, ପୂରଣମଲଙ୍କର କାହା ସହ କୌଣସି ଶତ୍ରୁତା ନଥିଲା ।
ତିନି ଭାଇଙ୍କ ମଧ୍ୟରେ ଦ୍ୱିତୀୟ ଥିଲେ ପୂରଣମଲ:
ପୂରଣମଲ ତିନି ଭାଇଙ୍କ ମଧ୍ୟରେ ଦ୍ୱିତୀୟ ଥିଲେ । ତାଙ୍କ ବଡ଼ଭାଇ ବୃଜଲାଲ ମେହେରା ମଧ୍ୟ ସେନାରେ କାର୍ଯ୍ୟରତ ଅଛନ୍ତି । ସାନଭାଇ ମୁକେଶ କୁମାର ଗାଁରେ ରୁହନ୍ତି । ବାପା ଶମ୍ଭୁଦୟାଲ କକରାନାରେ ଏକ ଗ୍ରୋସରୀ ଦୋକାନ ଚଳାନ୍ତି ।
ସେନା ଗାଡ଼ିରେ ଗାଁରେ ପହଞ୍ଚିଲା ମୃତଦେହ:
ଗୁଢ଼ାଗୌଡ଼ଜୀ ଥାନାରୁ ସେନା ଟ୍ରକ୍ରେ ଚାରିଜଣଙ୍କ ମୃତଦେହ କକରାନା ଅଣାଯାଇଥିଲା । ମୃତଦେହ ଗାଁରେ ପହଞ୍ଚିବା ପରେ ସମଗ୍ର ପରିବେଶ ଶୋକାକୁଳ ହୋଇପଡ଼ିଥିଲା । ଯବାନଙ୍କ ଅନ୍ତିମ ଯାତ୍ରା ସେନା ଗାଡ଼ିରେ ବାହାରିଥିବା ବେଳେ ତାଙ୍କ ପତ୍ନୀଙ୍କୁ ପରିବାର ଓ ଗ୍ରାମବାସୀ କାନ୍ଧ ଦେଇଥିଲେ । ଦୁଇ ନିରୀହ ଶିଶୁଙ୍କୁ ମଧ୍ୟ ପରିବାର ଓ ଗ୍ରାମବାସୀ କୋଳେଇ ନେଇ ଅନ୍ତିମ ସଂସ୍କାର ପାଇଁ ଯାଇଥିଲେ ।
ଯବାନଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର:
ଶ୍ମଶାନରେ ପୂରଣମଲ ମେହେରାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ସେନା ଯବାନମାନେ ତାଙ୍କ ବାପା ଶମ୍ଭୁଦୟାଲଙ୍କୁ ତ୍ରିରଙ୍ଗା ହସ୍ତାନ୍ତର କରିଥିଲେ । ଯବାନଙ୍କ ସାନଭାଇ ମୁକେଶ କୁମାର ମୁଖାଗ୍ନି ଦେଇଥିଲେ । ଗୋଟିଏ ପଟେ ଦେଶସେବାରେ ନିୟୋଜିତ ଜଣେ ଯବାନଙ୍କ ବିଦାୟ, ଅନ୍ୟପଟେ ଏକାସାଙ୍ଗରେ ପରିବାରର ଚାରିଜଣ ସଦସ୍ୟଙ୍କୁ ହରାଇବାର ଦୁଃଖ । ଏହି ଘଟଣା କକରାନା ଗାଁ ସମେତ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ପୂରଣମଲଙ୍କ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଏବେ ଶୋକର ଛାୟା ଖେଳିଯାଇଛି ।






