ଏ.କେ ବ୍ୟୁରୋ : ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନାରାୟଣଚନ୍ଦ୍ରପୁର ଗ୍ରାମସ୍ଥିତ ୧୪୯ ନମ୍ବର ଜାତୀୟ ରାଜପଥର ଚାଇଁପାଳ ପେଟ୍ରୋଲ ପମ୍ପ ସମ୍ମୁଖରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଠିଆ ହୋଇଥିବା ବାଇକ୍କୁ ଏକ କୋଇଲା ବୋଝେଇ ଟ୍ରକ୍ ଧକ୍କା ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତି।ମୃତ ମହିଳା ଜଣକ ତାଳଚେର ଟାଉନ ଭୈରବୀ ସାହିର ହର୍ଷ ଭୁତିଆଙ୍କ ପତ୍ନୀ ଆରତି ଭୁତିଆ ବୋଲି ସମ୍ପର୍କୀୟଙ୍କଠାରୁ ସୂଚନା ମିଳିଛି। ସୂଚନା ଅନୁସାରେ, ହର୍ଷ ତାଳଚେରରୁ ନିଜ ପତ୍ନୀ ଓ ଦୁଇ ଛୁଆଙ୍କୁ ନେଇ ବଅଁରପାଳର ଏକ ହସ୍ପିଟାଲକୁ ସମ୍ପର୍କୀୟ ରୋଗୀଙ୍କୁ ଦେଖା କରିବାକୁ ଯାଉଥିଲେ।

ଏହି ସମୟରେ ଜାତୀୟ ରାଜପଥରେ ନିର୍ମାଣ କାମ ଚାଲୁଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇ ଅନେକ ଗାଡ଼ି ଅଟକି ରହିଥିଲା। ଠିକ୍ ସେତେବେଳେ ତେଲ ଟାଙ୍କି ନିକଟରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍ ନିୟନ୍ତ୍ରଣ ହରାଇ ଠିଆ ହୋଇଥିବା ବାଇକ୍କୁ ଧକ୍କା ଦେଇଥିଲା। ଧକ୍କା ପରେ ଟ୍ରକ୍ଟି ଆରତିଙ୍କ ଉପରେ ଚଢ଼ିଯାଇଥିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ବଅଁରପାଳ ଥାନା ପୁଲିସ୍ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିଥିଲା। ମୃତକଙ୍କ ପରିବାରକୁ ସରକାରୀ ସହାୟତା ଶୀଘ୍ର ଯୋଗାଇଦେବାକୁ ପ୍ରତିଶ୍ରୁତି ମିଳିବା ପରେ ଲୋକେ ରାସ୍ତା ଅବରୋଧ ପ୍ରତ୍ୟାହାର କରିଥିଲେ।
ଘଟଣାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଦୁର୍ଘଟଣା ସମ୍ପର୍କରେ ପୁଲିସ୍ ତଦନ୍ତ ଜାରି ରଖିଛି।






