ଏ.କେ ବ୍ୟିରୋ : ପାରଳାଖେମୁଣ୍ଡିସ୍ଥିତ ପଟ୍ଟନାୟକ ଟ୍ୟାଙ୍କ ପୁନରୁଦ୍ଧାର ଓ ସଂସ୍କାର ପ୍ରକଳ୍ପରେ ୫୫ଲକ୍ଷ ୬୯ ହଜାର ଟଙ୍କା ଅନିୟମିତତା ମାମଲାରେ ୩ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ । ପୂର୍ବତନ କନିଷ୍ଠ ଯନ୍ତ୍ରୀ ଡି. ଯୁଧିଷ୍ଠିର, ମ୍ୟୁନିସିପାଲ ଇଞ୍ଜିନିୟର ସଞ୍ଜୀବ ଚମ୍ପତି ଏବଂ ଠିକାଦାର ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କରାଯାଇଛି । ୨୦୧୯ରୁ ୨୦୨୨ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମୟରେ ମେଜରମେଣ୍ଟ ବୁକ୍ ରେ ଜାଣିଶୁଣି ମିଥ୍ୟା ତଥ୍ୟ ଦର୍ଶାଯାଇଥିଲା । ବାସ୍ତବରେ କାମ ନ ହୋଇଥିବା କିମ୍ବା ନିମ୍ନମାନର କାମକୁ ସଠିକ୍ ବୋଲି ଦର୍ଶାଇ ସରକାରୀ ଅର୍ଥ ହଡ଼ପ କରାଯାଇଥିଲା ।

ପୂର୍ବତନ ଜେଇ ଡି. ଯୁଧିଷ୍ଠିର ମିଥ୍ୟା ମାପ ରେକର୍ଡ କରିଥିବା ବେଳେ ମ୍ୟୁନିସିପାଲ ଇଞ୍ଜିନିୟର ସଞ୍ଜୀବ ଚମ୍ପତି ତାହାକୁ ଯାଞ୍ଚ କରି ସଠିକ୍ ବୋଲି ପ୍ରମାଣିତ କରିଥିଲେ । ଏହାକୁ ଆଧାର କରି ଠିକାଦାର ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ୩ଟି ଆର୍.ଏ. ବିଲ୍ ମାଧ୍ୟମରେ ମୋଟ ୧ କୋଟି ୨୨ ଲକ୍ଷ ୪୦ ହଜାର ୭୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଓଡ଼ିଶା ଭିଜିଲାନ୍ସର ବୈଷୟିକ ଟିମ ଯାଞ୍ଚରେ ପ୍ରକଳ୍ପରେ ୫୫ ଲକ୍ଷ ୬୯ ହଜାର ୩୩ ଟଙ୍କା ମୂଲ୍ୟର କାମ ନିମ୍ନମାନର କିମ୍ବା କମ୍ ପରିମାଣରେ ହୋଇଥିବା ସ୍ପଷ୍ଟ ହୋଇଛି । ରାଜ୍ୟ ସରକାରଙ୍କ ରାଜକୋଷକୁ ସିଧାସଳଖ କ୍ଷତି ପହଞ୍ଚିଛି । ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇଛି । ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୧୩(୨) ସହ ୧୩(୧)(ଏ) ଏବଂ ଭାରତୀୟ ଦଣ୍ଡ ସଂହିତାର ଧାରା ୧୨୦-ବି, ୪୦୯, ୪୨୦, ୪୬୮, ୪୭୧ ଓ ୪୭୭-ଏ ଅନୁଯାୟୀ ତିନି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।






