ବଅଁରପାଳ, ୧୮/୦୭ (ଇମିସ): ବଅଁରପାଳ ବ୍ଲକ୍ ଅନ୍ତର୍ଗତ ନୂଆହତା ପଞ୍ଚାୟତର ୩ନଂ ୱାର୍ଡରେ ୨ ମାସରୁ ଅଧିକ ସମୟ ଧରି ପାନୀୟ ଜଳ ଯୋଗାଣ ବନ୍ଦ ରହିଥିବା ଅଭିଯୋଗ ହୋଇଛି। ଏହାର ପ୍ରଭାବରେ ପ୍ରାୟ ୨୦୦ ପରିବାରର ହଜାରେରୁ ଅଧିକ ଲୋକ ଦୈନନ୍ଦିନ ପାନୀୟ ଜଳ ପାଇଁ ଚରମ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ପକ୍ଷରୁ ସ୍ଥାୟୀ ସମାଧାନ କରାଯାଇନଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ପାଇପ୍ ପାଣି ବନ୍ଦ ରହିଥିବାରୁ ଦୈନନ୍ଦିନ ବ୍ୟବହାର ପାଇଁ ସେମାନେ ନଳକୂଅ, କୂଅ ଓ ପୋଖରୀରୁ ପାଣି ସଂଗ୍ରହ କରୁଛନ୍ତି। ପାନୀୟ ଜଳ ସମେତ ସମସ୍ତ ଘରୋଇ କାମ ଚଳାଉଛନ୍ତି। ବର୍ଷାଋତୁରେ ଏଭଳି ପାଣି ବ୍ୟବହାର କରିବାକୁ ବାଧ୍ୟ ହେବାରୁ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ମଧ୍ୟ ବଢ଼ିଛି ସେମାନେ ବଅଁରପାଳ ବିଡିଓ ଏବଂ ଆରଡବ୍ଲ୍ୟୁଏସ୍ଏସ୍ର ଯନ୍ତ୍ରୀ ଦେବସ୍ମିତା ନାୟକଙ୍କୁ ଏକାଧିକ ଥର ଅଭିଯୋଗ କରିଥିଲେ। ତଥାପି, ସମସ୍ୟାର ସମାଧାନ ହୋଇପାରିନାହିଁ।
ନୂଆହତାପଞ୍ଚାୟତର ସରପଞ୍ଚ ରୁନୁବାଳା ଧୀରଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ସେ କହିଛନ୍ତି, ପାନୀୟ ଜଳ ପ୍ରକଳ୍ପ ପାଇଁ ନିଯୁକ୍ତ ପମ୍ପ ଅପରେଟର ଜାଣିଶୁଣି ଲୋକଙ୍କୁ ହଇରାଣ କରୁଛନ୍ତି। ଏହି ସମସ୍ୟା ସମ୍ପର୍କରେ ବିଭାଗକୁ ଜଣାଇଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ସେ କହିଛନ୍ତି।
ସମସ୍ୟାର ଶୀଘ୍ର ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ସ୍ବରସ୍ବତୀ ଗୋଚ୍ଛାୟତ, ସସ୍ମିତା ଗୋଚ୍ଛାୟତ, ଝିଲି ଗୋଚ୍ଛାୟତ, ଅର୍ଚ୍ଚନା ଗୋଚ୍ଛାୟତ, ରୁପାଲି ଗୋଚ୍ଛାୟତ, ଉର ଗୋଚ୍ଛାୟତ, ଭାଗବତୀ ଗୋଚ୍ଛାୟତ, ଟିନା ଗୋଚ୍ଛାୟତ, ମାମିନା ଗୋଚ୍ଛାୟତ, ସୁଲେଖା ଗୋଚ୍ଛାୟତ, ଲକ୍ଷ୍ମୀ ଗୋଚ୍ଛାୟତ, ନିମାଲି ଗୋଚ୍ଛାୟତ, ଅନନ୍ୟା ଗୋଚ୍ଛାୟତ ପ୍ରମ୍ମୁଖ ଚେତାବନୀ ଦେଇଛନ୍ତି।
ସେମାନଙ୍କ କହିବା ଅନୁଯାୟୀ, ପମ୍ପ ଅପରେଟର କେତେବେଳେ ଟଙ୍କା ମାଗୁଛି ଆଉ କେତେବେଳେ ମଟର ପୋଡ଼ି ଯାଇଥିବା କହୁଛନ୍ତି। ଆସନ୍ତା ୪ଦିନ ମଧ୍ୟରେ ପାଣି ଯୋଗାଣ ସ୍ବାଭାବିକ ନହେଲେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିବାକୁ ଚେତାବନୀ ଦିଆଯାଇଛି।
ଅନୁଗୋଳ ରୁ ଶ୍ୟାମଘନ ନାଏକ ଙ୍କ ରିପୋର୍ଟ ଆପଣ ଙ୍କ ଖବର






